Gold Price Dropped: ମାସକରେ କମିଲାଣି ୨୧ ହଜାର...ସୋ ରୁମ୍ରେ ଜମିଲାଣି ଭିଡ଼, ଅଚାନକ କାହିଁକି ଖସୁଛି ସୁନା ଦର ?
ନୂଆଦିଲ୍ଲୀ,୨୧/୧୧; ବର୍ଷକର ସବୁଠୁ ନିମ୍ନ ସ୍ତରକୁ ଖସି ଆସିଛି ସୁନା । ଲଗାତର ସୁନା ଏବଂ ରୁପା ଦର ଖସି ଚାଲିଛି । ନିଜର ନିଜର ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ଉଭୟ ଧାତୁ । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ରାସ ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୫,୧୦୦ ଟଙ୍କା ଏବଂ ୧,୨୫,୫୭୦ ଟଙ୍କାକୁ ଖସିଆସିଛି । ଏଥିସହ ସୁନା ବର୍ଷକର ସବୁଠୁ ନିମ୍ନ ସ୍ତରକୁ ଖସିଆସିଛି ।
ଗତବର୍ଷ ନଭେମ୍ବର ୨୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୨୩,୩୦୮ ଟଙ୍କାରେ ଥିଲା । ତେବେ ଚଳିତବର୍ଷର ସର୍ବୋଚ୍ଚ ସ୍ତରରୁ ୫୩୦୦୦ ଟଙ୍କା ଖସିଛି ଦର । ସମ୍ପ୍ରତି ୧୮ କ୍ୟାରେଟ ସୁନା ୯୪,୦୦୦ ଟଙ୍କାକୁ ଖସି ଆସିଛି । ୧୦ ଗ୍ରାମ ପିଛା ଏହା ୩୮୪୦ ଟଙ୍କା ହ୍ରାସ ପାଇ ୯୪,୧୮୦ ଟଙ୍କାକୁ ଆସିଯାଇଛି । ସେହିଭଳି କିଲୋଗ୍ରାମ ପିଛା ରୁପା ୫୦୦୦ ଟଙ୍କା ଶସ୍ତା ହୋଇ ୧,୭୫,୦୦୦ ଟଙ୍କା ହୋଇଛି । ନଭେମ୍ବର ୧୧ରୁ ୩୦,୦୦୦ ଟଙ୍କା ଖସିଲାଣି ରୁପା ଦର । ଚଳିତବର୍ଷ ଏହା ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବି ଚାଲିଯାଇଥିଲା । ବର୍ତ୍ତମାନ ଯେଉଁଭଳି ଭାବେ ଦର ଖସିଚାଲିଛି ଗ୍ରାହକଙ୍କ ମଧ୍ୟରେ ଭଲ ଉତ୍ସାହ ଦେଖିବାକୁ ମିଳିଛି । କମ୍ ଦରରେ ସୁନା ହାତେଇବା ପାଇଁ ସୋ’ ରୁମ ମୁହାଁ ଲୋକେ ।
ବିବାହ ଋତୁ ଥିବାବେଳେ କମ୍ ଦରରେ ଆଡ୍ଭାନ୍ସ ବୁକିଂ କରୁଛନ୍ତି ଗ୍ରାହକ । ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ସୋ’ରୁମକୁ ଗ୍ରାହକଙ୍କ ଆଗମନ ଭଲ ବଢୁଛି । ଲୋକେ ବହୁ ସଂଖ୍ୟାରେ ଆସି କିଣାକିଣି କରୁଛନ୍ତି । ଆଗକୁ ବିବାହ ଋତୁ ରହିଛି । ଏହାକୁ ଧ୍ୟାନରେ ରଖି ମଧ୍ୟ ଲୋକେ କମ୍ ଦରରେ ଆଗୁଆ କିଣାକିଣି କରୁଛନ୍ତି । ବିବାହ ଗହଣା ସହ ହାଲୁକା ଗହଣା ଭଲ ବିକ୍ରି ହେଉଛି । ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଇଂ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଏବେ ସୁନା ଦର ରେକର୍ଡ ନିମ୍ନ ସ୍ତରକୁ ଖସିଥିବାରୁ ଆମର ସବୁ ସୋ’ରୁମରେ ଆଖିଦୃଶିଆ ଭିଡ଼ ଦେଖାଯାଉଛି । ଦର ହ୍ରାସର ଫାଇଦା ନେବା ସହ ଆଗକୁ ବିବାହ ଋତୁ ପାଇଁ ଲୋକେ ଗହଣା କିଣିବାକୁ ବେଶ୍ ଆଗ୍ରହ ଦେଖାଉଛନ୍ତି ।
