Odisha Doctors Suspended / ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଡାକ୍ତର ନିଲମ୍ବିତ, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନିର୍ଦ୍ଦେଶନାମା
ଶୃଙ୍ଖଳା ଭଙ୍ଗ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତିନି ଜଣ ଡାକ୍ତରଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତିନି ଜଣ ମେଡିକାଲ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ପୃଥକ ପୃଥକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସିଏଚ୍ସିର ମେଡିକାଲ ଅଫିସର ଡା. ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗଜଳବାଡ଼ି ପିଏଚ୍ସିର ମେଡିକାଲ ଅଫିସର ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ଡିଏଚ୍ର ମେଡିକାଲ ଅଫିସର ଡା. ସୁପ୍ରକାଶ ଦାସ ।
ବିଭାଗୀୟ ସୂଚନା ଅନୁଯାୟୀ, ଡା. ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନଧିକୃତ ମନ୍ତବ୍ୟ ଦେଇଥିବାରୁ ବିଭାଗ ଏହି ପଦକ୍ଷେପ ନେଇଛି ।
ଅନ୍ୟପକ୍ଷରେ, ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ବିରୋଧରେ ବାତ୍ୟା ‘ଅର୍ଣ୍ଣବ’ ସମୟରେ ବିନା ଅନୁମତିରେ ଛୁଟିରେ ରହିବା ଅଭିଯୋଗ ରହିଛି । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ସମୟରେ ମଧ୍ୟ ସେମାନେ ଅନୁପସ୍ଥିତ ଥିବା ଦର୍ଶାଯାଇଛି ।
ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ ୧୨ ଅନୁଯାୟୀ, ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ବିଚାରାଧୀନ ଥିବାରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି ।
ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିବ । ସେହିପରି ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ବ୍ରହ୍ମପୁର ସିଟି ହସ୍ପିଟାଲ ନିର୍ଦ୍ଧାରଣ କରାଯାଇଛି । ନିଲମ୍ବନ ଅବଧିରେ କୌଣସି ଡାକ୍ତର କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।
source:argus news


