Odisha Heritage Sites: ଅସୁରକ୍ଷିତ, ଅବହେଳିତ ଓ ଅଣସଂରକ୍ଷିତ ଆମ ଐତିହ୍ୟ, କୋଟି କୋଟି ମଞ୍ଜୁର, ବିକାଶରେ ଗଛ ଉଠିଗଲାଣି

ବିଶେଷ

ଭୁବନେଶ୍ୱର,୨୧/୧୧(ମନୋରଞ୍ଜନ ମହାନ୍ତି): ଶ୍ରୀଲିଙ୍ଗରାଜଙ୍କ ଉତ୍ତର ଦ୍ୱାରରେ ଗୋଟିଏ ଐତିହ୍ୟ କୂଅ ଅଛି । ସେ କୂଅ କି କ’ଣ ଜଣାପଡ଼ୁନି । ତା’ ଉପରେ ଗଛ ଉଠିଯାଇଛି। ସେମିତି ପଥୁରିଆ ବଡ଼ୁ ସାହି ରାସ୍ତାରେ ଥିବା ମନ୍ଦିର ମୁହଁରେ ପାଇଖାନା । ଏହାଛଡ଼ା ଅଧାଭଙ୍ଗା କପିଳା ମଠ କୁହନ୍ତୁ କି ସପ୍ତଋଷି ସମାଧି ସବୁଠି ଗଛ ମାଡ଼ିଗଲାଣି । ଏଣେ ଡ୍ରେନ୍ ଭିତରେ ସ୍ୱର୍ଣ୍ଣଜଳେଶ୍ୱର ଓ ସମ୍ପୂର୍ଣ୍ଣଜଳେଶ୍ୱର ।

ଏ ତ ଆମ ଏକାମ୍ର କ୍ଷେତ୍ରର କଥା । ସାରା ରାଜ୍ୟରେ ଶହ ଶହ ବର୍ଷର ୧୨୦୦୦ରୁ ଅଧିକ ଐତିହ୍ୟ ଅନାଲୋଚିତ ହୋଇ ଅସୁରକ୍ଷିତ, ଅବହେଳିତ ଓ ଅଣସଂରକ୍ଷିତ ଭାବେ ପଡ଼ିରହିଛି । ଯାହା କଥା ବୁଝିବାକୁ ନୀତି ନାହିଁ କି ନେତା ନାହାନ୍ତି । ଯୋଜନାରେ ସଂରକ୍ଷଣ ଚାଲିଛି । ଚିତ୍ର କହୁଛି ଐତିହ୍ୟ ମୁହଁମାଡ଼ି ପଡ଼ିଛି ।

ଅସୁରକ୍ଷିତ ଆମ ମଠ, ପୀଠ ଓ ଆମ ଐତିହ୍ୟ । ମନ୍ଦିର, ସ୍ମାରକୀ, ସମାଧି ଓ ସାଧନାର ପୀଠ । ଗୁମୁରି କାନ୍ଦୁଛି ପାହାଡ଼ର ଗୁମ୍ଫା । ଆବର୍ଜନାରେ ପରିପୂର୍ଣ୍ଣ ଐତିହ୍ୟ କୁଣ୍ଡ । ଆଇସିୟୁରେ ଶେଷ ନିଃଶ୍ୱାସ ନେଉଛି ଜରାଜୀର୍ଣ୍ଣ କୀର୍ତ୍ତିରାଜି । ବଜେଟ୍‌ରେ କୋଟି କୋଟି ମଞ୍ଜୁର ହେଉଛି । କିନ୍ତୁ ଖର୍ଚ୍ଚ ହୋଇନପାରି ଫେରୁଛି । ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ, ବିଭାଗ ଖୋଲୁଛି । କେତେ କ’ଣ ଯୋଜନା ସହ ଏମ୍ଓୟୁ ହେଉଛି । ‘ଓଡ଼ିଆ ପକ୍ଷ’ରେ ଐତିହ୍ୟ ପଦଯାତ୍ରା, ‘ବିଶ୍ୱ ଐତିହ୍ୟ ଦିବସ’ରେ ଶପଥ ଏବଂ ‘ବିଶ୍ୱ ଐତିହ୍ୟ ପକ୍ଷ’ରେ ସଚେତନତା । ହେଲେ ବିକାଶର ବାସ୍ତବତା ଭିନ୍ନ ।

ବିଶ୍ୱ ପ୍ରସିଦ୍ଧ ଉତ୍କଳୀୟ କାରୁକାର୍ଯ୍ୟରେ ଖଚିତ ମନ୍ଦିରର ଲାଲ ମାଟିଆ ରଙ୍ଗର ପଥରରେ ଶିଉଳି ଚଢ଼ି କାଳିଆ ଦିଶୁଛି । ପୁଣି କେଉଁ ପାଶ୍ୱର୍ ଦେବତାଙ୍କ ମୁହଁ ନାହିଁ ତ କେଉଁ ସିଂହର ମୁଣ୍ଡ । କାହାର ଚୁଳରେ ତ କାହାର ପିଢ଼ରେ ଅନାବନା ଗଛ । ବର, ଓସ୍ତ ଭଳି ମହାଦ୍ରୁମ ବି ଶାଖା ମେଲାଇଛନ୍ତି । ପବିତ୍ର କୁଣ୍ଡ ଓ ପୁଷ୍କରିଣୀର ହାଲ୍ ବିନ୍ଦୁସାଗର ପରି ବେହାଲ । ବହୁ ମନ୍ଦିରରେ ଠାକୁରଙ୍କ ସ୍ଥାନରେ ପଡ଼ିଛି ଆପତ୍ତିଜନକ ସାମଗ୍ରୀ ।

