Deepak Rajawat: ଟାଟା ଏୟାରଲାଇନ୍ସର ନୂଆ ମୁଖିଆ ଦୀପକ ରାଜାୱତ, ଡିସେମ୍ବର ୧ରୁ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ, ୧୮।୧୧: ଟାଟା ଗ୍ରୁପ୍ର ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ବଡ଼ ପରିବର୍ତ୍ତନ । କମ୍ପାନୀର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଦୀପକ ରାଜାୱତଙ୍କୁ ନିଯୁକ୍ତ କରାଯାଇଛି । ଆସନ୍ତା ଡିସେମ୍ବର ୧, ୨୦୨୬ରୁ ସେ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ସେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଭାବେ କାର୍ଯ୍ୟ କରୁଛନ୍ତି । ବୁଧବାର କମ୍ପାନୀର ବୋର୍ଡ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି ।
ବିମାନ ଚଳାଚଳ ଓ ଆର୍ଥିକ କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା:
ଦୀପକ ରାଜାୱତଙ୍କର ବିମାନ ଚଳାଚଳ ଏବଂ ଆର୍ଥିକ କ୍ଷେତ୍ରରେ ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯୋଗଦେବା ପୂର୍ବରୁ ସେ ଭିସ୍ତାରା ଏୟାରଲାଇନ୍ସ ସହ ଜଡ଼ିତ ଥିଲେ । ଭିସ୍ତାରାର ଆରମ୍ଭରୁ ହିଁ ସେ କମ୍ପାନୀରେ କାର୍ଯ୍ୟ କରିଥିଲେ । ଏଠାରେ ସେ କର୍ପୋରେଟ୍ ପ୍ଲାନିଂ, ବିମାନ କ୍ରୟ ଏବଂ ଆର୍ଥିକ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଭିସ୍ତାରାର ମୁଖ୍ୟ ବାଣିଜ୍ୟିକ ଅଧିକାରୀ (CCO) ଭାବେ ନିଯୁକ୍ତ କରାଯାଇଥିଲା ।
କମ୍ପାନୀର ଆୟ ବୃଦ୍ଧିରେ ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା:
ଭିସ୍ତାରାରେ CCO ଭାବେ କାର୍ଯ୍ୟ କରିବା ସମୟରେ ରାଜାୱତ କମ୍ପାନୀର ଆୟ ବୃଦ୍ଧି, ନୂଆ ବିମାନ ମାର୍ଗ ଯୋଜନା, ଟିକେଟ୍ ବିକ୍ରି, ମାର୍କେଟିଂ ଏବଂ ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇବା ଦିଗରେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଭିସ୍ତାରା ଘରୋଇ ବିମାନ ଚଳାଚଳ ବଜାରରେ ଦ୍ୱିତୀୟ ବୃହତ୍ତମ ଏୟାରଲାଇନ୍ସ ଭାବେ ଉଭା ହୋଇଥିଲା । ଏହା ସହ ସ୍କାଏଟ୍ରାକ୍ସର ବିଶ୍ୱର ଶ୍ରେଷ୍ଠ ୨୦ ଏୟାରଲାଇନ୍ସ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲା ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ଆର୍ଥିକ ଦାୟିତ୍ୱରେ ଥିଲେ:
ଏୟାର ଇଣ୍ଡିଆ ଏକ୍ସପ୍ରେସର CFO ଭାବେ ରାଜାୱତ କମ୍ପାନୀର ଆର୍ଥିକ ପରିଚାଳନା ସହ ଏହାର ସମ୍ପ୍ରସାରଣ ଏବଂ ଏୟାର ଇଣ୍ଡିଆ ଗ୍ରୁପ୍ରେ ମିଶ୍ରଣ ପ୍ରକ୍ରିୟାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । କମ୍ପାନୀର ଅଧ୍ୟକ୍ଷ ନିପୁଣ ଅଗ୍ରୱାଲ କହିଛନ୍ତି ଯେ, ଦୀପକ ରାଜାୱତଙ୍କର ଆର୍ଥିକ କ୍ଷେତ୍ରରେ ଗଭୀର ଜ୍ଞାନ ସହ ବାଣିଜ୍ୟିକ ଅଭିଜ୍ଞତା ମଧ୍ୟ ରହିଛି । ଅନ୍ୟପଟେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇବା ଏବଂ ଟେକ୍ନୋଲୋଜିର ଉପଯୋଗ କରି ଏୟାରଲାଇନ୍ସକୁ ଆହୁରି ସୁଦୃଢ଼ କରିବା ତାଙ୍କର ପ୍ରାଥମିକତା ରହିବ ବୋଲି ରାଜାୱତ କହିଛନ୍ତି ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ନେଟୱର୍କ କେତେ ବଡ଼ ?
ବର୍ତ୍ତମାନ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରତିଦିନ ପ୍ରାୟ ୫୮୫ଟି ବିମାନ ଚଳାଚଳ କରୁଛି । ଦେଶର ୪୮ଟି ଘରୋଇ ସହର ସହ ୧୭ଟି ଅନ୍ତର୍ଜାତୀୟ ସହରକୁ ଏହାର ନେଟୱର୍କ ସଂଯୋଗ କରୁଛି । କମ୍ପାନୀର ବିମାନ ବେଡ଼ାରେ ବୋଇଂ ୭୩୭ ଏବଂ ଏୟାରବସ୍ A320 ପରିବାରର ମୋଟ ୧୦୮ଟି ବିମାନ ରହିଛି ।
source:prameya news


