୧୬୧୪ କୋଟିର ପ୍ରୋଜେକ୍ଟ ହାତଛଡ଼ା : ରାଗିଗଲେ CM ଥାଲାପତି ବିଜୟ, ଚାକିରିରୁ ବିଦା ହେଲେ ୧୫ ଅଫିସର

ଦେଶ

ନୂଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟର ୧୫ ଜଣ ଅଫିସରଙ୍କୁ ଚାକିରିରୁ କରିଛନ୍ତି ବହିଷ୍କାର ।  ଏହି ସମସ୍ତ ଅଫିସର ରାଜ୍ୟର ନିବେଶ ପ୍ରୋତ୍ସାହନ ଏଜେନ୍ସି 'ଗାଇଡାନ୍ସ ତାମିଲନାଡୁ' (Guidance Tamil Nadu) ସହ ଜଡ଼ିତ ଥିଲେ । ରାଜ୍ୟରେ ନିବେଶ ସମ୍ପର୍କିତ ଗୋପନୀୟ ତଥ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଲିକ୍ କରିଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହି କାରଣରୁ ତାମିଲନାଡୁକୁ ଆସିବାକୁ ଥିବା ସମସ୍ତ ପ୍ରୋଜେକ୍ଟ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଛି ।

ସବୁଠାରୁ ବଡ଼ କଥା ହେଉଛି, ବହିଷ୍କୃତ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ତିନି ଜଣ ଆନ୍ଧ୍ରପ୍ରଦେଶ ସରକାରଙ୍କ ପାଇଁ କାମ କରୁଥିବା ଜଣାପଡ଼ିଛି । ମନ୍ତ୍ରୀ ଏସ୍. କୀର୍ତ୍ତନାଙ୍କ ନେତୃତ୍ୱାଧୀନ ଶିଳ୍ପ ବିଭାଗରେ ଏହି ତଥ୍ୟ ଲିକ୍ ମାମଲା ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ତାମିଲନାଡୁରେ ଏକ ବଡ଼ ଧରଣର ରାଜନୈତିକ ବିବାଦ ଦେଖା ଦେଇଛି ।

ପ୍ରକୃତରେ, ଦକ୍ଷିଣ କୋରିଆର ତିନୋଟି କମ୍ପାନୀ ପକ୍ଷରୁ ହେବାକୁ ଥିବା ୧,୬୧୪ କୋଟି ଟଙ୍କାର ନିବେଶ ତାମିଲନାଡୁ ହାତରୁ ଖସି ସିଧାସଳଖ ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଛି । ରାଜ୍ୟ ଶିଳ୍ପ ବିଭାଗର ଏକ ଆଭ୍ୟନ୍ତରୀଣ ଟିମ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ, ତାମିଲନାଡୁରେ ନିବେଶ କରିବାକୁ ଇଚ୍ଛୁକ ଥିବା କମ୍ପାନୀ ଏବଂ ସରକାରଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଗୋପନୀୟ ତଥ୍ୟ ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କୁ ପଠାଯାଇ ଥିଲା । ଏହି ମାମଲା ଏବେ ରାଜନୈତିକ ରୂପ ନେଇଛି, କାରଣ ଏହି ଅଧିକାରୀମାନଙ୍କ ମଧ୍ୟରୁ କିଛି ଜଣଙ୍କ ନିଯୁକ୍ତି ପୂର୍ବତନ AIADMK ସରକାରଙ୍କ ସମୟରେ ହୋଇଥିଲା ଏବଂ DMK ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେମାନେ ନିଜ ପଦବୀରେ ରହିଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲିକ୍ ହୋଇଥିବା ତଥ୍ୟ ଖୁବ୍ ସମ୍ବେଦନଶୀଳ ଥିଲା, ଯାହା ନିବେଶ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଜରୁରୀ ହୋଇଥାଏ । ଏଥିରେ ତାମିଲନାଡୁ ସରକାର ଏବଂ ରାଜ୍ୟରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ବିଚାର କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ହୋଇଥିବା ଆଲୋଚନାର ତଥ୍ୟ ସାମିଲ ଥିଲା। ଅଭିଯୋଗ ହୋଇଛି ଯେ ଏହି ତଥ୍ୟ ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କ ନିକଟରେ ପହଞ୍ଚାଯାଇ ଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଘଟଣା ତାମିଲନାଡୁର ନିବେଶ ପ୍ରୋତ୍ସାହନ ପ୍ରୟାସକୁ ଦୁର୍ବଳ କରିବା ପାଇଁ କୌଣସି ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ ନୁହେଁ ତ ? ଶିଳ୍ପ ମନ୍ତ୍ରୀ ଏସ୍. କୀର୍ତ୍ତନାଙ୍କ ବିଭାଗକୁ ଟାର୍ଗେଟ୍ କରାଯାଉ ଥିଲା କି ?

