Flower Market: ସଙ୍କୁଚିତ ହେଉଛି ବାଡ଼ି ବଗିଚା, ବଜାରରୁ ଦେଶୀ ଫୁଲ ଗାଏବ; କୋଲକାତା ଫୁଲ ଭରସାରେ ଠାକୁର ପୂଜା
ରାଉରକେଲା,୨୧/୧୧(ହିମାଂଶୁ ଗୌଡ଼): ରାଉରକେଲା ସହରରେ ୧୦୦ରୁ ଅଧିକ ଫୁଲ ଦୋକାନ । ବାରମାସୀ ଗେଣ୍ଡୁ, ଗୋଲାପ, ରଜନୀଗନ୍ଧାଠାରୁ ଆରମ୍ଭ କରି ଅନ୍ୟ ବିଦେଶୀ ପ୍ରଜାତିର ଫୁଲ ମିଳୁଛି । ହେଲେ ସବୁ ବାସି । କେଉଁ ଫୁଲ ଦୁଇଦିନର ତ ଆଉ କେଉଁ ଫୁଲ ଚାରି ଦିନର । କେମିକାଲ୍ ମାଡ଼ରେ ସବୁ ସତେଜ ଓ ଆଖିକୁ ସୁନ୍ଦର ଦିଶୁଛି । ଦିଅଁ ପୂଜାଠାରୁ ଆରମ୍ଭ କରି ସାଜସଜ୍ଜା, ବିବାହ, ଯାନଯାତ୍ରା, ପର୍ବପର୍ବାଣୀ ସବୁଠି ସେହି ବାସି ଫୁଲରେ କାମ ଚଳୁଛି । ଶିଳ୍ପ ସହରରେ ବଢୁଛି କଂକ୍ରିଟ୍ ଜଙ୍ଗଲ । ସଙ୍କୁଚିତ ହୋଇପଡୁଛି ବାଡ଼ିବଗିଚା । ଭଡ଼ାଘର, କ୍ୱାର୍ଟର୍ସରେ ଫୁଲଗଛ ଲଗାଇବା ଭଳି ଉପଯୋଗୀ ଜାଗା ନାହିଁ । ଘର ପାଚେରିକୁ ଲାଗି ଯଦି ବା କେହି ହାତଗଣତି ଗଛ ଲଗାଉଛି, ରାତି ପାହିଲା ବେଳକୁ ଗଛ ଖାଲି । ଫଳରେ ଦିନକୁ ୩୦-୪୦ ଟଙ୍କା କେବଳ ଫୁଲ କିଣାରେ ଯାଉଛି ।
ସୂଚନାଯୋଗ୍ୟ, ରାଉରକେଲା ସହରକୁ ବେଙ୍ଗାଲୁରୁ ଓ ରାଞ୍ଚିରୁ ଭଳିକି ଭଳି ଫୁଲ ଆସୁଛି । ମାତ୍ର କୋଲକାତା ଫୁଲ ଉପରେ ନିର୍ଭର କରୁଛି ସହର । ଗୋଟିଏ ଦିନ କୋଲକାତାରୁ ଫୁଲ ଆସିବା ବନ୍ଦ ହୋଇଗଲେ, ଦର ଆହୁରି ବଢ଼ିଯାଉଛି । କୋଲକାତାର ଭାସ୍କୁଡ଼ି ଓ ମେଚ୍ଛେଦରୁ ଗେଣ୍ଡୁ, ଗୋଲାପ ଓ ରଜନୀଗନ୍ଧା ଫୁଲ ସହରକୁ ଟ୍ରେନ୍ ଯୋଗେ ଆସିଥାଏ । କାଁ ଭାଁ ହାତଗଣତି ଦୋକାନୀ ବାଙ୍ଗାଲୋର, ରାଞ୍ଚିରୁ ଜେର୍ବେରା, ଅରଚିଟ୍, ବେଙ୍ଗାଲୁରୁ ଗୋଲାପ, ଜିପ୍ସି ଓ ଲିଲିଆମ୍ ଆଦି ଫୁଲ ଆଣିଥାନ୍ତି । ବିଦେଶୀ ଫୁଲର ଚାହିଦା ସେତେଟା ରହୁ ନ ଥିବାରୁ ବିବାହ ଋତୁ ଏବଂ ବରାଦକୁ ଛାଡ଼ି ଦେଲେ ସାଧାରଣତଃ ଏହା ମିଳୁନି ।
ଏବେ କୋଲକାତାରୁ ଆସୁଥିବା ଗେଣ୍ଡୁ ଫୁଲମାଳ ଗୋଟାକୁ ୫୦ଟଙ୍କା ବିକ୍ରି ହେଉଛି । ଛୋଟ ରଜନୀଗନ୍ଧା ମାଳ ୨୦ଟଙ୍କା ଓ ଗୋଲାପ ଫୁଲ ରଙ୍ଗ ଏବଂ ମାନ ଅନୁଯାୟୀ ୧୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ସହରରେ ଦିନକୁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଫୁଲ ବିକ୍ରି ହୋଇଥାଏ । ସିଜିନ୍ରେ ଏହା ଚାରିଗୁଣା ଯାଏ ପହଞ୍ଚୁଛି । କିନ୍ତୁ ବାଡ଼ିବଗିଚାରେ ମିଳୁଥିବା ମନ୍ଦାର, ମଲ୍ଲୀ, ଟଗର, ତରାଟ ଭଳି ଫୁଲ ବଜାରରେ ସ୍ୱପ୍ନ ହେଲାଣି । ସହର ଉପକଣ୍ଠରୁ ଦେଶୀ ପ୍ରଜାତିର ଫୁଲ ବଜାରକୁ ଆସୁଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଏପରି କି ମନ୍ଦାର ଗୋଟାକ ୧ରୁ ଦୁଇ ଟଙ୍କା, ମୁଠାଏ ଟଗର ଫୁଲ ୧୦ ଟଙ୍କାରେ ବିକ୍ରି ହେଉଛି । କାର୍ତ୍ତିକ ମାସରେ ମହାଦେବଙ୍କୁ ଲାଗି ହେଉଥିବା ଦୁଦୁରା, ଅରଖ ଭଳି ଫୁଲ ଅମୂଲମୂଲ ହୋଇଥିବା ଦେଖିବାକୁ ମିଳିଛି ।
ଦେଶୀ ଗେଣ୍ଡୁ ଦୁଇମାସରେ ଶେଷ
ଉଦ୍ୟାନ କୃଷି ବିଭାଗ ପକ୍ଷରୁ ନାରୀ ସଶକ୍ତୀକରଣ ଯୋଜନାରେ ନୂଆଗାଁ, ବିଶ୍ରା, ଲାଠିକଟା ଓ କୁଆରମୁଣ୍ଡାର ମହିଳା ଚାଷୀଙ୍କୁ ଗେଣ୍ଡୁଫୁଲ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ସେମାନଙ୍କୁ ଚାରା ସହ ହେକ୍ଟର ପିଛା ୧୦ ହଜାର ଟଙ୍କା ପ୍ରୋତ୍ସାହନ ଅର୍ଥ ଦିଆଯାଇଛି ।
ସିଜିନ୍ରେ ପ୍ରାୟ ୫ରୁ ୬ ଟନ୍ ଗେଣ୍ଡୁଫୁଲ ଉତ୍ପାଦନ ହେଉଛି । ଗତ ଆଥି ର୍କ ବର୍ଷରେ ୩୦ ଜଣ ମହିଳା ଚାଷୀ ଗେଣ୍ଡୁଫୁଲ ଚାଷ କରିଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିଛି । କେବଳ ନୂଆଗାଁ ବ୍ଲକରେ ୧୦ଜଣ ମହିଳା ଗେଣ୍ଡୁଫୁଲ ଚାଷ କରିଛନ୍ତି । ସେମାନଙ୍କଠାରୁ ଉତ୍ପାଦିତ ଫୁଲ ବଜାରକୁ ଆସିବା ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ, ଜିଲ୍ଲାର ମହିଳା ଚାଷୀମାନେ କରୁଥିବା ଗେଣ୍ଡୁ ଫୁଲ ଋତୁକାଳୀନ । ମାତ୍ର ଦୁଇମାସ ଏହା ଭରପୂର ମିଳେ । ହେଲେ ଶୀତ ସରି ଖରା ଆରମ୍ଭ ହେବା ବେଳକୁ ସରିଯାଏ । ତେଣୁ ପୁଣି କୋଲକାତା ଫୁଲ ଉପରେ ନିର୍ଭର କରିବାକୁ ପଡୁଛି । ଜିଲ୍ଲାରେ ଫୁଲ ଚାଷ ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି । ହେଲେ ଆବଶ୍ୟକ ପ୍ରୋତ୍ସାହନ, ପ୍ରଶିକ୍ଷଣ ଅଭାବରୁ ଚାଷୀ ଏଥିପ୍ରତି ବିଶେଷ ଆଗ୍ରହ ହେଉନାହାନ୍ତି । ଯାହା ଫଳରେ ସ୍ଥାନୀୟ ବଜାରକୁ ପଡ଼ୋଶୀ ରାଜ୍ୟର ବ୍ୟବସାୟୀ କବ୍ଜା କରି ରଖିଛନ୍ତି ।
source:prameya news


