ଆଖି ଆଗରେ ଭାସୁଛି କି ଫ୍ଲୋଟର୍ସ ? ଏହା ପଛରେ କଣ ରହିଛି କାରଣ?

ଜୀବନ ଶୈଳୀ

ନୂଆଦିଲ୍ଲୀ ୧୯/୧୧: କେବେ ଆପଣଙ୍କ ସହ ଏମିତି ହୋଇଛି କି? ହଠାତ୍ ଆକାଶକୁ ଚାହିଁଲେ କିମ୍ବା କାନ୍ଥର ଧଳା ରଙ୍ଗକୁ ଦେଖିଲେ ଆଖି ଆଗରେ ଛୋଟ ଛୋଟ ଜିଆ ଆକୃତିର , ସୂତା କିମ୍ବା କଳା ବିନ୍ଦୁ ଭାସୁଥିବା ପରି ଲାଗେ , ଆପଣ ଏହାକୁ ଧରିବାକୁ କିମ୍ବା ଦେଖିବାକୁ ଚେଷ୍ଟା କଲେ ତାହା ଆଖି ସହିତ ଏପଟସେପଟ ଘୁରିଥାଏ । ଆଖି ପଲକ ପକାଇଲେ ମଧ୍ୟ ଏହା ଅଦୃଶ୍ୟ ହୁଏନାହିଁ। ଅନେକ ଲୋକଙ୍କୁ ଏଭଳି ଅନୁଭବ ହୋଇଥାଏ। କିନ୍ତୁ ଏହା କୌଣସି ପ୍ରକୃତ ଜୀବ ନୁହେଁ। ଏହାକୁ ଡାକ୍ତରୀ ଭାଷାରେ ଆଇ ଫ୍ଲୋଟର୍ସ (Eye Floaters) କୁହାଯାଏ।ଆମ ଆଖି ଭିତରେ ଏକ ସ୍ୱଚ୍ଛ ଜେଲି ଭଳି ପଦାର୍ଥ ରହିଛି। ଏହାକୁ ଭିଟ୍ରିଅସ୍ ହ୍ୟୁମର (Vitreous Humour) କୁହାଯାଏ। ଏହା ଆଖିର ଭିତର ଅଧିକାଂଶ ଅଂଶକୁ ପୂରଣ କରି ରଖିଥାଏ ଏବଂ ଆଖିର ଆକାର ବଜାୟ ରଖିବାରେ ସହାୟତା କରେ।ବୟସ ବଢ଼ିବା ସହିତ ଏହି ଜେଲି ଭଳି ପଦାର୍ଥରେ ପରିବର୍ତ୍ତନ ଆସିଥାଏ। ଏଥିରେ ଥିବା ଛୋଟ ଛୋଟ ତନ୍ତୁ ଏକାଠି ହୋଇ ଗୁଚ୍ଛ ସୃଷ୍ଟି କରନ୍ତି। ଯେତେବେଳେ ଆଲୋକ ଆଖି ଭିତରକୁ ପ୍ରବେଶ କରେ, ଏହି ଗୁଚ୍ଛଗୁଡ଼ିକ ଆଖିର ପଛପଟେ ଥିବା ରେଟିନା ଉପରେ ଛାଇ ପକାଇଥାନ୍ତି। ଏହି ଛାଇକୁ ହିଁ ଆମେ ଛୋଟ ଛୋଟ କଳା ବିନ୍ଦୁ, ଜିଆ କିମ୍ବା ସୂତା ଭଳି ଦେଖିଥାଉ।

