Agniveer Data Leak: ୱେବ୍‌ସାଇଟ୍‌ ହ୍ୟାକ୍‌...୫୦୦ ଡଲାରରେ ଅଗ୍ନିବୀରଙ୍କ ତଥ୍ୟ ବିକ୍ରି ପଛରେ ନାବାଳକ ହାତ

ବିଶେଷ

ନୂଆଦିଲ୍ଲୀ,୨୩/୧୧; ୱେବସାଇଟ୍ ହ୍ୟାକ୍ କରି ପ୍ରାୟ ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କରିବା ଏବଂ ତାହାକୁ ଡାର୍କ ୱେବରେ ୫୦୦ ଡଲାରରେ ବିକ୍ରି କରିବାକୁ ଉଦ୍ୟମ ହୋଇଛି । ମାମଲାରେ ଦିଲ୍ଲୀ ପୁଲିସ୍ ସ୍ପେସାଲ୍ ସେଲ୍ ହରିୟାଣା ବଲ୍ଲଭଗଡରୁ ଜଣେ ୧୪ ବର୍ଷୀୟ ନାବାଳକକୁ ଅଟକ ରଖିଛି । ତଦନ୍ତରୁ ଜଣାପଡ଼ିଛି ଯେ ସମ୍ପୃକ୍ତ ନାବାଳକ ଜଣକ ଏକ ୱେବସାଇଟ୍ ହ୍ୟାକ୍ କରି ଏହି ତଥ୍ୟ ହାସଲ କରିଥିଲା । ପୂର୍ବତନ ଅଗ୍ନିବୀରମାନେ ନିଜର ନାମ ପଞ୍ଜୀକରଣ କରିବା ସହ ଅନ୍ୟ ସରକାରୀ ବିଭାଗରେ ଥିବା କାଲି ପଦବି ଖୋଜିବା ପାଇଁ ଏହି ୱେବସାଇଟଟି ପ୍ରସ୍ତୁତ କରାଯାଇଥିଲା ।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାବାଳକ ଜଣକ ଡାର୍କ ୱେବରେ ଏକ ବିଜ୍ଞାପନ ପୋଷ୍ଟ କରି ନିଜ ପାଖରେ ପ୍ରାୟ ୪ ହଜାର ଅଗ୍ନିବୀରଙ୍କ ତଥ୍ୟ ଥିବା ଦାବି କରିବା ସହ ୫୦୦ ଡଲାର ବିନିମୟରେ ଏହାକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା । କୃତ୍ରିମ ବୁଦ୍ଧିମତା (ଏଆଇ) ଉପକରଣ ବ୍ୟବହାର କରି ସେ ଏହି ତଥ୍ୟ ହାସଲ କରିଥିବା ଅଧିକାରୀମାନେ କହିଛନ୍ତି । ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଓ) ୟୁନିଟ୍ ସମ୍ପୃକ୍ତ ନାବାଳକର ଡିଜିଟାଲ ଉପକରଣରୁ ଏହି ତଥ୍ୟ ଜବତ କରିଛି । ୱେବସାଇଟରୁ ଚୋରି ହୋଇଥିବା ତଥ୍ୟର ସତ୍ୟତା ନେଇ ପୁଲିସ୍ ବର୍ତ୍ତମାନ ଯାଞ୍ଚ ଚଳାଇଛି । ଜବତ ହୋଇଥିବା ତଥ୍ୟର ସଠିକତା ପ୍ରମାଣିତ କରିବା ଏବଂ ସରକାରୀ ରେକର୍ଡ ସହ ମିଳାଇ ଦେଖିବା ପାଇଁ ପୁଲିସ୍ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରମାଳୟକୁ ଚିଠି ଲେଖାଯାଇ ଅଗ୍ନିବୀରମାନଙ୍କର ସରକାରୀ ଡାଟାବେସ୍ ମଗାଯାଇଛି ।  ଆଇନଗତ ପ୍ରକ୍ରିୟା ଅନୁଯାୟୀ ନାବାଳକଙ୍କୁ ପଚାରାଉଚରା କରାଯାଇଥିଲା । ପ୍ରାରମ୍ଭିକ ପଚରାଉଚରା ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ୪ ବର୍ଷିଆ ୪ ବର୍ଷିଆ କାର୍ଯ୍ୟକାଳ ପାଇଁ ଯବାନମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ କେନ୍ଦ୍ରସରକାର ୨୦୨୨ ଜୁନ ମାସରେ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିଥିଲେ । ଏଥରେ ମନୋନୀତି ହେଉଥିବା ଅଗ୍ନିବୀରମାନଙ୍କୁ ସମ୍ପୃକ୍ତ ବାହିନୀରେ ମୁତୟନ କରାଯିବା ପୂର୍ବରୁ ସାମରିକ ତାଲିମ ପ୍ରଦାନ କରାଯାଇଥାଏ ।

ଡାର୍କ ୱେବ କ'ଣ ? ଇଣ୍ଟରନେଟ୍ ଦୁନିଆରେ ଡାର୍କୱେବ୍ ଏକ ଏମିତି ଅଂଶ ଯେଉଁଠି ଦେଶ ପାଇଁ ଅବୈଧ ଥିବା ଜିନିଷ ବିକ୍ରି କରାଯାଏ । ଏହାକୁ ବ୍ରାଉଜର ସହାୟତାରେ ଆକ୍ସେସ୍ କରାଯାଏ । ଏହାକୁ ଚଲାଇବାକୁ ସ୍ପେସାଲ୍ ବ୍ରାଉଜର ଏବଂ ସଫ୍ଟୱେୟରର ଅବଶ୍ୟକତା ହୋଇଥାଏ ।

source:prameya news


Related News