India EU Deal: ଭାରତ-ୟୁରୋପ ମଧ୍ୟରେ ଫାଇନାଲ୍ ହେବ ମହାଡିଲ୍ ! ୯୩% ଭାରତୀୟ ସାମଗ୍ରୀ ଉପରେ ଲାଗିବନି ଟିକସ
ନୂଆଦିଲ୍ଲୀ, ୨୩।୧୧: ଆସନ୍ତା ମାସ ୧୬ରେ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ବହୁ ପ୍ରତିକ୍ଷୀତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରୁସେଲ ଗସ୍ତ ସମୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କରେ ଦେଶ ଏକ ବଡ ଉପଲବ୍ଧି ହାସଲ କରିବ । ଚଳିତ ବର୍ଷ ଜାନୁଆରି ମାସରେ ଉଭୟ ପକ୍ଷ ଏହି ଚୁକ୍ତି ନେଇ ଆଲୋଚନାକୁ ଚୂଡାନ୍ତ କରିଥିଲେ । ୟୁରୋପୀୟ କମିଶନ ଚୂଡ଼ାନ୍ତ ଆଇନଗତ ଅନୁମତି ଏବଂ ଟାରିଫ ସମ୍ପର୍କିତ ସୂଚୀକୁ ୟୁରୋପୀୟ ସଂଘର କାଉନସିଲକୁ ପଠାଇଛନ୍ତି । ଅନୁମୋଦନ ପରେ ଏହା ବାସ୍ତବ ରୂପ ନେବ । ଏହି ଚୁକ୍ତି ଅଧିନରେ ଭାରତରୁ ୟୁରୋପର ୨୭ ଦେଶକୁ ଯାଉଥିବା ୯୩% ସାମଗ୍ରୀ ଉପରେ କୌଣସି ଟିକସ ଲାଗିବ ନାହିଁ । ସେହିଭଳି ୟୁରୋପରୁ ଭାରତ ଆସୁଥିବା ବିଳାସପୂର୍ଣ୍ଣ କାର ଏବଂ ମଦ ପୂର୍ବାପେକ୍ଷା ଶସ୍ତା ହେବ । ଦୀର୍ଘ ୨ ଦଶନ୍ଧି ଧରି ଏହି ଡିଲ୍ ବାସ୍ତବ ରୂପ ପାଇ ପାରୁନ ଥିଲା । ଉକ୍ତ ଚୁକ୍ତି ଦ୍ୱାରା ବିଶ୍ୱର ୪ର୍ଥ ବୃହତ ଅର୍ଥନୀତି ଏବଂ ଦ୍ୱିତୀୟ ବୃହତ ଅର୍ଥନୈତିକ ବ୍ଲକ ୟୁରୋପୀୟ ସଂଘର ୨୦୦ କୋଟି ଲୋକଙ୍କ ଲାଗି ବର୍ଦ୍ଧିତ ବଜାର ପ୍ରଦାନ କରିବ ।
ଭାରତ ଏବଂ ଇୟୁ ବିଶ୍ୱ ଜିଡିପିର ୨୫% ଅଂଶ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟର ଏକ ତୃତୀୟାଂଶ (୧୧ ଟ୍ରିଲିୟନ ଡଲାର) ହାସଲ କରିଛନ୍ତି । ୟୁରୋପୀୟ କମିଶନଙ୍କ ଚୁକ୍ତି ସମ୍ପର୍କିତ ସାରାଂଶ ମୁତାବକ, ଇୟୁ ୯୦% ସାମଗ୍ରୀ ଉପରେ ଏବଂ ଭାରତ ୮୬% ସାମଗ୍ରୀ ଉପରେ କୌଣସି ଟାରିଫ ଲଗାଇବ ନାହିଁ । ଯାହା ଆଶିଂକ ଟାରିଫ ଆଶ୍ୱସ୍ତି କ୍ଷେତ୍ରରେ ଯଥାକ୍ରମେ ୯୯.୩% ଏବଂ ୯୬.୬% ପର୍ଯ୍ୟନ୍ତ ଯାଇପାରେ । ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱାରା ଭାରତର ବୟନ, ପୋଷାକ, ଫୁଟୱେୟାର,ସାମୁଦ୍ରିକ ଖାଦ୍ୟ, ଫାର୍ମା ଭଳି କ୍ଷେତ୍ର ଗୁଡ଼ିକ ୟୁରୋପୀୟ ବଜାରରେ ଅଭିବୃଦ୍ଧିର ଏକ ନୂଆ ସୁଯୋଗ ପାଇବେ । ଚୁକ୍ତି ଏବଂ ୟୁରୋପିଆନ ପାର୍ଲାମେଣ୍ଟ ଏବଂ ୟୁରୋପିଆନ ୟୁନିୟନ ମଞ୍ଜୁରି ଅପେକ୍ଷାରେ । ଭାରତରେ ମଧ୍ୟ ଏହା ମଧ୍ୟରେ ଚୁକ୍ତି ନେଇ ଘରୋଇ ଆଇନଗତ ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ୱୟନ ରୋଡମ୍ୟାପ୍ ଚୂଡାନ୍ତ ସ୍ଥିତିରେ ରହିଛି । ଅନ୍ୟପଟେ ଭାରତ-କାନାଡା କମ୍ପ୍ରିହେନସିଭ ଇକୋନୋମିକ୍ ପାର୍ଟନରଶିପ୍ (ସିଇପିଏ) ନେଇ ୬ଷ୍ଠ ପର୍ଯ୍ୟାୟ ଆଲୋଚନା ସମ୍ପୂର୍ଣ୍ଣ କରିଛନ୍ତି । ଉଭୟ ପକ୍ଷ ବଜାର ସୁବିଧା ଲାଗି ଏକ ମହତ୍ୱାକାଂକ୍ଷୀ, ସନ୍ତୁଳିତ ଚୁକ୍ତି ଆଶା କରୁଛନ୍ତି ।
ସେହିଭଳି ନିବେଶ ପରିବେଶରେ ଉନ୍ନତି ସହ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ଦୃଢ଼ କରିବା ଦିଗରେ କାର୍ଯ୍ୟକ୍ରମ ଆସିବ । ନଭେମ୍ବର ୧୧ରୁ ୨୦ ଯାଏ ନୂଆଦିଲ୍ଲୀରେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଉଭୟ ପକ୍ଷ ଆଲୋଚନା କରିଥିଲେ । ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ସାମଗ୍ରୀ ଓ ସେବା, ବାଣିଜ୍ୟିକ ଆଶ୍ୱସ୍ତି, ବୌଦ୍ଧିକ ସମ୍ପତ୍ତି, ନିବେଶ ପ୍ରୋତ୍ସାହନ ଭଳି ବ୍ୟାପକ ଦିଗରେ ଆଲୋଚନା ହୋଇଛି । ଏହା ଦ୍ୱାରା ଉଭୟ ଦେଶର କୃଷକ, ଶିଳ୍ପ, ଏମ୍ଏସ୍ଏମ୍ଇ ଗୁଡ଼ିକ ଲାଭବାନ ହେବେ । ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏହା ଅତିରିକ୍ତ ବଜାର ସୁବିଧା ପ୍ରଦାନ କରିବ । ଉଭୟ ଦେଶର ଯୋଗାଣ ଶୃଙ୍ଖଳକୁ ମଧ୍ୟ ବିବିଧିକରଣରେ ଏହା ଯୋଗଦାନ ଦେବ । ନିକଟରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ କାନାଡା ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁଙ୍କ ସାକ୍ଷାତ ସମୟରେ ସନ୍ତୁଳିତ ଏବଂ ଉଭୟ ପକ୍ଷକୁ ଲାଭ ହେଲା ଭଳି ବାଣିଜ୍ୟ ଚୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ ।
source:prameya news


