SpiceJet Financial Crisis : ଋଣ ବୋଝରେ ସ୍ପାଇସ୍ଜେଟ୍, ପାଖରେ ମାତ୍ର ୧୩ ବିମାନ, ଉଡ଼ାଣ ଭରିବା ସ୍ଥିତିରେ ୧୦ରୁ କମ୍
ନୂଆଦିଲ୍ଲୀ, ୨୧/୧୧ : ୨୦୧୯ରେ ଦେଶର ସର୍ବବୃହତ୍ ଏୟାର୍ଲାଇନ୍ସ ଥିବା ସ୍ପାଇସ୍ଜେଟ ଅବସ୍ଥା ଖରାପ । ଏହା ପାଖରେ ଏବେ ମାତ୍ର ୧୩ଟି ବିମାନ ରହିଛି, ଯେଉଁଥିରୁ ୧୦ରୁ କମ୍ ଉଡ଼ାଣ ଭରିବା ସ୍ଥିତିରେ ଅଛି । ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ, ଋଣ ବୋଝରେ ଦବିରହିଛି ଏହି ବିମାନ କମ୍ପାନି । ଏ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ସ୍ପାଇସ୍ଜେଟ୍ର ପ୍ରତି ୫ରେ ଗୋଟିଏ ଉଡ଼ାଣ ବାତିଲ ହୋଇଛି । ଗତ ୯ ମାସରେ କମ୍ପାନିର ବଜାର ଅଂଶ ୩.୯%ରୁ ଖସି ୦.୬% ହୋଇଯାଇଛି ।
ଲଗାତର ବିମାନ ବାତିଲ ହେବା, ଉଡ଼ାଣରେ ବିଳମ୍ବ ଏବଂ ପରିଚାଳନାଗତ ତ୍ରୁଟିକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସ୍ଜେଟକୁ ନୋଟିସ ଜାରି କରିଛି । ନଭେମ୍ବର ୧୭ରେ ଜାରି ହୋଇଥିବା ନୋଟିସରେ ଏୟାର୍ଲାଇନ୍ସକୁ ବିମାନ ବିଳମ୍ବ ନେଇ ୭ ଦିନରେ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କମ୍ପାନି ଉପରେ ୪ ହଜାର କୋଟି ଟଙ୍କାରୁ ଅଧିକ ଋଣ ରହିଛି । ଲିଜ୍ରେ ବିମାନ ପ୍ରଦାନ କରିଥିବା କମ୍ପାନିଗୁଡ଼ିକୁ ପେମେଣ୍ଟ କରିବାରେ ବିଫଳ ହେବା ଯୋଗୁ ଅନେକ ବିମାନ ଫ୍ଲିଟ୍ରୁ ହଟିଯାଇଛି ଅବା ଅଚଳ ପଡ଼ିଛି । ଡିଜିସିଏ ୭ଟି ମାମଲାରେ ସ୍ପାଇସ୍ଜେଟକୁ ଜବାବ ମାଗିଛି । ଛୋଟ ସହରଗୁଡ଼ିକ ପାଇଁ ଧାର୍ଯ୍ୟ ଉଡ଼ାଣ ଚାଲୁ କରିନାହିଁ କମ୍ପାନି । ଏହା ୨୦୨୬ରେ କ୍ଷୁଦ୍ର ଏବଂ ଦୂରାନ୍ତ ସହରଗୁଡ଼ିକ ପାଇଁ ନିୟମ ମୁତାବକ ଉଡ଼ାଣ ସଂଚାଳନ କରିନାହିଁ । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଏହି ରୁଟ୍ରେ ବାରମ୍ବାର ନିୟମ ଭଙ୍ଗ ହୋଇଛି । ୱିଣ୍ଟର ସେଡ୍ୟୁଲରେ ପ୍ରତିଦିନ ୬୬ ଉଡ଼ାଣକୁ ମଞ୍ଜୁରୀ ଦିଆଯାଇଥିବା ସତ୍ତେ୍ୱ କମ୍ପାନି ପ୍ରାୟ ୧୫ଟି ଉଡ଼ାଣ ହିଁ ଭରିପାରିଛି । ଅର୍ଥାତ ମଞ୍ଜୁରୀ ସଂଖ୍ୟାର ପାଖାପାଖି ୨୩% ଉଡ଼ାଣ ହିଁ ସଂଚାଳନ ହୋଇଥିଲା । ସେହିଭଳି ଉଡ଼ାଣ ବାତିଲ ଏବଂ ବିଳମ୍ବ ହେବା ଦ୍ୱାରା ଯାତ୍ରୀମାନେ ସମସ୍ୟାର ସାମ୍ନା କରିଛନ୍ତି । ଯାତ୍ରୀଙ୍କ ସହାୟତା ପାଇଁ ପର୍ଯ୍ୟାପ୍ତ ସୁବିଧା ନ ଦିଆଯିବା ହେତୁ ଡିଜିସିଏ ପ୍ରଶ୍ନ ଉଠାଇଛି । ଡିଜିସିଏ ୨୦୨୬ ମେ’ ୧୧ରେ ସ୍ପାଇସ୍ଜେଟ ଉପରେ ଜରିମାନା ଲଗାଇଥିଲା । ଅନେକ ଥର ମନେ ପକାଯିବା ସତ୍ତ୍ଵେ କମ୍ପାନି ଏହାକୁ ପରିଶୋଧ କରିନାହିଁ ।
