Nvidia Chip: ଏନ୍‌ଭିଡିଆ ଗର୍ଲଫ୍ରେଣ୍ଡ କାଣ୍ଡ; ମାଲେସିଆ ଦେଇ ଚୀନ୍‌କୁ ଯାଉଥିଲା ଏଆଇ ଚିପ୍‌, ଚୋରାଇଥିବା ଲି ମିଙ୍ଗ୍ କିଏ ?

ବିଦେଶ

ନୂଆଦିଲ୍ଲୀ,୨୩/୧୧; ଆମେରିକାର ବହୁଦେଶୀୟ ଏଆଇ ଚିପ୍ ନିର୍ମାତା ‘ଏନ୍‌ଭିଡିଆ’ର ପୂର୍ବତନ ସିଇଓ ଜେନସେନ ହୁଆଙ୍ଗଙ୍କ ଚୀନି ଗର୍ଲଫ୍ରେଣ୍ଡ ଆଲିସ ହୁଆଙ୍ଗଙ୍କୁ ନେଇ ଯେଉଁ ସନ୍ଦେହ କରାଯାଉଥିଲା, ତାହା ସତ ସାବ୍ୟସ୍ତ ହୋଇଛି । ଆଲିସ ହୁଆଙ୍ଗ ଗୁଇନ୍ଦାଗିରି ଓ ଚିପ୍ ତସ୍କରିରେ ସାମିଲ ଥିବା ଆମେରିକା କହୁଥିଲା । କିନ୍ତୁ ଚୀନ୍ ଖଣ୍ଡନ କରୁଥିଲା । ଏବେ ନୂଆ ରିପୋର୍ଟରେ ଚିପ୍ ତସ୍କରି ଘଟଣାର ହୋଇଛି ପର୍ଦ୍ଦାଫାସ । ‘ଦ ୱାଲ ଷ୍ଟ୍ରିଟ’ ଜର୍ନାଲ ରିପୋର୍ଟ ଅନୁସାରେ, ଆଲିସଙ୍କ ବ୍ୟବସାୟୀ ବନ୍ଧୁ ଲୀ ମିଙ୍ଗ୍ ପ୍ରତିବନ୍ଧିତ ଏଆଇ ଚିପ୍ ଚୋରାଇ ଚୀନ୍କୁ ଦେଇଥିଲେ । ସେ ଏନ୍‌ଭିଡିଆର ଚିପ୍ ଲାଗିଥିବା କମ୍ପ୍ୟୁଟର ସର୍ଭରକୁ ପ୍ରଥମେ ମାଲେସିଆ ପଠାଉଥିଲେ । ଏହାପରେ ସେଠାରୁ ଚୀନ୍କୁ ଚାଲାଣ କରୁଥିଲେ ।

ଏହି କାର୍ଯ୍ୟରେ ଲୀ ମିଙ୍ଗ୍ ଏକାକୀ ସମ୍ପୃକ୍ତ ନାହାନ୍ତି । ବରଂ ଆଲିସ ଏବଂ ତାଙ୍କ ସ୍ୱାମୀ କାଙ୍ଗ୍ ୱେଇଙ୍କ ସହ ମିଶି ସେ ଅନେକ ଦେଶରେ କମ୍ପାନି ଚଳାଉଥିଲେ । ଏହି କମ୍ପାନିଗୁଡ଼ିକ ଜରିଆରେ ଚୀନି କମ୍ପାନିଙ୍କୁ ଉନ୍ନତ ଏଆଇ ଚିପ୍ ଯୋଗାଇବାକୁ ରାସ୍ତା ବନାଯାଇଥିଲା । କାଙ୍ଗ୍ ୱେଇ ଚୀନ୍ରେ ସରକାରୀ ସହାୟତାରେ ବୃହତ୍ ଡାଟା ସେଣ୍ଟର ପ୍ରସ୍ତୁତ କରୁଥିଲେ । ୨୦୨୧ରୁ ୨୦୨୪ ମଧ୍ୟରେ ତାଙ୍କ ନେଟୱର୍କ ସହ ଜଡ଼ିତ ଡାଟା ସେଣ୍ଟର ପ୍ରକଳ୍ପରେ ୯ ବିଲିୟନ ଡଲାର (ପ୍ରାୟ ୮୩ ହଜାର କୋଟି ଟଙ୍କା) ନିବେଶ ପାଇଁ ଯୋଜନା ଥିଲା । ଏହି ରିପୋର୍ଟରୁ ଗୋଟିଏ କଥା ସାମ୍ନାକୁ ଆସିଛି ଯେ ଆଲିସ ହୁଆଙ୍ଗ ଏଆଇ ଚିପ୍ ହାସଲ ନେଟୱର୍କ ସହ ସାମିଲ ଥିଲେ । ତାଙ୍କ ସ୍ୱାମୀ ଚୀନ୍‌ର ଡାଟା ସେଣ୍ଟର ନିର୍ମାଣ କରୁଥିଲେ । ଏଭଳି ସ୍ଥିତିରେ ଲୀ ମିଙ୍ଗ୍ ଉଭୟଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିଲେ । ୫୨ ବର୍ଷୀୟ ଚୀନି ବ୍ୟବସାୟୀ ଲୀ ମିଙ୍ଗ୍‌ଙ୍କ ବିରୋଧରେ ସିଙ୍ଗାପୁରରେ ବି ମାମଲା ରହିଛି ।ଜାଲିଆତି ମାମଲା ଚାଲିଛି । ୨୦୨୫ ଫେବ୍ରୁଆରୀରେ ରୁଜୁ ଏହି ମାମଲାରେ ତାଙ୍କ ଉପରେ ଏନ୍ଭିଡିଆର ଚିପ୍ ଲାଗିଥିବା ସର୍ଭରକୁ ବେଆଇନ ଭାବେ ଅନ୍ୟ ଦେଶକୁ ପଠାଇବାର ଅଭିଯୋଗ ରହିଛି । ତେବେ ସେ ସିଙ୍ଗାପୁର ମାମଲାରେ ଜାମିନ ପାଇ ବାହାରେ ଅଛନ୍ତି ।

