Me-Time : ଛୁଟି ଦିନରେ କାମ ନୁହେଁ ମି’ ଟାଇମ୍‌ ଜରୁରି

ଜୀବନ ଶୈଳୀ

ଆପଣଙ୍କ ସହିତ ମଧ୍ୟ କ'ଣ ଏପରି ହୁଏ ଯେ ପୂରା ସପ୍ତାହ ଅଫିସରେ କାମ କରିବା ପରେ ଛୁଟି ଆସିଲେ ଘର କାମରେ ବ୍ୟସ୍ତ ହୋଇଯାଆନ୍ତି? କେବେ ପିଲାଙ୍କ ଦାୟିତ୍ୱ, କେବେ ଘର ସଫା, କେବେ ପରିବାର ପାଇଁ ରୋଷେଇ ତ କେବେ ଅଧୁରା କାମ ସାରିବାର ଚିନ୍ତା । ଏପରି ସ୍ଥିତିରେ ଛୁଟି ଦିନଟି କେତେବେଳେ ଚାଲିଯାଏ, ଜଣା ପଡ଼େ ନାହିଁ । କାର୍ଯ୍ୟଦିବସରେ ଅଫିସ୍‌ ଓ ଘରର କାମ ଏକ ସଙ୍ଗେ ସମ୍ଭାଳିବା ଏବଂ ଛୁଟି ଦିନ ବାକି ରହିଥିବା କାମ କରିବା... ଭିତରେ ପ୍ରାୟ ମହିଳା ନିଜ ପାଇଁ ସମୟ କାଢ଼ି ପାରନ୍ତି ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଅନେକ ମହିଳା ନିଜ ପାଇଁ ସାମାନ୍ୟ ସମୟ କାଢ଼ିଲେ ମଧ୍ୟ ଅପରାଧବୋଧ ଅନୁଭବ କରିଥାନ୍ତି । ସେମାନେ ଭାବନ୍ତି ଯେ ଘର ଓ ପରିବାରର ଏତେ କାମ ବାକି ଥିବା ବେଳେ ସେମାନେ ନିଜ ପାଇଁ ସମୟ କିପରି କାଢ଼ିପାରିବେ? ଏହା ବୁଝିବା ବହୁତ ଜରୁରୀ ଯେ ଯଦି ଆପଣ ଛୁଟି ଦିନରେ ମଧ୍ୟ କାମ କରୁଥାଆନ୍ତି, ତେବେ ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ । ତେଣୁ ଏପରି ସ୍ଥିତିରେ ନିଜ ପାଇଁ ସମୟ କାଢ଼ିବା ବହୁତ ଜରୁରୀ । ଚାଲନ୍ତୁ ଜାଣିବା ବିଷୟରେ ବିଶେଷଜ୍ଞ ଡକ୍ଟର ପ୍ରଜ୍ଞା ରଶ୍ମୀଙ୍କଠାରୁ... 

ବିରତି ବିନା କାମ କରିବା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିପାରେ 

ଡକ୍ଟର ରଶ୍ମୀଙ୍କ କହିବା ଅନୁଯାୟୀ, "ଜଣେ ଡାକ୍ତର ଭାବରେ ମୁଁ ପ୍ରାୟତଃ ଏପରି ମହିଳାଙ୍କୁ ଦେଖେ ଯେଉଁମାନେ ନିଜ ଛୁଟି ଦିନରେ ମଧ୍ୟ କାମ କରୁଥାଆନ୍ତି, ଯେପରି ମେସେଜ୍‌ର ଉତ୍ତର ଦେବା, କାମ ସାରିବା, ପରିବାରର ଯତ୍ନ ନେବା କିମ୍ବା ଛୁଟି ନେଲେ ଖରାପ ଲାଗିବା । ସେମାନେ ବୁଝନ୍ତି ନାହିଁ ଯେ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ସମୟ କାଢ଼ିବା କେତେ ଜରୁରୀ । ଏହା କୌଣସି ବିଳାସମୟ ଜୀବନ ନୁହେଁ ।’ 

ଲଗାତାର କାମ ଯୋଗୁ ବର୍ଣ୍ଣଆଉଟ୍‌ ସମସ୍ୟା 

ବିନା ବିରତିରେ ଲଗାତାର କାମ କରିବା ଯୋଗୁ ଚାପ, ଥକାପଣ, ନିଦ ନ ହେବା, ଚିଡ଼ଚିଡ଼ାପଣ ଏବଂ ଶେଷରେ "ବର୍ଣ୍ଣଆଉଟ୍‌' ଭଳି ସମସ୍ୟା ହୋଇପାରେ । ଏହାର ପ୍ରଭାବ କେବଳ ମାନସିକ ନୁହେଁ, ବରଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିପାରେ । ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇପାରେ, ଯାହାଫଳରେ ରୋଗର ଶିକାର ହୋଇପାରନ୍ତି । ସେହିପରି ହଜମ ଓ ଋତୁସ୍ରାବ ଚକ୍ର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । 