ଶୁକ୍ରବାର ସକାଳ ୯ଟାରେ ଭୁବନେଶ୍ୱରରେ କେତେକ ଗହଣା ଦୋକାନ ଖୋଲିଯାଇଥିଲା ଏବଂ ଲୋକଙ୍କ ଭିଡ଼ ଧୀରେ ଧୀରେ ବଢ଼ିଥିଲା । ସାଧାରଣ ଦିନରେ ଧନ୍ତେରସ ଭଳି ଅନୁଭବ ହୋଇଥିଲା । ନିବେଶ ଫାର୍ମ ୱାଲେଟ ଫର୍ ୱେଲ୍ଥର ଏମ୍ଡି ତ୍ରିନାଥ ଲେଙ୍କା କହିଛନ୍ତି, ଆମେରିକା ଡଲାର ଦୃଢ଼ ହେବା, ଫେଡେରାଲ ରିଜର୍ଭର ସୁଧହାର ବୃଦ୍ଧି ସମ୍ଭାବନା, ପ୍ରଫିଟ୍ ବୁକିଂ ଭଳି ପ୍ରମୁଖ କାରଣ ଯୋଗୁ ସୁନା ଦର କମୁଛି । ସୁନା ଓ ରୁପା ଦରରେ ବିଶ୍ୱ ବଜାରର ଚାପ ରହିଛି । ରୁପା ଉପରେ ଚାପ ବେଶି ରହିଛି । ବର୍ତ୍ତମାନର ଦର ହ୍ରାସକୁ ନିବେଶକମାନେ ସର୍ବନିମ୍ନ ସ୍ତର ବୋଲି ଧରି ନେବା ଉଚିତ ହେବନି । ପୋର୍ଟଫୋଲିଓର ବିବିଧିକରଣ ଲୋଡ଼ା । ମୂଲ୍ୟ ସବୁଠୁ କମ୍ ରହିବ ବୋଲି ପୂର୍ବାନୁମାନ କରିବା ଅପେକ୍ଷା ଶୃଙ୍ଖଳିତ ଆସେଟ ଆଲୋକେସନ ଅଧିକ ଜରୁରୀ ।
ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍(ଆଇବିଜେଏ) ଅନୁସାରେ, ଶୁକ୍ରବାର ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୫,୯୪୭ ଟଙ୍କା ଖସି ୧.୨୩ ଲକ୍ଷ ଟଙ୍କାକୁ ଆସିଯାଇଛି । ଏହି ହ୍ରାସ ସହିତ ସୁନା ପ୍ରାୟ ବର୍ଷକର ସର୍ବନିମ୍ନ ସ୍ତରକୁ ଆସିଯାଇଛି । ଅନ୍ୟପକ୍ଷରେ, ଜାତୀୟ ସ୍ତରରେ କିଲୋଗ୍ରାମ ପିଛା ରୁପା ୯,୭୮୯ ଟଙ୍କା ଖସି ୧.୫୦ ଲକ୍ଷ ଟଙ୍କା ହୋଇଛି । ଏ ବର୍ଷ ଉଭୟ ଧାତୁ ଦରରେ ଲଗାତର ଉତ୍ଥାନ ପତନ ଦେଖିବାକୁ ମିଳୁଛି । ୨୦୨୫ ଡିସେମ୍ବର ୩୧ରେ ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଜାନୁଆରୀ ୨୯ରେ ବଢ଼ି ୧.୭୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏଥିସହିତ ଦର ୫୩,୦୦୦ ଟଙ୍କା ଖସିଛି । ଅର୍ଥାତ ଧାତୁ ପ୍ରାୟ ୩୦% ଶସ୍ତା ହୋଇଛି । ୨୦୨୫ ଡିସେମ୍ବର ୩୧ରେ ଜାତୀୟ ବଜାରରେ କିଲୋ ପିଛା ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା । ସେବେଠୁ ଏଯାବତ ରୁପା ପାଖାପାଖି ୬୦% ଶସ୍ତା ହୋଇଛି ।
source:prameya news