ଡିଜିସିଏ ଏୟାର୍ଲାଇନ୍ସର ଅନିବାର୍ଯ୍ୟ ବୀମା କଭରକୁ ଆଗକୁ ବଢ଼ାଇବା(ରିନ୍ୟୁଆଲ)କୁ ନେଇ ଅନିଶ୍ଚିତତା ପ୍ରକାଶ କରିଛି । କାରବାର ଜାରି ରଖିବା ପାଇଁ ଏହି ବୀମା ଜରୁରୀ ହୋଇଥାଏ । ବିଦେଶୀ ବିମାନ ଚଳାଚଳ ଏଜେନ୍ସିଗୁଡ଼ିକ ସ୍ପାଇସ୍ଜେଟ୍ର ଉଡ଼ାଣରେ ଗଡ଼ବଡ଼ିକୁ ନେଇ ଡିଜିସିଏ ଆଗରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଅଭିଯୋଗ ବିଦେଶରେ ସେବା ପ୍ରଦାନ କରୁଥିବା କମ୍ପାନିଗୁଡ଼ିକୁ ସମୟରେ ପେମେଣ୍ଟ ନ କରାଯିବା ସହ ଜଡ଼ିତ ।
ଏହାସହିତ ସ୍ପାଇସ୍ଜେଟ ନିୟମିତ ଅନ୍ତର୍ଜାତୀୟ ଉଡ଼ାଣ ଭରିବା ପାଇଁ ଜରୁରୀ ସର୍ତ୍ତ ପୂରଣ କରିନାହିଁ । ନିୟମ ଅନୁସାରେ, ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିବା ବିମାନ କମ୍ପାନିଗୁଡ଼ିକ ପାଖରେ ଅନ୍ୟୁନ ୨୦ଟି ବିମାନ ଅବା ମୋଟ କ୍ଷମତାର ୨୦%, ଯେଉଁଟି ଅଧିକ ହୋଇଥିବ ଘରୋଇ ଉଡ଼ାଣ ପାଇଁ ରହିଥିବା ଜରୁରୀ । ନଭେମ୍ବର ୧୯ରେ ସ୍ପାଇସ୍ଜେଟ୍ର ଠିକ୍ ସମୟରେ ଉଡ଼ାଣ ଭରିବା ହାର ମାତ୍ର ୨୫% ରହିଥିଲା । ସେହିଭଳି ଅନ୍ୟ ଭାରତୀୟ ଏୟାର୍ଲାଇନ୍ସଗୁଡ଼ିକରେ ଏହି ହାର ୮୦%ରୁ ଅଧିକ ଥିଲା । ଅର୍ଥାତ ସ୍ପାଇସ୍ଜେଟର ପ୍ରତି ୫ରୁ ଗୋଟିଏ ଉଡ଼ାଣ ହିଁ ଠିକ୍ ସମୟରେ ସମ୍ଭବ ହୋଇଛି । ଏସବୁ କାରଣଗୁଡ଼ିକ ଯୋଗୁ ଡିଜିସିଏ ସ୍ପାଇସ୍ଜେଟ ଉପରେ କଠୋର ହୋଇଛି ।
ଫେବ୍ରୁଆରୀରେ ଘରୋଇ ବଜାରରେ ସ୍ପାଇସ୍ଜେଟର ବଜାର ଅଂଶ ୩.୯% ଥିଲା, ଯାହା ଅଗଷ୍ଟରେ ଖସି ୧.୨% ହୋଇଯାଇଥିଲା ଏବଂ ସେପ୍ଟେମ୍ବରରେ ଏହା ୦.୬%କୁ ଆସିଯାଇଛି । ସେହିଭଳି ବିଏସ୍ଇରେ କମ୍ପାନିର ସେୟାର ପ୍ରାୟ ୫% ଖସି ୯.୭୪ ଟଙ୍କାକୁ ଆସିଯାଇଛି । ବିଏସ୍ଇ ବି ଡିଜିସିଏର ନୋଟିସକୁ ନେଇ ସ୍ପାଇସ୍ଜେଟକୁ ଜବାବ ମାଗିଛି । ନୋଟିସ ଜାରି ହେବାର ପରବର୍ତ୍ତୀ ଦିନ ଅର୍ଥାତ ନଭେମ୍ବର ୧୮ରେ କମ୍ପାନି ବୋର୍ଡ ନିଜର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ୫,୫୦୦ କୋଟି ଟଙ୍କା ସଂଗ୍ରହ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଡିଜିସିଏର ସେପ୍ଟେମ୍ବର ତଥ୍ୟ ଅନୁସାରେ, ସ୍ପାଇସ୍ଜେଟର ୨୦%ରୁ ଅଧିକ ନିର୍ଦ୍ଧାରିତ ଉଡ଼ାଣ ରଦ୍ଦ ହୋଇଛି । ସେହିଭଳି ମାତ୍ର ୧୬.୬% ବିମାନ ହିଁ ସମୟରେ ଉଡ଼ାଣ ଭରିଛି । ଏହି ସମୟରେ ପାଖାପାଖି ୩୬ ହଜାର ଯାତ୍ରୀଙ୍କୁ ଦୁଇ ଘଣ୍ଟାରୁ ଅଧିକ ବିଳମ୍ବର ସାମ୍ନା କରିବାକୁ ପଡ଼ିଛି । ସେହିଭଳି ୨୧,୭୦୦ ଯାତ୍ରୀ ଉଡ଼ାଣ ରଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।
source:prameya news