ଏହି କଥିତ ତଥ୍ୟ ଲିକ୍ ଘଟଣା ଏବେ ଏହି ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି ଯେ, ଦୀର୍ଘ ବର୍ଷ ଧରି ଏହି ସଂସ୍ଥାର ଅଂଶ ହୋଇ ରହିଥିବା ଅଧିକାରୀମାନେ ଆନ୍ଧ୍ରପ୍ରଦେଶ ସହିତ ଗୋପନୀୟ ତଥ୍ୟ ବାଣ୍ଟୁଥିଲେ କି ? ତାମିଲନାଡୁକୁ ଆସିବାକୁ ଥିବା ନିବେଶ ଏବେ ଆନ୍ଧ୍ରପ୍ରଦେଶକୁ ଚାଲି ଯାଉ ଥିବା ନେଇ ହେଉଥିବା ଅଭିଯୋଗ ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି । ଏହାଦ୍ୱାରା ପ୍ରଶ୍ନ ଉଠୁଛି ଯେ, ପୂର୍ବରୁ ତାମିଲନାଡୁକୁ ଆସିବା ନେଇ ଆଶା କରାଯାଉଥିବା ପ୍ରୋଜେକ୍ଟଗୁଡ଼ିକୁ ପଡ଼ୋଶୀ ରାଜ୍ୟ ନିଜ ଆଡ଼କୁ ଆକର୍ଷିତ କରିବାରେ କିପରି ସଫଳ ହେଉଛି ?

'ଇଣ୍ଡିଆ ଟୁଡେ'ର ରିପୋର୍ଟରେ ସୂତ୍ରକୁ ଆଧାର କରି କୁହାଯାଇଛି ଯେ, କମ୍ପାନୀ ସହ ଜଡ଼ିତ ଗୋପନୀୟ ତଥ୍ୟ ଲିକ୍ ହେବାର ଆଶଙ୍କା ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ପଛର ଏକ ମୁଖ୍ୟ କାରଣ ହୋଇପାରେ । ତେବେ, ଲିକ୍ ହୋଇଥିବା ତଥ୍ୟର ସଠିକ୍ ବିବରଣୀ ଏବଂ ଏହି ନିୟମ ଉଲ୍ଲଂଘନକୁ ପ୍ରମାଣିତ କରୁଥିବା ପ୍ରମାଣ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଏହି ବିବାଦ ଉପରେ ପ୍ରତିକ୍ରିୟା ରଖି DMK ନେତା ତଥା ତାମିଲନାଡୁର ପୂର୍ବତନ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ବର୍ତ୍ତମାନର ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଛନ୍ତି। ସେ ସରକାରଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି ଯେ, ଦୀର୍ଘ ଦଶନ୍ଧି ଧରି ଗଢ଼ି ଉଠିଥିବା ଏକ ସଂସ୍ଥାକୁ ସରକାର ରାଜନୈତିକ ବିବାଦ ଭିତରକୁ ଟାଣି ନେଉଛନ୍ତି।

source:prameya news


Related News