ଏବେ EPFO ଆକାଉଣ୍ଟରେ ରଖିପାରି​‌ବେ ୧୦% ମିନିମମ୍ ବାଲାନ୍ସ, ପୂର୍ବରୁ କେତେ ରଖିବା ଥିଲା ବାଧ୍ୟତାମୂଳକ ?

ବ୍ୟବସାୟ

ନୂଆଦିଲ୍ଲୀ,୧୯।୧୧: କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପକ୍ଷରୁ PF ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଏବଂ ଆଶ୍ୱସ୍ତିଜନକ ଖବର। ଏଣିକି PF ଖାତାରେ ୨୫ ପ୍ରତିଶତ ଟଙ୍କା ରଖିବାର ବାଧ୍ୟତା କମି ୧୦ ପ୍ରତିଶତ ହେବ। ଅର୍ଥାତ୍‌ ନିୟମ ଅନୁଯାୟୀ ଯୋଗ୍ୟ PF ବାଲାନ୍ସରୁ ସର୍ବାଧିକ ୯୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇବାର ସୁଯୋଗ ମିଳିପାରିବ। ଏହା ସହ ଅବସର ପରେ ଏକାଥରକେ ସମସ୍ତ ଟଙ୍କା ଉଠାଇବା ପରିବର୍ତ୍ତେ କିସ୍ତିରେ ଟଙ୍କା ପାଇବା ପାଇଁ ସିଷ୍ଟମାଟିକ୍‌ ୱିଥଡ୍ରଅଲ୍‌ ପ୍ଲାନ୍‌ (SWP)କୁ ମଧ୍ୟ ଅନୁମୋଦନ ମିଳିଛି।

୧୦ ପ୍ରତିଶତ ରହିବ PF ଖାତାରେ

ନଭେମ୍ବର ୧୯ରେ ଅନୁଷ୍ଠିତ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ବୈଠକରେ PF ଟଙ୍କା ଉଠାଣ ସମ୍ପର୍କିତ ଏହି ପରିବର୍ତ୍ତନକୁ ମଞ୍ଜୁରି ମିଳିଥିବା ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ଆଂଶିକ ଟଙ୍କା ଉଠାଇବା ସମୟରେ ଖାତାରେ ଅତିକମରେ ୨୫ ପ୍ରତିଶତ ଟଙ୍କା ରଖିବାକୁ ପଡ଼ୁଥିଲା। ଏବେ ଏହି ସୀମା ୧୦ ପ୍ରତିଶତକୁ ହ୍ରାସ କରାଯିବାରୁ ଅଧିକ ଟଙ୍କା ଉଠାଇବାର ସୁଯୋଗ ମିଳିବ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ PF ଖାତାରେ ୧୦ ଲକ୍ଷ ଟଙ୍କା ଅଛି, ତେବେ ପୂର୍ବ ନିୟମ ଅନୁସାରେ ୨.୫ ଲକ୍ଷ ଟଙ୍କା ଖାତାରେ ରଖିବାକୁ ପଡ଼ୁଥିଲା। ନୂଆ ବ୍ୟବସ୍ଥା ଲାଗୁ ହେଲେ ମାତ୍ର ୧ ଲକ୍ଷ ଟଙ୍କା ରଖି ଅବଶିଷ୍ଟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇବା ସମ୍ଭବ ହେବ। ତେବେ ଏହା ନିର୍ଦ୍ଦିଷ୍ଟ ନିୟମ, ଯୋଗ୍ୟତା ଓ ଟଙ୍କା ଉଠାଣର କାରଣ ଉପରେ ନିର୍ଭର କରିବ।

ଅବସର ପରେ କିସ୍ତିରେ ମିଳିବ  ଟଙ୍କା

EPFOର ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ସିଷ୍ଟମାଟିକ୍‌ ୱିଥଡ୍ରଅଲ୍‌ ପ୍ଲାନ୍‌ (SWP)। ଏହି ବ୍ୟବସ୍ଥାରେ ଅବସର ପରେ କର୍ମଚାରୀଙ୍କୁ ନିଜର ସମସ୍ତ PF ଟଙ୍କା ଏକାଥରକେ ଉଠାଇବାକୁ ପଡ଼ିବ ନାହିଁ। ବରଂ ମାସିକ, ତ୍ରୈମାସିକ କିମ୍ବା ଅନ୍ୟ ନିର୍ଦ୍ଧାରିତ ଅବଧିରେ କିସ୍ତି ଆକାରରେ ଟଙ୍କା ପାଇବାର ବିକଳ୍ପ ରହିବ। ଏହାର ସବୁଠାରୁ ବଡ଼ ଲାଭ ହେଉଛି, ଯେଉଁ ଟଙ୍କା ତୁରନ୍ତ ଆବଶ୍ୟକ ନାହିଁ, ତାହା PF ଆକାଉଣ୍ଟରେ ରହିବ  ଏବଂ ନିୟମ ଅନୁସାରେ ସୁଧ ପାଇପାରିବେ।  

ପେନ୍‌ସନ୍‌ ବୃଦ୍ଧି ନେଇ କ’ଣ ହେଲା?

EPFO ବୈଠକକୁ ନେଇ EPS ପେନ୍‌ସନ୍‌ଧାରୀଙ୍କ ମଧ୍ୟରେ ମଧ୍ୟ ଆଶା ରହିଥିଲା। ବର୍ତ୍ତମାନ EPS ଅଧୀନରେ ସର୍ବନିମ୍ନ ମାସିକ ପେନ୍‌ସନ୍‌ ୧,୦୦୦ ଟଙ୍କା ରହିଛି। ଏହାକୁ ୩,୦୦୦ ଟଙ୍କା କରିବା ନେଇ ଆଲୋଚନା ହେବାର ଖବର ଆସିଥିଲା। ଅନ୍ୟପଟେ, ପେନ୍‌ସନ୍‌ଧାରୀ ସଂଗଠନଗୁଡ଼ିକ ଏହାକୁ ୭,୫୦୦ ଟଙ୍କାକୁ ବଢ଼ାଇବା ସହ ମହଙ୍ଗା ଭତ୍ତା ଦେବାକୁ ଦାବି କରୁଛନ୍ତି। ତେବେ ସର୍ବନିମ୍ନ ପେନ୍‌ସନ୍‌ ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା ସ୍ପଷ୍ଟ ସୂଚନା ମିଳିନାହିଁ।

ୱେଜ୍‌ ସିଲିଂ ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି

ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୬ରେ EPFOର ବାଧ୍ୟତାମୂଳକ ସଦସ୍ୟତା ପାଇଁ ୱେଜ୍‌ ସିଲିଂକୁ ମାସିକ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଥିଲା। ଏହା ଫଳରେ ୫୧ ଲକ୍ଷରୁ ଅଧିକ ଅତିରିକ୍ତ କର୍ମଚାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥାର ପରିସରକୁ ଆସିପାରିବେ ବୋଲି ଆକଳନ କରାଯାଇଛି।

source:prameya news


Related News