ମାନସିକ ଚାପ ଓ ଥକାପଣ କମାଇବା ପାଇଁ ମି’ ଟାଇମ 

ମହିଳାମାନେ ପ୍ରତିଦିନ ନିଜ ପାଇଁ କିଛି ସମୟ କାଢ଼ିବା ଜରୁରୀ । ଯଦି ଆପଣ ପ୍ରତିଦିନ ଏପରି କରିପାରୁ ନାହାଁନ୍ତି, ତେବେ ଅତିକମରେ ଛୁଟି ଦିନରେ କାମର ସୀମା ନିର୍ଦ୍ଧାରଣ କରିବା ସହ ନିଜ ପାଇଁ ସମୟ ବାହାର କରିବା ବହୁତ ଜରୁରୀ । କାରଣ ଅନେକ ସମୟରେ ମହିଳାମାନଙ୍କ ଉପରେ ଏକ ସମୟରେ ଅନେକ ଦାୟିତ୍ୱ ରହିଥାଏ ।

ନିୟମିତ ୨୦ ରୁ ୩୦ ମିନିଟ୍‌ ନିଜ ପାଇଁ କାଢ଼ନ୍ତୁ 

ନିୟମିତ ଜୀବନରେ ୨୦ରୁ ୩୦ ମିନିଟ୍‌ ସମୟ ନିଜ ପାଇଁ କାଢନ୍ତୁ ଏବଂ ଏହି ସମୟରେ ନିଜ ପସନ୍ଦର କିଛି ବି କରନ୍ତୁ । ଯେପରି ଚାଲିବା, ପଢ଼ିବା, ସଙ୍ଗୀତ ଶୁଣିବା, ବ୍ୟାୟାମ କରିବା କିମ୍ବା ପ୍ରାର୍ଥନା କରିବା ଦ୍ୱାରା ନିଜକୁ ସତେଜତା ଅନୁଭବ ହୋଇଥାଏ । ଯଦି ନିୟମିତ ସମ୍ଭବ ନ ହୁଏ, ତେବେ ସପ୍ତାହରେ ଗୋଟିଏ ଦିନ ନିଜ ପାଇଁ ନିଶ୍ଚୟ ରଖନ୍ତୁ । ଏପରିକି ଏହି ଦିନ ନିଜକୁ ଫୋନ୍‌ଠାରୁ ମଧ୍ୟ ଦୂରେଇ ରଖିବା ସହ ଶାନ୍ତିରେ କାଟନ୍ତୁ ।

ମି’ ଟାଇମରେ ନିଜର ଯତ୍ନ ନିଅନ୍ତୁ 

ନିଜର ଯତ୍ନ ନେବା ବିଷୟରେ ଭାବନ୍ତୁ କିମ୍ବା ନିଜେ ନିଜ ସହିତ ସେହି ସମୟ ବିତାନ୍ତୁ । ଯେତେବେଳେ ଆପଣ କୌଣସି କାମ ବିଷୟରେ ଚିନ୍ତା କରିବେ ନାହିଁ ଏବଂ କୌଣସି କାମ କରିବେ ନାହିଁ, ସେହି ସମୟରେ ଆପଣଙ୍କୁ ଭିନ୍ନ ଏକ ଅନୁଭବ ମିଳିଥାଏ । ନିଜର ଯତ୍ନ ନେବା ଦ୍ୱାରା ମାନସିକ ଶାନ୍ତି ମିଳେ ଏବଂ ଶକ୍ତି ଫେରିଆସେ । ନିୟମିତ ବ୍ୟାୟାମ, ପୂରା ନିଦ, ସନ୍ତୁଳିତ ଆହାର ଏବଂ ସକାରାତ୍ମକ ଲୋକଙ୍କ ସହିତ ମିଶିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଭଲ ନିଦ ନେବା ବହୁତ ଜରୁରୀ । ପ୍ରତି ରାତିରେ ପ୍ରାୟ ୭ ରୁ ୯ ଘଣ୍ଟାର ନିଦ ବହୁତ ଜରୁରୀ । ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ, ଶୋଇବା ପୂର୍ବରୁ ସ୍କ୍ରିନ୍‌ ଏବଂ କ୍ୟାଫିନ୍‌ (ଚା, କଫି)ରୁ ଦୂରେଇ ରହନ୍ତୁ ଏବଂ ଶୋଇବା ପୂର୍ବରୁ ଏକ ଶାନ୍ତ ରୁଟିନ୍‌ ତିଆରି କରନ୍ତୁ । ଯଦି ଆପଣ ଲଗାତାର ଉଦାସ, ଚିନ୍ତିତ, ବହୁତ ଅଧିକ ଚାପରେ ଅନୁଭବ କରୁଛନ୍ତି ବା ବିଭିନ୍ନ କାମକୁ ସମ୍ଭାଳି ପାରୁନାହାଁନ୍ତି, ତେବେ ବିଶେଷଜ୍ଞଙ୍କ ସହିତ କଥା ହୁଅନ୍ତୁ ।

source:prameya news


Related News