Satya Nadella AI warning : ସତ୍ୟ ନାଡେଲାଙ୍କ ବଡ଼ ଚେତାବନୀ , କହିଲେ ଏହା ଅର୍ଥନୀତି ଓ ଗଣତନ୍ତ୍ର ପ୍ରତି ବିପଦର ସଙ୍କେତ ଆଜିକାଲି ସବୁ କ୍ଷେତ୍ର

ବିଶେଷ

ନୂଆଦିଲ୍ଲୀ : ଆଜିକାଲି ସବୁ କ୍ଷେତ୍ରରେ କାମ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ର ବ୍ୟବହାର ବଢ଼ିବାରେ ଲାଗିଛି । କୋଡିଂ ଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ AI ତୁରନ୍ତ କରି ଦେଉଛି । ଅନେକ କମ୍ପାନୀରେ ମଣିଷର ସମ୍ପୂର୍ଣ୍ଣ କାମ AI ଦ୍ୱାରା କରାଯାଉଛି । ଏହି କାରଣରୁ ଏବେ ସାରା ବିଶ୍ୱର କର୍ମଜୀବୀ ଲୋକଙ୍କ ମନରେ ଏହି ଭୟ ସୃଷ୍ଟି ହୋଇଛି ଯେ ଆଗାମୀ ଦିନରେ ସେମାନଙ୍କ ଚାକିରିର ଅବସ୍ଥା କ’ଣ ହେବ । ଗୋଟିଏ ପଟେ ବଡ଼ ବଡ଼ କମ୍ପାନୀ AI ର ନୂଆ ନୂଆ ମଡେଲ୍ ଆଣୁଥିବା ବେଳେ, ଅନ୍ୟପଟେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି । ଚାଲନ୍ତୁ ଜାଣିବା AI କୁ ନେଇ ସତ୍ୟ ନାଡେଲା କେଉଁ ବଡ଼ ବିପଦ ବିଷୟରେ ସଙ୍କେତ ଦେଇଛନ୍ତି ।

ସାନ୍ ଫ୍ରାନ୍ସିସ୍କୋରେ ଆୟୋଜିତ ମାଇକ୍ରୋସଫ୍ଟ ଇଗ୍ନାଇଟ୍ ୨୦୨୬ (Microsoft Ignite 2026) ଇଭେଣ୍ଟ ପରେ ଏକ ଆଲୋଚନାରେ ସତ୍ୟ ନାଡେଲା AI ର ବଢ଼ୁଥିବା ପ୍ରଭାବ ଉପରେ ଖୋଲାଖୋଲି ନିଜ ମତ ରଖିଥିଲେ । ସେ କହିଥିଲେ - ଯଦି AI ବୃହତ ସ୍ତରରେ ମାନବ କର୍ମଚାରୀଙ୍କ ସ୍ଥାନ ନେଇଯାଏ, ତେବେ ଏହାର ପ୍ରଭାବ କେବଳ ଛଟେଇ ଏବଂ ବେକାରୀ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥନୀତି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ବିପଦରେ ପଡ଼ିଯିବ । ନାଡେଲାଙ୍କ ମତରେ, ଯେଉଁ ବ୍ୟବସ୍ଥାରେ କେବଳ ପୁଞ୍ଜି ଥିବ ଏବଂ କାମ କରୁଥିବା ମଣିଷ ନଥିବେ, ତାକୁ ଅର୍ଥନୀତି କୁହାଯାଇ ପାରିବ ନାହିଁ ।

ସେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ସବୁ କାମ କେବଳ ମେସିନ୍ କରିବାକୁ ଲାଗିବେ ଏବଂ ସାଧାରଣ ଲୋକଙ୍କ ହାତରୁ ରୋଜଗାର ଚାଲିଯିବ, ତେବେ କୌଣସି ଗଣତାନ୍ତ୍ରିକ ଦେଶରେ କୌଣସି ନେତା ନିର୍ବାଚନ ମଧ୍ୟ ଜିତି ପାରିବେ ନାହିଁ । ଯେତେବେଳେ ଅର୍ଥନୀତିରେ ନାଗରିକମାନଙ୍କ କୌଣସି ଅଂଶୀଦାରୀ ଏବଂ ସେମାନଙ୍କ କ୍ରୟ କ୍ଷମତା ରହିବ ନାହିଁ, ସେତେବେଳେ ଜନତା ଏଭଳି ବ୍ୟବସ୍ଥାକୁ କେବେ ବି ଗ୍ରହଣ କରିବେ ନାହିଁ । ନାଡେଲା ଏହି ବିପଦକୁ ବିଶ୍ୱାୟନର ସେହି ସମୟ ସହିତ ତୁଳନା କରିଛନ୍ତି, ଯେତେବେଳେ ଆଉଟସୋର୍ସିଂ ଯୋଗୁଁ ଅନେକ ଦେଶର ସ୍ଥାନୀୟ ଶିଳ୍ପ ଅର୍ଥନୀତି ଭିତରୁ ଯଥେଷ୍ଟ ଦୁର୍ବଳ ହୋଇଯାଇଥିଲା ।

