Bangladesh Violence: କାହିଁକି ଜଳୁଛି ବାଂଲାଦେଶ ? ୨୮ ଜିଲ୍ଲାରେ ସ୍ଥିତି ଅଣାୟତ୍ତ, ୟୁନୁସଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

ବିଦେଶ

ନୂଆଦିଲ୍ଲୀ,୨୦/୧୧; ପୁଣି ହିଂସା କବଳରେ ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କ ଦଳ ଆୱାମୀ ଲିଗ୍‌ ଦେଶବ୍ୟାପୀ  ଆନ୍ଦୋଳନକୁ ଓହ୍ଲାଇଛି । ଲକ୍‌ଡାଉନ ଘୋଷଣା  କରିଛି । ୨୮ ଜିଲ୍ଲାରେ ବୋମା ବିସ୍ଫୋରଣ,  ଜଳାପୋଡ଼ା ଓ ଭଙ୍ଗାରୁଜା ଘଟଣା ସାମ୍ନାକୁ  ଆସିଛି । ରାଜଧାନୀ ଢାକାରେ ଗୁରୁବାର ଅନେକ ଦେଶୀ ବୋମା ବିସ୍ଫୋରଣ  ହୋଇଛି । ଏକାଧିକ ଅଞ୍ଚଳରେ ଆକ୍ରମଣ ଘଟଣା  ଘଟିଛି । ୨୪ ଘଣ୍ଟା ମଧ୍ୟରେ କେବଳ ଢାକାରେ ୫୬୫ ଲୋକଙ୍କୁ ଗିରଫ କରାଯାଇଛି । ହସିନା  ସରକାରରେ ଶିକ୍ଷା ମନ୍ତ୍ରୀ ଥିବା ନୁରୁଲ ଇସଲାମ  ନାହିଦଙ୍କୁ ବି ଉଠାଇ ନେଇଛି ପୁଲିସ । ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯିବାର  ୧ ବର୍ଷ ପୂରଣ ହେବା ପରିପ୍ରେକ୍ଷୀରେ  ଆୱାମୀ ଲିଗ୍‌ ଲକ୍‌ଡାଉନ୍‌ ଘୋଷଣା କରିଛି ।  

ଆନ୍ଦୋଳନକାରୀ ଦେଶର ପୂର୍ବ ଅନ୍ତରୀଣ  ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ  ଚଟଗାଓଁସ୍ଥିତ ପୈତୃକ ବାସଭବନରେ ନିଆଁ  ଲଗାଇ ଦେଇଛନ୍ତି । ଦେଶର ପୃଥକ ସ୍ଥାନରେ  ଥିବା ତାଙ୍କ ଗ୍ରାମୀଣ ବ୍ୟାଙ୍କର ପ୍ରାୟ ୩୭ଟି  ଶାଖାରେ ବି ନିଆଁ ଲଗାଇଛନ୍ତି । ଅନେକ  ସ୍ଥାନରେ ରାସ୍ତାରୋକ ଯୋଗୁ ଯାତାୟାତ  ପ୍ରଭାବିତ ହୋଇଛି । ଥାନା ବି ପୋଡ଼ିଛନ୍ତି । ଶେଖ୍‌ ହସିନା ସ୍ୱଦେଶ ଫେରିବାକୁ ଚାହୁଁଥିଲେ ହେଁ ତାଙ୍କ ଦେଶର ସରକାର  ନୂଆ ପାସ୍‌ପୋର୍ଟ ଏବଂ ଜାତୀୟ ପରିଚୟପତ୍ର  ଦେବାକୁ ମନା କରିଦେଇଛି । ଏହା ପୂର୍ବରୁ  ତାଙ୍କୁ ପଳାତକ ଘୋଷଣା କରାଯିବା ସହ  ବାଂଲାଦେଶର ଆଇସିଟି (ଇଣ୍ଟରନ୍ୟାସନାଲ  କ୍ରାଇମ୍‌ସ ଟ୍ରିବ୍ୟୁନାଲ) ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ  କରିଥିଲା । ଏହାଯୋଗୁ ହସିନାଙ୍କ ଅଡୁଆ  ବଢ଼ିଯାଇଛି । ତାଙ୍କର ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ  ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରୁ ଆୱାମୀ ଲିଗ୍‌ର  କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଗତକାଲି  ବାଂଲାଦେଶର ଅଧିକାଂଶ ଅଞ୍ଚଳରେ ସଟ୍‌ଡାଉନ୍‌  ସ୍ଥିତି ଉପୁଜିଛି । ଆୱାମୀ ଲିଗ୍‌ ଏକ ସପ୍ତାହ  ଧରି ଆନ୍ଦୋଳନ କରିବାକୁ ଡାକରା ଦେଇଥିଲା ।  ଏଥିପାଇଁ ଜନତାଙ୍କ ସମର୍ଥନ ଲୋଡ଼ିଥିଲା । ଢାକାରେ ଆୱାମୀ ଲିଗ୍‌ର ଆନ୍ଦୋଳନକୁ  ପ୍ରତିହତ ଲାଗି ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ  ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାଟି ର୍ (ବିଏନ୍‌ପି) ର କାର୍ଯ୍ୟକର୍ତ୍ତା ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ।  ଏହାଯୋଗୁ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ସ୍ଥିତି  ଉପୁଜିବାରୁ ହିଂସାକାଣ୍ଡ ବଢ଼ ିବାରେ ଲାଗିଛି । ହିଂସା  ନିୟନ୍ତ୍ରଣ ସକାଶେ ଗୋପାଳଗଞ୍ଜ ଓ ଫରିଦପୁର  ସମେତ ୭ଟି ଜିଲ୍ଲାରେ ୯୭ ପ୍ଲାଟୁନ ବାଂଲାଦେଶ  ସୀମା ରକ୍ଷୀ (ବିବିଜି) ମୁତୟନ କରାଯାଇଛି । ପ୍ରଧାନମନ୍ତ୍ରୀ ତାରିକ ରହମାନ ବୁଧବାର  ରାତିରେ ରାଜନୈତିକ ଦଳ ଓ ଗଣତାନ୍ତ୍ରିକ  ଶକ୍ତିକୁ ଆୱାମୀ ଲିଗ୍‌ ବିରୋଧରେ ଏକାଠି  ହେବାକୁ ଆହ୍ୱାନ ଦେଇଥିଲେ । ଆୱମୀ  ଲିଗ୍‌କୁ ଆତଙ୍କବାଦୀ ସଂଗଠନ ଏବଂ  କ୍ଷମତାଚ୍ୟୁତ ଫାସିବାଦୀ ଶକ୍ତି ଦର୍ଶାଇଥିଲେ ।