ଆମେ ଯେତେବେଳେ ଆଖିକୁ ଏପଟସେପଟ କରୁ, ଆଖି ଭିତରେ ଥିବା ଏହି ଜେଲି ଭଳି ପଦାର୍ଥ ମଧ୍ୟ ହଲଚଲ କରିଥାଏ। ତେଣୁ ଏହି ଛୋଟ ଛୋଟ ଆକୃତିଗୁଡ଼ିକ ଆମ ଆଖି ଆଗରେ ଭାସୁଥିବା ପରି ଲାଗେ। ବିଶେଷ କରି ନୀଳ ଆକାଶ, ଧଳା କାନ୍ଥ, ଖାଲି କାଗଜ କିମ୍ବା ଅଧିକ ଆଲୋକ ଥିବା ସ୍ଥାନକୁ ଦେଖିବା ସମୟରେ ଏହା ଅଧିକ ସ୍ପଷ୍ଟ ହୋଇଥାଏ।ସାଧାରଣତଃ ବୟସ ବଢ଼ିବା ସହିତ ଆଇ ଫ୍ଲୋଟର୍ସ ଦେଖାଯିବାର ସମ୍ଭାବନା ବଢ଼ିଥାଏ। ତେବେ ଖାଲି ବୟସ୍କ ଲୋକଙ୍କ ପାଖରେ ଏହା ଦେଖାଯାଏ ତାହା ନୁହେଁ।ଅଧିକାଂଶ କ୍ଷେତ୍ରରେ ଆଇ ଫ୍ଲୋଟର୍ସ କୌଣସି ବଡ଼ ସମସ୍ୟା ନୁହେଁ। ଅନେକ ସମୟରେ ଏହା ନିଜେ ନିଜେ କମ୍ ଦେଖାଯାଏ ଏବଂ ଧୀରେ ଧୀରେ ଲୋକେ ଏହା ସହ ଅଭ୍ୟସ୍ତ ହୋଇଯାଆନ୍ତି, କିନ୍ତୁ କିଛି କ୍ଷେତ୍ରରେ ଏହା ଗୁରୁତର ଆଖି ସମସ୍ୟାର ସଙ୍କେତ ହୋଇପାରେ। ବିଶେଷ କରି ହଠାତ୍ ଆଖି ଆଗରେ ଅଧିକ ସଂଖ୍ୟାରେ କଳା ବିନ୍ଦୁ ଦେଖାଯିବା, ବାରମ୍ବାର ବିଜୁଳି ଚମକିବା ଭଳି ଆଲୋକ ଦେଖାଯିବା, ଆଖି ଆଗରେ କଳା ପରଦା ଘୋଡ଼ାଇ ହେବା ପରି ଲାଗିବା କିମ୍ବା ହଠାତ୍ ଦୃଷ୍ଟି ଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଗଲେ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ। ଏହା ରେଟିନାରେ ଛିଦ୍ର ବା ରେଟିନା ଅଲଗା ହୋଇଯିବା (Retinal Detachment) ଭଳି ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ। ଏଭଳି ସ୍ଥିତିରେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ସାଧାରଣ ଫ୍ଲୋଟର୍ସ ପାଇଁ ସବୁବେଳେ ଚିକିତ୍ସାର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ହଠାତ୍ ନୂଆ ଫ୍ଲୋଟର୍ସ ଦେଖାଦେଲେ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ରେଟିନା ପରୀକ୍ଷା କରାଇବା ଉଚିତ୍। ଆବଶ୍ୟକ ପଡ଼ିଲେ ଡାକ୍ତର ଆଖିର ପୁତଳିକୁ ବଡ଼ କରି ଭିତର ଅଂଶ ଯାଞ୍ଚ କରିପାରନ୍ତି। ତେଣୁ ଆଖି ଆଗରେ ଛୋଟ ଛୋଟ ଜିଆ କିମ୍ବା କଳା ବିନ୍ଦୁ ଭାସୁଥିବା ପରି ଦେଖାଗଲେ ଭୟଭୀତ ହୁଅନ୍ତୁ ନାହିଁ, କିନ୍ତୁ ଏହାକୁ ହାଲୁକା ଭାବେ ମଧ୍ୟ ନିଅନ୍ତୁ ନାହିଁ। କାରଣ ଆମ ଆଖି ଦେଖାଉଥିବା ଛୋଟ ଛୋଟ ସଙ୍କେତ ମଧ୍ୟ ବେଳେବେଳେ ବଡ଼ ସମସ୍ୟାର ସୂଚନା ଦେଇପାରେ।

source:prameya news


Related News