ମିଆଁମାରରେ ୧୦ ହଜାର ରୋହିଙ୍ଗ୍ୟାଙ୍କ ହୋଇଥିଲା ନରସଂହାର,ICJଙ୍କ ଐତିହାସିକ ରାୟ
ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ୨୦୧୭ରେ ହୋଇଥିବା ଭୟଙ୍କର ହିଂସାକୁ ନେଇ ଆସିଛି ଐତିହାସିକ ରାୟ।ଜାତିସଂଘର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ଅନ୍ତର୍ଜାତୀୟ ନ୍ୟାୟାଳୟ (ICJ) ମିଆଁମାରକୁ ରୋହିଙ୍ଗ୍ୟା ସମ୍ପ୍ରଦାୟ ବିରୋଧରେ ନରସଂହାର ପାଇଁ ଦାୟୀ ବୋଲି ଘୋଷଣା କରିଛନ୍ତି। ୧୫ ଜଣିଆ ଖଣ୍ଡପୀଠର ୯ ଜଣ ବିଚାରପତି ଏହି ରାୟ ସପକ୍ଷରେ ମତ ଦେଇଥିବା ବେଳେ ୬ ଜଣ ଏହାର ବିପକ୍ଷରେ ମତ ଦେଇଥିଲେ। ୨୦୧୭ର ସାମରିକ ଅଭିଯାନ ସମୟରେ ପ୍ରାୟ ୧୦ ହଜାର ରୋହିଙ୍ଗ୍ୟାଙ୍କୁ ହତ୍ୟା କରାଯାଇଥିଲା।
୧୦ ହଜାର ହତ୍ୟା, ମହିଳାଙ୍କୁ ଯୌନ ନିର୍ଯାତନା
ICJଙ୍କ ରାୟ ଅନୁଯାୟୀ, ୨୦୧୭ରେ ମିଆଁମାରର ଉତ୍ତର ରାଖାଇନ୍ ପ୍ରଦେଶରେ ସେନାର ସାମରିକ ଅଭିଯାନ ସମୟରେ ବ୍ୟାପକ ହିଂସା ଘଟିଥିଲା। ଏହି ଅଭିଯାନରେ ସୁରକ୍ଷା ବାହିନୀ ହଜାର ହଜାର ରୋହିଙ୍ଗ୍ୟା ନାଗରିକଙ୍କୁ ହତ୍ୟା କରିଥିଲେ। ମହିଳାଙ୍କ ସହ ଗଣଦୁଷ୍କର୍ମ ଓ ଅନ୍ୟାନ୍ୟ ଯୌନ ହିଂସା ହୋଇଥିବା ବେଳେ ଛୋଟ ପିଲାମାନେ ମଧ୍ୟ ଅତ୍ୟାଚାରରୁ ବର୍ତ୍ତି ନଥିଲେ। କେବଳ ସେତିକି ନୁହେଁ, ହିଂସାରୁ ବଞ୍ଚିବା ପାଇଁ ଗାଁ ଛାଡ଼ି ପଳାଉଥିବା ରୋହିଙ୍ଗ୍ୟାଙ୍କ ଉପରେ ମଧ୍ୟ ଗୁଳିମାଡ଼ ଓ ଆକ୍ରମଣ ହୋଇଥିଲା। ଅନେକ ଗାଁ ଓ ଘରକୁ ଜାଣିଶୁଣି ଧ୍ୱଂସ କରାଯାଇଥିବା କଥା ମଧ୍ୟ ଅଦାଲତ ଉଲ୍ଲେଖ କରିଛନ୍ତି।
ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ଛାଡ଼ିଥିଲେ ଦେଶ
୨୦୧୭ ଅଗଷ୍ଟରେ ରୋହିଙ୍ଗ୍ୟା ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ ପରେ ମିଆଁମାର ସେନା ଏହି ସାମରିକ ଅଭିଯାନ ଆରମ୍ଭ କରିଥିଲା। ସେନା ଏହାକୁ ଆତଙ୍କବାଦ ବିରୋଧୀ ଅଭିଯାନ ବୋଲି କହିଥିଲେ ମଧ୍ୟ ଏହା ପରେ ରୋହିଙ୍ଗ୍ୟା ସମ୍ପ୍ରଦାୟ ଉପରେ ବ୍ୟାପକ ଅତ୍ୟାଚାର ହୋଇଥିବା ଅଭିଯୋଗ ଆସିଥିଲା।ଏହି ହିଂସା ଯୋଗୁଁ ୭ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ନିଜ ଘରଦ୍ୱାର ଛାଡ଼ି ପଡ଼ୋଶୀ ଦେଶ ବାଂଲାଦେଶକୁ ପଳାଇଥିଲେ। ଆଜି ମଧ୍ୟ ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ନିଜ ଦେଶଠାରୁ ଦୂରରେ ରହିବାକୁ ବାଧ୍ୟ ହେଉଛନ୍ତି।
ଗାମ୍ବିଆ କରିଥିଲା ମାମଲା
ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଆଫ୍ରିକୀୟ ଦେଶ ଗାମ୍ବିଆ ୨୦୧୯ ରେ ମିଆଁମାର ବିରୋଧରେ ICJରେ ମାମଲା ଦାଏର କରିଥିଲା। ଗାମ୍ବିଆର ଅଭିଯୋଗ ଥିଲା ଯେ, ମିଆଁମାର ୧୯୪୮ର ନରସଂହାର ରୋକିବା ଓ ଦଣ୍ଡିତ କରିବା ସମ୍ମିଳନୀର ନିୟମ ଉଲ୍ଲଂଘନ କରିଛି। ଏହି ମାମଲାରେ ଗାମ୍ବିଆ ରୋହିଙ୍ଗ୍ୟାଙ୍କ ସୁରକ୍ଷା, ନ୍ୟାୟ ଏବଂ ଅତ୍ୟାଚାର ପାଇଁ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ମିଆଁମାର କ’ଣ କହିଥିଲା?
ମିଆଁମାର ନିଜ ଉପରେ ଲାଗିଥିବା ନରସଂହାର ଅଭିଯୋଗକୁ ଖାରଜ କରିଥିଲା। ସେନାର ଅଭିଯାନକୁ ଆତଙ୍କବାଦୀଙ୍କ ବିରୋଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇଥିଲା। କିନ୍ତୁ ICJ ଉପଲବ୍ଧ ପ୍ରମାଣ ଓ ଘଟଣାକ୍ରମକୁ ବିଚାର କରି ମ୍ୟାଁମାରକୁ ନରସଂହାର ପାଇଁ ଦାୟୀ କରିଛନ୍ତି। ଏହି ରାୟ ରୋହିଙ୍ଗ୍ୟା ସମ୍ପ୍ରଦାୟ ପାଇଁ ଦୀର୍ଘ ବର୍ଷର ନ୍ୟାୟ ଲଢ଼େଇରେ ଏକ ବଡ଼ ମୋଡ଼। ତେବେ ପୀଡ଼ିତଙ୍କୁ କ୍ଷତିପୂରଣ ଓ ଅନ୍ୟାନ୍ୟ ପ୍ରତିକାରର ପରିମାଣ ପରବର୍ତ୍ତୀ ପ୍ରକ୍ରିୟାରେ ନିର୍ଦ୍ଧାରଣ ହେବ।
source:prameya news