ଗବେଷକଙ୍କ ମତ ଓଡ଼ିଶାରେ ଚିହ୍ନଟ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରୁଥିବା ୩୦୦୦ରୁ ଅଧିକ ମନ୍ଦିର ଓ ସ୍ମାରକୀ ରହିଛି । କିନ୍ତୁ କେବଳ ୨୯୫ଟିକୁ ରାଜ୍ୟ ଓ କେନ୍ଦ୍ର ସରକାର ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛନ୍ତି । ୨୧୩ଟି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଓ ୮୨ଟି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସ୍ଆଇ) ଅଧୀନରେ ରହିଛି । ପ୍ରଶ୍ନ³ ଏତେ ସ୍ମାରକୀ ଥାଉ ଥାଉ ମାତ୍ର ୨୯୫ଟି କାହିଁକି? ବାକିଗୁଡ଼ିକୁ କେବେ ସରକାର ଗୁରୁତ୍ୱ ଦେବେ? ନା’ ମାଟିରେ ମିଶିବାକୁ ଛାଡ଼ିଦେବେ ।

ଗତ ବିଧାନସଭା ଅଧିବେଶନରେ ରାଜ୍ୟରେ ପ୍ରାଚୀନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା ହୋଇଥିଲା । କାରଣ ୨୦୨୪-୨୫ ଆର୍ଥିକ ବର୍ଷରେ ଐତିହ୍ୟ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ମିଳିଥିବା ୧୫ କୋଟି ଖର୍ଚ୍ଚ ନହୋଇ ଫେରିଯାଇଥିଲା । ପୁଣି ୨୦୨୫ ୨୬ରେ ସରକାର ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୧୫ କୋଟି ଏବଂ ସ୍ମାରକୀ, ପ୍ରତିମୂତ୍ତି ର୍ ସ୍ଥାପନ ପାଇଁ ୧୦ କୋଟି ଟଙ୍କା ବରାଦ କରିଥିଲେ । ସରକାର ତଥ୍ୟ ରଖିଥିଲେ, ଚଳିତ ଆର୍ଥିକ ବର୍ଷରେ ସଂରକ୍ଷିତ ସ୍ମାରକୀଗୁଡ଼ିକର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୭ କୋଟି ଟଙ୍କା ଏବଂ ସଂରକ୍ଷିତ ତଥା ଅଣସଂରକ୍ଷିତ ଉଭୟ ପ୍ରକାରର ସ୍ମାରକୀ ପାଇଁ ୧୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଗତ ଆର୍ଥିକ ବର୍ଷରେ ସଂରକ୍ଷିତ ସ୍ମାରକୀଗୁଡ଼ିକ ପାଇଁ ୫ କୋଟି ଟଙ୍କା ଏବଂ ସଂରକ୍ଷିତ ତଥା ଅଣସଂରକ୍ଷିତ ଉଭୟ ପ୍ରକାରର ସ୍ମାରକୀର ରକ୍ଷଣାବେକ୍ଷଣ ପାଇଁ ୧୦.୯ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ଏଥିସହ ପ୍ରାଚୀନ ସ୍ମାରକୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ କରାଯାଉ ନାହିଁ ବୋଲି ଯେଉଁ ଅଭିଯୋଗ ହୋଇଥିଲା ତାକୁ ସରକାର ଖଣ୍ଡନ କରିଥିଲେ । ଏବେ ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍‌ରେ ଟାଞ୍ଜିବୁଲ୍ ଓ ଇନ୍‌ଟାଞ୍ଜିବୁଲ୍ ଐତିହ୍ୟ (କଳା, ସଂସ୍କୃତି ଓ ଐତିହ୍ୟ)ର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପାଇଁ ୮ କୋଟି ମଞ୍ଜୁର କରିଛନ୍ତି ।

ବର୍ତ୍ତମାନ ନଭେମ୍ବର ୧୯ ରୁ୨୫ ପର୍ଯ୍ୟନ୍ତ ‘ବିଶ୍ୱ ଐତିହ୍ୟ ପକ୍ଷ’ ଚାଲିଛି । ସମସ୍ତେ ସଚେତନତା ସହ ସୁରକ୍ଷା, ସଂରକ୍ଷଣ ପାଇଁ ଶପଥ ନେଉଛନ୍ତି । କିନ୍ତୁ ଏଠି ସ୍ମାରକୀ ସମାଧି ନେବାକୁ ବସିଲାଣି ।

source:prameya news


Related News