ସିଙ୍ଗାପୁରର ସରକାରୀ ଓକିଲଙ୍କ ଅନୁସାରେ, ଲୀ ମିଙ୍ଗ୍ ଆମେରିକୀୟ କମ୍ପାନିଗୁଡ଼ିକଠାରୁ ଏନ୍‌ଭିଡିଆର ଚିପ୍ ଲାଗିଥିବା କମ୍ପ୍ୟୁଟର ସର୍ଭର କିଣିଥିଲେ । ଏହି ସର୍ଭର ସିଙ୍ଗାପୁରରେ ଥିବା ତାଙ୍କ କମ୍ପାନି ‘ଲକ୍ଜୁରିଏଟ ୟୋର୍ ଲାଇଫ୍’ ପାଇଁ ବ୍ୟବହାର କରାଯିବା ନେଇ ସେ କହିଥିଲେ । କିନ୍ତୁ ସିଙ୍ଗାପୁର ପରିବର୍ତ୍ତେ ଏହାକୁ ପ୍ରଥମେ ମାଲେସିଆ ପଠାଯାଇଥିଲା । ଏହାପରେ ସେଠାରୁ ଅନ୍ୟ କୌଣସି ତୃତୀୟ ଦେଶକୁ ପ୍ରେରଣ କରାଯାଇଥିଲା । ସମ୍ଭବତଃ ଏହି ତୃତୀୟ ଦେଶ ଚୀନ୍ ବୋଲି କୁହାଯାଉଛି । ଲୀ ମିଙ୍ଗ୍ ସିଙ୍ଗାପୁରର ଏକ କମ୍ପାନି ‘ମେଗାସ୍ପିଡ୍’ ସହ ସାମିଲ ଥିଲେ । ଆଲିସ ହୁଆଙ୍ଗ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ଥିଲେ । ତେବେ କମ୍ପାନିର ବଡ଼ ନିଷ୍ପତ୍ତିଗୁଡ଼ିକରେ ଲୀ ମିଙ୍ଗ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏନ୍‌ଭିଡିଆ ଚିପ୍‌ର କାରବାର କରୁଥିବା ଅନ୍ୟ କମ୍ପାନିଗୁଡ଼ିକ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଥିଲା । ଚୀନ୍‌ର କମ୍ପାନି ପଞ୍ଜିକରଣ ସହ ଜଡ଼ିତ ଦସ୍ତାବିଜ ମୁତାବକ, ଆଲିସ ଏବଂ ସ୍ୱାମୀ କାଙ୍ଗ୍ ମିଶି ୨୦୨୧ରେ ‘ସେଞ୍ଚୁରି ଲଙ୍ଗ୍ଟେଙ୍ଗ୍’ ନାମକ କମ୍ପାନି ଆରମ୍ଭ କରିଥିଲେ । ଏହି କମ୍ପାନି କ୍ଲାଉଡ କମ୍ପ୍ୟୁଟିଂର କାମ କରୁଥିଲା ।