ପୁଲିସ କହିଛି, ଗତ ୧୦ ଦିନ ହେଲା  ବିଭିନ୍ନ ସ୍ଥାନରେ ବିକ୍ଷୋଭ ଚାଲିଛି । ଅନ୍ୟୂନ  ୨୮ ଜିଲ୍ଲାରେ ଡଜନେରୁ ଅଧିକ ଦେଶୀ ବୋମା  ମାଡ଼, ଯାନବାହନ ଜଳାପୋଡ଼ା ଘଟଣା ଘଟିଛି ।  ଏଥିରେ ଅନେକ ପୁଲିସ ଅଧିକାରୀ, ଗଣମାଧ୍ୟମ  କର୍ମଚାରୀ ଓ ସାଧାରଣ ଜନତା ଆହତ  ହୋଇଛନ୍ତି । ହସିନାଙ୍କ  ଜିଲ୍ଲା ଗୋପାଳଗଞ୍ଜରେ  ଅଜଣା ଲୋକମାନେ ଶାସକ ଦଳ ବିଏନ୍‌ପିର  ଜଣେ କର୍ମୀଙ୍କୁ ହତ୍ୟା କରିଛନ୍ତି । ବୁଧବାର ସକାଳେ ଏକ ବସ୍‌ କମ୍ପାନି  ହେଲ୍‌ପରଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ।  ଏହି ସମୟରେ ବିକ୍ଷୋଭକାରୀ ଦୁଇଟି  ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ଗତ  ମଙ୍ଗଳବାର ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶ  ପ୍ରଦାନକୁ ବର୍ଷେ ପୂରିଥିଲା । ୨୦୨୪ ଛାତ୍ର  ଆନ୍ଦୋଳନକୁ ଚପାଇବା ସମୟରେ ମାନବତା  ବିରୋଧରେ ଅପରାଧ ମାମଲାରେ ତାଙ୍କୁ ଏକ  ସ୍ଥାନୀୟ କୋର୍ଟ ଏହି ଦଣ୍ଡାଦେଶ ଦେଇଥିଲେ ।  ଗୁରୁବାର ପୂର୍ବତନ ଶିକ୍ଷା ମନ୍ତ୍ରୀ ନୁରୁଲ  ଇସଲାମ ନାହିଦଙ୍କୁ ପୁଲିସ ଅଟକ ରଖିଛି । 

source:Prameya news


Related News