Defence Deal: ଜାପାନରେ ଜାଗା ନାହିଁ, ଭାରତରେ ୧୦୦୦ କିମି ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷା କରିବ
ନୂଆଦିଲ୍ଲୀ,୨୧/୧୧; ଭାରତ ଓ ଜାପାନ ମଧ୍ୟରେ ରକ୍ଷା ସହଯୋଗରେ ବଡ଼ ପଦକ୍ଷେପ । ପ୍ରତିରକ୍ଷା ସମ୍ପର୍କକୁ ନୂଆ ଉଡ଼ାଣ । ଭାରତରେ ପ୍ରଥମ ଥର ମିସାଇଲ୍ ପରୀକ୍ଷା କରିବ ଜାପାନ । ଆସନ୍ତା ବର୍ଷଠୁ ଭାରତର ଫାୟାରିଙ୍ଗ ରେଞ୍ଜରେ ନିଜର ଲମ୍ବା ଦୂରଗାମୀ ମିସାଇଲଗୁଡ଼ିକର ପରୀକ୍ଷଣ କରିପାରିବ ଜାପାନ ସେନା । ଗୁରୁବାର ଦୁଇ ଦେଶ ମଧ୍ୟରେ ଟୋକିଓରେ ଆୟୋଜିତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ନେଇ ସହମତି ହୋଇଛି । ଜାପାନ ମୁଖ୍ୟତଃ ନିଜର ୧୦୦୦ କିମି କ୍ଷମତାସମ୍ପନ୍ନ ଟାଇପ୍-୨୫ ଆଣ୍ଟି ଶିପ୍ ମିସାଇଲ ଓ ଛୋଟ ଆକ୍ରାମକ ଡ୍ରୋନ୍ ପରୀକ୍ଷା କରିବାକୁ ଚାହୁଁଛି । କିନ୍ତୁ ଏଥିଲାଗି ଆବଶ୍ୟକ ଖାଲି ସ୍ଥାନ ନାହିଁ ।
ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶିଂଜିରୋ କୋଇଜୁମି କହିଛନ୍ତି, ଆସନ୍ତା ବର୍ଷ ଦେଶର ଆତ୍ମ ପ୍ରତିରକ୍ଷା ବାହିନୀ ପ୍ରଥମ ଥର ଭାରତର ଫାୟାରିଙ୍ଗ ରେଞ୍ଜର ଉପଯୋଗ କରିବ । ଏହା ରଣନୈତିକ ଦୃଷ୍ଟିରୁ ବଡ଼ ପଦକ୍ଷେପ । ଲମ୍ବା ଦୂରଗାମୀ ମସାଇଲ ପରୀକ୍ଷଣ ନିମନ୍ତେ ବିଶାଳ ଓ ସୁରକ୍ଷିତ ଫାୟାରିଙ୍ଗ କ୍ଷେତ୍ର ଆବଶ୍ୟକ । ମିସାଇଲ ଉତ୍କ୍ଷେପଣ ପରେ ତା’ର ପୂରା ମାର୍ଗ ଓ ସମ୍ଭାବ୍ୟ ପ୍ରଭାବଯୁକ୍ତ କ୍ଷେତ୍ର ଉପରେ ନଜର ରଖିବାକୁ ପଡ଼େ । ଏଭଳି ପରୀକ୍ଷଣ ନିମନ୍ତେ ସମୁଦ୍ରରେ ମଧ୍ୟ ପର୍ଯ୍ୟାପ୍ତ ଖାଲି ସ୍ଥାନ ଖୋଜିବାକୁ ପଡ଼େ, ଯାହା ଦ୍ୱାରା କୌଣସି ଜାହାଜ କିମ୍ବା ମାନବୀୟ ଗତିବିଧି ଉପରେ ବିପଦର ଆଶଙ୍କା ରହିବ ନାହିଁ । ସେହି ଦୃଷ୍ଟିରୁ ଭାରତ ପାଖରେ ଭଲ ସୁବିଧା ଅଛି । ଦେଶରେ ବିଶାଳ ସୈନ୍ୟ ପ୍ରଶିକ୍ଷଣ କ୍ଷେତ୍ର ଓ ସମୁଦ୍ରରେ ବଡ଼ ଅପରେସନ୍ ସ୍ଥଳୀ ଉପଲବ୍ଧ । ଭାରତ ଓ ଜାପାନ ମଧ୍ୟରେ ସହଯୋଗ କେବଳ ମିସାଇଲ ପ୍ରଶିକ୍ଷଣରେ ସୀମିତ ରହିବନି । ରକ୍ଷା ଟେକ୍ନୋଲୋଜି ଓ ସୈନ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ଏକାଠି ଆଗକୁ ବଢୁଛନ୍ତି ।
ଏଥିସହ ଦୁଇ ଦେଶ ୟୁନିକର୍ନ ଷ୍ଟିଲ୍ଥ ନାଭାଲ ମାଷ୍ଟ ସିଷ୍ଟମ୍ର ପ୍ରକଳ୍ପକୁ ଖୁବ୍ଶୀଘ୍ର ଚୂଡ଼ାନ୍ତ ରୂପ ଦେବାକୁ ଯାଉଛନ୍ତି । ‘ଡିଜାଇନ୍ ୱିଥ୍ ଜାପାନ, ମେକ୍ ଇନ୍ ଇଣ୍ଡିଆ’ ଅନ୍ତର୍ଗତ ଫେବ୍ରୁଆରୀ ୨୦୨୭ ସୁଦ୍ଧା ଭାରତ ପକ୍ଷରୁ ଆବଶ୍ୟକ ଅନୁମତି ଖୁବ୍ଶୀଘ୍ର ମିଳିବାର ଆଶା ରହିଛି । ୟୁନିକର୍ନ ଏକ ଏଭଳି ସ୍ୱତନ୍ତ୍ର ଆଣ୍ଟିନା ସିଷ୍ଟମ୍, ଯେଉଁଥିରେ ଯୁଦ୍ଧଜାହାଜରେ ଭିନ୍ନ ଭିନ୍ନ ସ୍ଥାନରେ ଲାଗିଥିବା ଅନେକ ଆଣ୍ଟିନା ଓ ସଂଚାର ଉପକରଣକୁ ଗୋଟିଏ ଉଚ୍ଚ ଢାଞ୍ଚା (ମାଷ୍ଟ)ରେ ଲଗାଯାଏ । ଏହାକୁ ଜାପାନ ବିକଶିତ କରିଛି । ଭାରତ ମଧ୍ୟ ଏହାକୁ ନିଜ ନୌସେନା ଜାହାଜରେ ଲଗାଇବା ପାଇଁ ଜାପାନ ସହ ମିଶି ବିକାଶ କରିବାକୁ ଯାଉଛି ।
source:prameya news


