' ଯେପର୍ଯ୍ୟନ୍ତ ମୁଁ ଗାଉଥିବି , ଆପଣଙ୍କ ଟିକେଟ୍ ମାଗଣା ରହିବ …' ; ପ୍ରଶଂସକଙ୍କୁ କାହିଁକି ଏମିତି ସରପ୍ରାଇଜ୍ ଦେଲେ ଦିଲଜିତ୍ ?

ମନୋରଞ୍ଜନ

ନୂଆଦିଲ୍ଲୀ : ଦିଲଜିତ ଦୋସାଞ୍ଜଙ୍କୁ ନେଇ ଏକ ବଡ଼ ଖବର ଆସିଛି ,ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସେ ଜଣେ ମହିଳାଙ୍କୁ ଏମିତି ଏକ ଉପହାର ଦେଇଛନ୍ତି ,ଯାହାକୁ ଜାଣି ସଂପୃକ୍ତ ମହିଳାଙ୍କ ସହ ସବୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଦିଲଜିତ ଦୋସାଞ୍ଜ ଶନିବାର ରାତିରେ ଗୁଜରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କନସର୍ଟ ଥିଲା । ଏଥିରେ ସେ ଇତିହାସ ରଚିଛନ୍ତି । ନିଜର ‘ଅରା ଇଣ୍ଡିଆ ଟୁର୍’ (Aura India Tour) ଅବସରରେ ଏହି ଷ୍ଟାଡିୟମରେ କନସର୍ଟ କରିଥିଲେ, ଯେଉଁଥିରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଦର୍ଶକ ସାମିଲ ହୋଇ ଥିଲେ । ଏହି ସମୟରେ ମଞ୍ଚ ଉପରକୁ ଏମିତି ଜଣେ ମହିଳା ଆସିଥିଲେ, ଯିଏ ଚଳିତ ବର୍ଷ ଦିଲଜିତଙ୍କ ୭ଟି କନସର୍ଟରେ ଯୋଗ ଦେଇ ସାରି ଥିଲେ ।

ଏହା ଜାଣି ଦିଲଜିତ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ଦିଲଜିତ ସେହି ମହିଳାଙ୍କୁ ଏପରି ଏକ ଉପହାର ଦେଇଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇ ଥିଲା। ଦିଲଜିତ କହିଥିଲେ ଯେ ସେ ଯେପର୍ଯ୍ୟନ୍ତ ଗୀତ ଗାଇବେ ଏବଂ ଯେଉଁଠି ବି କନସର୍ଟ କରିବେ, ସେହି କନସର୍ଟରେ ମହିଳାଙ୍କ ଟିକେଟ୍ ସାରା ଜୀବନ ପାଇଁ ମାଗଣା ରହିବ ।

ଦିଲଜିତ ଦୋସାଞ୍ଜ ମଞ୍ଚ ଉପରକୁ ଆସିଥିବା ମହିଳାଙ୍କୁ ପ୍ରଶ୍ନ କରିଥିଲେ, ଚଳିତ ବର୍ଷ ଏହା ଆପଣଙ୍କର କେତେ ନମ୍ବର ଶୋ' ? ଏହାର ଉତ୍ତରରେ ମହିଳା ଜଣକ ଖୁବ୍ କୋଳାହଳ ମଧ୍ୟରେ ଆଙ୍ଗୁଠି ଦେଖାଇ ସପ୍ତମ ଶୋ' ବୋଲି ଜଣାଇ ଥିଲେ । ଏହା ଶୁଣି ଦିଲଜିତ କହିଥିଲେ, ୱାହ, ଚଳିତ ବର୍ଷ ଅରା ଟୁରର ଏହା ତାଙ୍କର ସପ୍ତମ ଶୋ'। ସେ ଭାନକୁଭର ବି ଆସିଥିଲେ, ଆମେରିକା ବି ଆସିଥିଲେ। ସେ ୟୁରୋପ ବି ଆସି ଥିଲେ । ସେ ୱେମ୍ବଲି ବି ଆସିଥିଲେ ଏବଂ ଆଜି ସେ ଅହମ୍ମଦାବାଦ ବି ଆସିଛନ୍ତି ।

ଦିଲଜିତ ମହିଳାଙ୍କୁ ଏକ ଗିଫ୍ଟ ବକ୍ସ ଦେଇ କହିଥିଲେ, ଆଜିର ଶୋ ପରେ, ଆପଣଙ୍କୁ ଆଉ ଟିକେଟ୍ କିଣିବାକୁ ପଡ଼ିବ ନାହିଁ । ନା, ଶପଥ କରି କହୁଛି। ମୁଁ ଏହି ବିଷୟରେ ଗମ୍ଭୀରତାର ସହ କହୁଛି। ଆଜି ପରେ, ସାରା ଜୀବନ, ଯେପର୍ଯ୍ୟନ୍ତ ମୁଁ ଗାଇବି, ଆପଣଙ୍କ ଟିକେଟ୍ ମାଗଣା ରହିବ... । ଦିଲଜିତଙ୍କ ଏହି ଘୋଷଣା ପରେ ମହିଳା ଫ୍ୟାନ୍ ଜଣକ ଖୁସିରେ ଝୁମି ଉଠି ଥିଲେ । ଏହା ସହିତ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ମଧ୍ୟ ଜୋରଦାର ତାଳି ମାରି ଥିଲେ ।

ଅରା ଇଣ୍ଡିଆ ଟୁରରେ କେଉଁଠି କେଉଁଠି ଶୋ'?

ଶେଷ ହୋଇଥିବା ଶୋ' :

  •  ଦିଲ୍ଲୀ: ୩୦ ଅକ୍ଟୋବର ୨୦୨୬ - ଜବାହରଲାଲ ନେହରୁ ଷ୍ଟାଡିୟମ
  •  ଇନ୍ଦୋର: ୧୫ ନଭେମ୍ବର ୨୦୨୬ - ସି୨୧ ଇଷ୍ଟେଟ୍
  •  ଅହମ୍ମଦାବାଦ: ୨୧ ନଭେମ୍ବର ୨୦୨୬ - ନରେନ୍ଦ୍ର ମୋଦି ଷ୍ଟାଡିୟମ

ଆଗାମୀ ଶୋ':

  •  ମୁମ୍ବାଇ: ୨୭ ନଭେମ୍ବର ୨୦୨୬ - ମହାଲକ୍ଷ୍ମୀ ରେସ୍ କୋର୍ସ
  •  ବେଙ୍ଗାଲୁରୁ: ୨୯ ନଭେମ୍ବର ୨୦୨୬ - ନାଇସ୍ ଗ୍ରାଉଣ୍ଡସ୍
  •  ଲକ୍ଷ୍ନୌ: ୫ ଡିସେମ୍ବର ୨୦୨୬ - ଜାମ୍ବୋରୀ ଗ୍ରାଉଣ୍ଡସ୍
  •  ଚଣ୍ଡିଗଡ଼: ୧୨ ଡିସେମ୍ବର ୨୦୨୬ - ନ୍ୟୁ ପିସିଏ ଷ୍ଟାଡିୟମ, ମୁଲ୍ଲାନପୁର
  •  କୋଲକାତା: ୧୯ ଡିସେମ୍ବର ୨୦୨୬ - ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ

source:prameya news


Related News