Puri Panchuka: ମହାପ୍ରଭୁଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ, ଭିତର କାଠ ଦର୍ଶନ ମିଳିଲାନି..
ପୁରୀ,୨୨\୧୧: ଉଠିଲେ ଶ୍ରୀହରି ଉଠିଲେ ତାଙ୍କ ଭକ୍ତ । ଶ୍ରୀମନ୍ଦିରରେ ହରି ଉତ୍ଥାପନ ନୀତି ସହ ମହାପ୍ରଭୁଙ୍କ ଅମୃତ ଦୃଷ୍ଟି ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଛି । ଶନିବାର ପଞ୍ଚୁକର ଆରମ୍ଭ ଦିନ ଏଥିନିମନ୍ତେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଦୂରଦୂରାନ୍ତରୁ ଲକ୍ଷାଧିକ ଭକ୍ତ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ । ବାତ୍ୟା ଟଳିଯିବା ପରେ ହବିଷ୍ୟାଳି ମଧ୍ୟ ଶିବିରରୁ ୨ ଦିନ ପରେ ବାହାରି ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଲମ୍ବା ଧାଡ଼ି ସକାଳୁ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁଙ୍କୁ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମିଳିଥିଲା ।
ସେପଟେ ଭିଡ଼କୁ ଲକ୍ଷ୍ୟରେ ରଖି ପ୍ରଶାସନ ପଞ୍ଚୁକ ଚାରିଦିନ ଭିତର କାଠ ଦର୍ଶନ ବନ୍ଦ କରିଦେଇଥିବାରୁ କାଳିଆ ସାଆନ୍ତକୁ ପାଖରୁ ଅଖି ପୂରାଇ ଦେଖିବାରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି । ଠେଲାପେଲା ଭିତରେ ସେମାନେ ବାହାର କାଠ ଠାରୁ କଳା ନୟନରେ ଆଖି ମିଶାଇ ଫେରିଛନ୍ତି । ଗୋଟିଏ ଝଲକ ଦର୍ଶନ ନିମନ୍ତେ ଘଣ୍ଟା ଘଣ୍ଟା ଅପେକ୍ଷାରତ ଅନେକ ବୃଦ୍ଧବୃଦ୍ଧା ନିରାଶ ହୋଇ ଫେରିଥିଲେ । ପଞ୍ଚୁକର ପ୍ରଥମ ଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଇଥିଲେ ଦାରୁବ୍ରହ୍ମମାନେ । ଚଳିତ ବର୍ଷ ଦ୍ୱାଦଶୀ ତିଥି କ୍ଷୟ ଯୋଗୁଁ ୫ ଦିନ ପରିବର୍ତ୍ତେ ୪ ଦିନ ପାଳିତ ହେଉଛି ପଞ୍ଚୁକ ବ୍ରତ । ପ୍ରତ୍ୟୁଷ ୪ଟା ୪୦ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା । ଦିନ ୯.୩୫ ବେଳକୁ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଇଥିଲେ । ପ୍ରଥମ ଭୋଗମଣ୍ଡପ ସରିବା ବେଳକୁ ଦିନ ୩ ଟା ୧୫ ହୋଇଥିଲା । ଦ୍ୱିତୀୟ ଭୋଗ ମଣ୍ଡପ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପରେ ବାହାରିଥିଲା । ଫଳରେ ବରାଦି ମହାପ୍ରସାଦ ପାଇବା ନିମନ୍ତେ ଶ୍ରଦ୍ଧାଳୁ ହନ୍ତସନ୍ତ ହୋଇଥିଲେ । ଏହା ଶ୍ରୀମନ୍ଦିର ଭିତରେ ବହୁ ଘଣ୍ଟା ଭିଡ଼ ବଢ଼ାଇଥିଲା ।
ସେପଟେ ଏକାଦଶୀରେ ସଂକଳ୍ପ କରି ପଞ୍ଚୁକ ବ୍ରତ ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ବାତ୍ୟା ଟଳିବା ସହ ଦୀର୍ଘ ଦୁଇ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବ ବିହ୍ୱଳ ହୋଇଛନ୍ତି ହବିଷ୍ୟାଳି କେନ୍ଦ୍ରରେ ଥିବା ବ୍ରତଧାରୀମାନେ । ପ୍ରଶାସନ ପକ୍ଷରୁ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ସେହିପରି ହରି ଉତ୍ଥାପନ ଏକାଦଶୀ ସହ ଆଜି ଠାରୁ ଆରମ୍ଭ ହୋଇଛି ସମସ୍ତ ମାଙ୍ଗଳିକ କାର୍ଯ୍ୟ । ରବିବାର ଦ୍ୱାଦଶୀ କ୍ଷୟ ଯାଉଥିବାରୁ ହେବନାହିଁ ବାଙ୍କଚୂଡ଼ ବେଶ । ତ୍ରୟୋଦଶୀ ତିଥି ହିସାବରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
source:prameya news