ଏହା ପୂର୍ବରୁ ମେଗାସ୍ୱିଡ୍‌ର କାରବାର ଉପରେ ଆମେରିକୀୟ ଏଜେନ୍ସିଗୁଡ଼ିକର ସନ୍ଦେହ ଜାତ ହୋଇଥିଲା । ରପ୍ତାନି ନିୟମ ଉଲ୍ଲଂଘନ କରି ଏନ୍ଭିଡିଆର ଚିପ୍କୁ ଚୀନ୍ ପହଞ୍ଚାଇବା ନେଇ ଏହା ଉପରେ ଅଭିଯୋଗ ରହିଥିଲା । ଏହାକୁ ନେଇ ୨୦୨୪ରେ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଆମେରିକାର ବାଣିଜ୍ୟ ଓ ନ୍ୟାୟ ବିଭାଗ ଏହି ତଦନ୍ତ ସଂକ୍ରାନ୍ତ ସୂଚନା ପ୍ରକାଶ କରିଥିଲେ । ତେବେ ମେଗାସ୍ପିଡ୍ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଏହାବ୍ୟତୀତ ଆଉ ଏକ ରିପୋର୍ଟ ଦର୍ଶାଇଛି, ଉନ୍ନତ ଏଆଇ ଚିପ୍ ହାସଲ ଲାଗି ଚୀନ୍ ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ଗୁଇନ୍ଦା ଅଭିଯାନ ଚାଲିଥିଲା । ଆମେରିକାର ରପ୍ତାନି କଟକଣାକୁ ଉଲ୍ଲଂଘନ କରି ଚୀନ୍‌ର ଗୁଇନ୍ଦା ଏଜେନ୍ସି ବିକଶିତ ସେମିକଣ୍ଡକ୍ଟର ଚିପ୍ ହାସଲ ନିମନ୍ତେ ଏହି ଅଭିଯାନ ଚଳାଇଥିଲା । ଏମିତି କି ଅନ୍ତର୍ଜାତୀୟ ଚିପ୍ ଶିଳ୍ପକୁ ନେଇ ଗୁଇନ୍ଦା ତଥ୍ୟ ବି ସଂଗ୍ରହ କରୁଥିଲା ।

ନ୍ୟୁୟର୍କ ଟାଇମ୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ମୁତାବକ, ଚୀନ୍ର ଜାତୀୟ ସୁରକ୍ଷା ମନ୍ତ୍ରଣାଳୟ (ଏମ୍ଏସ୍ଏସ୍) ଦ୍ୱାରା ଏକ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା । ଏହାର ମୁଖ୍ୟ ଚେନ୍ ୟିଜିନ ରହିଥିଲେ । ଉନ୍ନତ ଚିପ୍ ହାସଲ କରି ଏହାକୁ ଚୀନ୍ ପହଞ୍ଚାଇବା ପାଇଁ ଚୀନି କମ୍ପାନିଗୁଡ଼ିକୁ ସହଯୋଗ କରିବା ଏହି କମିଟିର ମୁଖ୍ୟ କାର୍ଯ୍ୟ ଥିଲା । ଏଥିସହ ସେମିକଣ୍ଡକ୍ଟର ଶିଳ୍ପ ଏବଂ ଏହାର ଯୋଗାଣ ଶୃଙ୍ଖଳ ଉପରେ ଗୁଇନ୍ଦା ତଥ୍ୟ ହାସଲ ମଧ୍ୟ ଏହାର ଅନ୍ୟତମ ମିଶନ ରହିଥିଲା । ଏସିଆ, ଆମେରିକା ଏବଂ ୟୁରୋପର ପୂର୍ବତନ ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କ ତଥ୍ୟକୁ ଆଧାର କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ, ଆଲିସ ହୁଆଙ୍ଗ ଚୀନି ଗୁପ୍ତଚର ବୋଲି ଜଣାପଡ଼ିବା ପରେ ଜେନସେନ ହୁଆଙ୍ଗ ବିବାଦୀୟ ହୋଇପଡ଼ିଥିଲେ । ଶେଷରେ ଗତ ୧୨ ତାରିଖରେ ସେ ଏନ୍ଭିଡିଆର ସିଇଓ ପଦରୁ ଇସ୍ତଫା ଦେଇଥିଲେ । ଏଥିସହ କମ୍ପାନିରେ ତାଙ୍କର ଦୀର୍ଘ ୩୩ ବର୍ଷର ଯାତ୍ରାରେ ବିରାମ ଲାଗିଥିଲା ।

source:prameya news


Related News