ଗୋଟିଏ AI କମ୍ପାନୀର ଏକାଧିପତ୍ୟରୁ ବଢ଼ିପାରେ ଅସୁବିଧା

ଆଲୋଚନା ସମୟରେ ଯେତେବେଳେ ନାଡେଲାଙ୍କୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଆନ୍ଥ୍ରୋପିକ୍ (Anthropic) ର ନୂଆ ଅଫିସ୍ ଟୁଲ୍ସ ଏବଂ ବଜାରରେ ବଢ଼ୁଥିବା ପ୍ରତିଯୋଗିତା ବିଷୟରେ ପ୍ରଶ୍ନ ପଚରା ଗଲା, ସେତେବେଳେ ସେ ଫିଚର୍ସର ତୁଳନା କରିବା ପରିବର୍ତ୍ତେ AI ର ଏକାଧିପତ୍ୟର ବିପଦ ବିଷୟରେ କହିଥିଲେ । ସେ କହିଛନ୍ତି ଯେ , ପ୍ରକୃତ ଭୟ କୌଣସି ଗୋଟିଏ ସଫ୍ଟୱେର୍ କିମ୍ବା ଆପ୍ ର ନୁହେଁ, ବରଂ ବିପଦ ଏହି କଥାକୁ ନେଇ ଯେ, କେଉଁଠି ସାରା ବିଶ୍ୱର ଡିଜିଟାଲ୍ ଶକ୍ତି କେବଳ ଗୋଟିଏ କିମ୍ବା ଦୁଇଟି AI କମ୍ପାନୀ ହାତରେ ସୀମିତ ହୋଇ ନଯାଉ ।

ନାଡେଲାଙ୍କ ବିଶ୍ୱାସ ଯେ ଏକ ଉନ୍ନତ AI ମଡେଲ୍ କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସୀମା ନଥାଏ । ଏହା ଦେଖୁ ଦେଖୁ ହେଲଥ୍ କେୟାର, ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସିଆଲ୍ ସର୍ଭିସ୍ ଭଳି ବଡ଼ କ୍ଷେତ୍ର ଉପରେ କବଜା କରି ପାରେ ଏବଂ ଭବିଷ୍ୟତରେ ସରକାର ଚଳାଇବା ପର୍ଯ୍ୟନ୍ତ ଭୂମିକାରେ ଆସିପାରେ । ଯଦି ସାରା ବିଶ୍ୱର ମାନବୀୟ ଜ୍ଞାନ ଏବଂ ପରିଶ୍ରମ ସୀମିତ ହୋଇ କିଛି ନିର୍ଦ୍ଦିଷ୍ଟ AI ମଡେଲ୍ ପାଖକୁ ଚାଲିଯାଏ, ତେବେ ଅନ୍ୟ କମ୍ପାନୀ ଏବଂ ସେଥିରେ କାମ କରୁଥିବା କୋଟି କୋଟି ଲୋକଙ୍କ ଅସ୍ତିତ୍ୱ ହିଁ ବିପଦରେ ପଡ଼ିଯିବ ।

ଏହି ବଡ଼ ସଙ୍କଟରୁ ବଞ୍ଚିବା ପାଇଁ ସତ୍ୟ ନାଡେଲା ଟେକ୍ ଏବଂ କର୍ପୋରେଟ୍ ଜଗତକୁ ଏକ ନୂଆ ଫର୍ମୁଲା ମଧ୍ୟ ଦେଇଛନ୍ତି, ଯାହାକୁ ସେ ‘ଟୋକେନ୍ କ୍ୟାପିଟାଲ୍’ (Token Capital) ନାମ ଦେଇଛନ୍ତି । ନାଡେଲାଙ୍କ ମତରେ, ଏବେ ପ୍ରତ୍ୟେକ କମ୍ପାନୀ ପାଖରେ ନିଜ କର୍ମଚାରୀଙ୍କ ଦକ୍ଷତା ଅର୍ଥାତ୍ ହ୍ୟୁମାନ୍ କ୍ୟାପିଟାଲ୍ (Human Capital) ସହିତ ନିଜସ୍ୱ AI କ୍ଷମତା ମଧ୍ୟ ରହିବା ଉଚିତ । କୌଣସି ଗୋଟିଏ ବାହ୍ୟ AI କମ୍ପାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ପରିବର୍ତ୍ତେ କମ୍ପାନୀଗୁଡ଼ିକୁ ନିଜର ସୁଲଭ AI ମଡେଲ୍ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ନିଜ ଡାଟା ଉପରେ ନିଜେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ।

source:prameya news


Related News