ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ୍‌ଙ୍କ ତ୍ରିପାକ୍ଷିକ ବୈଠକ: ଶାନ୍ତି ଓ ସ୍ଥିରତା ବଜାୟ ପାଇଁ ପ୍ରତିବଦ୍ଧ, ୪ ପ୍ରସଙ୍ଗକୁ ନେଇ ହେଲା ସହମତି

ବିଦେଶ

ଶେନ୍‌ଝେନ୍‌,୨୦/୧୧: ଚୀନ୍‌ର ଶେନ୍‌ଝେନ୍‌  ସହରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌,  ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍‌  ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଗୁରୁବାର ଐତିହାସିକ  ତ୍ରିପାକ୍ଷିକ ବୈଠକ କରିଛନ୍ତି । ପ୍ରଥମ ଥର ପାଇଁ ତିନି  ଶକ୍ତିଶାଳୀ ରାଷ୍ଟ୍ରର ନେତା ଏକାଠି ବସି ବିଶ୍ୱ ହିତକୁ  ଦେଇଛନ୍ତି ପ୍ରାଥମିକତା । ତ୍ରିପାକ୍ଷିକ ବୈଠକରେ ୩ ନେତା ୪ଟି ପ୍ରମୁଖ ସଂକଳ୍ପ କରିଛନ୍ତି । ପରମାଣୁ ଯୁଦ୍ଧ  କେବେ ଜିତାଯାଇ ପାରିବ ନାହିଁ ଏବଂ ଏହା ଲଢ଼ାଯିବା  ଉଚିତ ବି ନୁହେଁ ବୋଲି ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପରମାଣୁ ଅସ୍ତ୍ରର ପ୍ରସାରକୁ ରୋକିବା  ଏବଂ ଏହାର ବିପଦକୁ କମାଇବା ଲାଗି ଆଲୋଚନା  ଜାରି ରଖିବାକୁ ବଦ୍ଧପରିକର ହୋଇଛନ୍ତି ।

ଜିନ୍‌ପିଙ୍ଗ୍‌ ପରମାଣୁ ଅସ୍ତ୍ରକୁ ମାନବତା ମୁଣ୍ଡ ଉପରେ ଝୁଲୁଥିବା ଖଣ୍ଡା ବିବେଚନା କରିଛନ୍ତି । ପରମାଣୁ ଅସ୍ତ୍ରକୁ ସମ୍ପୂର୍ଣ୍ଣ ଶେଷ କରିବା ଲାଗି ସେ  ଆହ୍ୱାନ ଦେଇଛନ୍ତି । ପୁଟିନ କହିଛନ୍ତି, ରୁଷ୍‌, ଚୀନ୍‌  ଏବଂ ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟୀ  ହୋଇଥିଲେ । ତେଣୁ ଦୁନିଆରେ ଶାନ୍ତି ଓ ସୁରକ୍ଷା  ବଜାୟ ରଖିବାର ଦାୟିତ୍ୱ ମଧ୍ୟ ଏହି ୩ ଦେଶ  ଉପରେ ରହିଛି । ୩ ଦେଶର ପ୍ରଥମ ତ୍ରିପାକ୍ଷିକ  ବୈଠକକୁ ନେଇ ଟ୍ରମ୍ପ୍‌ ବହୁତ ଖୁସି ବୋଲି କହିଛନ୍ତି ।

ତିନି ଦେଶର ନେତା ବିଶ୍ୱରେ ଶାନ୍ତି ଓ ସ୍ଥିରତା  ବଜାୟ ଲାଗି ନିଜ ଦାୟିତ୍ୱ ସ୍ୱୀକାର କରିଛନ୍ତି । ଜିନ୍‌ପିଙ୍ଗ୍‌  ଶୀତଳ ଯୁଦ୍ଧ ମାନସିକତା ଛାଡ଼ିବାକୁ ଅପିଲ୍‌ କରିଛନ୍ତି ।  ତିନି ଦେଶ ମିଶି ବୈଶ୍ୱିକ ସ୍ଥିରତା ବଢ଼ାଇ ପାରିବେ  ବୋଲି ପୁଟିନ କହିଛନ୍ତି । ମତଭେଦ ଯେତେ ଥିଲେ  ବି ଆଲୋଚନା ନ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ୍‌ । ବିଶ୍ୱ ଶକ୍ତି ଯୋଗାଣରେ ସ୍ଥିରତା ଲାଗି ୩  ନେତା ଜୋର ଦେଇଛନ୍ତି । ବୈଶ୍ୱିକ ଲାଭ ନିମନ୍ତେ  ନେତାମାନେ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର  ଉତ୍ପାଦନ ବୃଦ୍ଧି ନେଇ ସହମତି ବ୍ୟକ୍ତ କରିଛନ୍ତି ।  

ବିଶ୍ୱବ୍ୟାପୀ ଶକ୍ତି ଯୋଗାଣକୁ ବ୍ୟବସ୍ଥିତ ରଖିବା  ନେଇ ସହମତ ହୋଇଛନ୍ତି । ଅନ୍ତର୍ଜାତୀୟ  ଅପରାଧିକ ନ୍ୟାୟାଳୟ (ଆଇସିସି) ଏବଂ ଏଭଳି  ଅନ୍ୟ ସଂସ୍ଥାମାନେ ନିଜ କ୍ଷମତାର ଦୁରୁପଯୋଗ  କରିବା ଉଚିତ ନୁହେଁ ବୋଲି ୩ ନେତା ଦର୍ଶାଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ରେ ସ୍ଥାୟୀ ସଦସ୍ୟ ହୋଇଥିବା ଦୃଷ୍ଟିରୁ ଆମେରିକା,  ରୁଷ ଓ ଚୀନ୍‌ର ନେତା ଜାତିସଂଘରେ ସଂସ୍କାର  ଆଣିବାକୁ ନେଇ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।  ଅନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ସକାଶେ ବୈଶ୍ୱିକ  ଆହ୍ୱାନକୁ ପ୍ରଭାବୀ ଢଙ୍ଗରେ ମୁକାବିଲା ଲାଗି ଏହାର  ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି ।

ତ୍ରିପାକ୍ଷିକ ବୈଠକରେ ଇରାନ ଓ ୟୁକ୍ରେନ  ଯୁଦ୍ଧ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲେ ହେଁ କୌଣସି  ଠୋସ ବୁଝାମଣା କିମ୍ବା ନିର୍ଯାସ ବାହାରି ନାହିଁ । ପ୍ରାୟ  ୭୦ ମିନିଟ ଧରି ଏହି ବୈଠକ ବନ୍ଦ କୋଠରିରେ  ହୋଇଥିଲା । ୩ ନେତା କେବଳ ଶାନ୍ତି ଘୋଷଣାନାମା  ଜାରି କରିଛନ୍ତି । ଘୋଷଣାପତ୍ରରେ ଇରାନ ଯୁଦ୍ଧକୁ  ନେଇ ସିଧାସଳଖ ଟିପ୍ପଣୀ ଦିଆଯାଇ ନାହିଁ ।

source:prameya news


Related News