IND vs NZ 1st Test: ୩୯ ଓଭର ବାକି, ଭାରତକୁ ଦରକାର ୫ ୱିକେଟ୍, ବିଜୟ ରାସ୍ତାରେ ମିଚେଲ୍-ଫିଲିପ୍ସ
ନୂଆଦିଲ୍ଲୀ,୨୩/୧୧; ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତି ଦେଇ ଗତି କରୁଛି । ଭାରତ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖି ବିଜୟ ପାଇଁ ପଥ ପସ୍ତୁତ କରିଛି । ନ୍ୟୁଜିଲାଣ୍ଡ ଇନିଂସ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି । ୯/୭୨୦ ରନ୍ରେ ଭାରତ ପ୍ରଥମ ଇନିଂସ ଘୋଷଣା କରିବା ସହ ମୋଟ୍ ୩୫୨ ରନ୍ ଅଗଣୀ ହାସଲ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୧୯ ରନ ସଂଗ୍ରହ କରିଥିଲା । ଚତୁର୍ଥ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଡେଭନ କନୱେ ୫୯ ଓ ରଚିନ ରବିନ୍ଦ୍ର ୨୭ ରନ କରି ଅପରାଜିତ ରହିଥିଲେ । ଚତୁର୍ଥ ଦିବସରେ ଭାରତ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା । ଚତୁର୍ଥ ଦିନ ସୁଦ୍ଧା ଭାରତ ବିଜୟଠାରୁ ୮ ୱିକେଟ୍ ଦୂରରେ ରହିଥିଲା । ଆଜି ପଞ୍ଚମ ଦିନରେ ଖେଳ ଆରମ୍ଭ ହୋଇ ସାରିଛି । ବିଜୟଠାରୁ ଭାରତ ୫ ୱିକେଟ୍ ଦୂରରେ ରହିଛି । ଭାରତ ରାସ୍ତାରେ ଏବେ ମିଚେଲ୍ ଏବଂ ଫିଲିପ୍ସ ରହିଛି । ଟି-ବ୍ରେକ୍ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୨୦୬ ରନ୍ କରିଛି । ପଞ୍ଚମ ଦିନରେ ରିପୋର୍ଟ ଲେଖାଯିବା ସୁଦ୍ଧା ଭାରତ ୩ଟି ୱିକେଟ୍ ହାସଲ କରିଛି । ୱାସିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅଂଶୁଲ କମ୍ବୋଜ ୩ଟି ସଫଲତା ହାସଲ କରିଛନ୍ତି । ୱେଲିଂଟନ ଟେଷ୍ଟ ବିଜୟ ପାଇଁ ଭାରତକୁ ଆଉ ୫ଟି ଶିକାର ଦରକାର ।
ତୃତୀୟ ଦିନରୁ ଅପରାଜିତ ଥିବା ରିଷଭ ପନ୍ତ ନବମ ଟେଷ୍ଟ ଶତକ ଅର୍ଜନ କରିଥିଲେ । ସେହିପରି ଧ୍ରୁବ ଜୁରେଲ ୭୮ରନ୍ର ଉପଯୋଗୀ ପାଳି ଖେଳିଥିଲେ । ଭାରତର ପାଳି ଘୋଷଣା ପରେ ଯଶପ୍ରୀତ ବୁମରା ପ୍ରଥମ ଓଭରରେ ୱିକେଟ୍ ନେଇ ରୋମାଞ୍ଚ ବଢ଼ାଇ ଦେଇଥିଲେ । ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ ସେ ଟମ ଲାଥମଙ୍କୁ ଆଉଟ୍ କରିଥିଲେ । ଅବଶ୍ୟ ଏହାପରେ ଘରୋଇ ଦଳ ଲଢ଼େଇ କରି ୱିକେଟ୍ ବଞ୍ଚାଇବାରେ ସଫଳ ହୋଇଥିଲା । ଚତୁର୍ଥ ଦିବସ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଆଉ ୨୩୩ ରନ ପଛରେ ରହିଛି । ଆଜି ଅନ୍ତିମ ଦିବସ ମ୍ୟାଚ ଫଳାଫଳ ନିର୍ଣ୍ଣୟ କରିବ ।ଆଜି ଭାରତ ପୁରୁଣା ବଲ୍ ଆଉ ୩୫ ଓଭର ବୋଲିଂ କରିବ । ନ୍ୟୁଜିଲାଣ୍ଡ ଏହି ସମୟ ମଧ୍ୟରେ ସ୍ଥିତି ସୁଦୃଢ଼ କରି ପାରିଲେ ପରାଜୟରୁ ବର୍ତ୍ତି ପାରିବ । ଚତୁର୍ଥ ଦିନରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୪/୪୮୬ ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ପନ୍ତ ଓ ଅଂଶୁଲ କାମ୍ବୋଜ ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଉଭୟ ୬୮ ରନ୍ର ଭାଗିଦାରୀ ଗଠନ କରି ଦଳୀୟ ସ୍କୋରକୁ ୫୫୪ରେ ପହଞ୍ଚାଇ ଥିଲେ ।
୧୩୯ତମ ଓଭରରେ ଗ୍ଲେନ ଫିଲିପ୍ସ ଯୋଡ଼ି ଭାଙ୍ଗିଥିଲେ । କାମ୍ବୋଜ ୩୮ (୬ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ଏହି ସମୟ ବେଳକୁ ୮୫ ରନ କରି ସାରିଥିବା ପନ୍ତ ସତର୍କତାର ସହ ବ୍ୟାଟିଂ କରି ଶତକ ଆଡକୁ ଆଗେଇଥିଲେ । ୯୦ ରନ କରିବା ପରେ ସେ ପରବର୍ତ୍ତୀ ୨ଟି ବଲ୍ରେ ଯଥାକ୍ରମେ ଚୌକା ଓ ଛକା ମାରି ଶତକ ପୂରଣ କରିଥିଲେ । ଅନ୍ୟ ପଟରେ ଧ୍ରୁବ ଜୁରେଲ ଦର୍ଶନୀୟ ସଟ୍ମାନ ଖେଳିଥିଲେ । ଉଭୟ ଷଷ୍ଠ ୱିକେଟ୍ରେ ୭୫ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୬୨୯ ବେଳେ ପନ୍ତଙ୍କୁ ଆଉଟ୍ କରିଥିଲେ ରଚିନ ରବିନ୍ଦ୍ର । ସେ ୧୦ଚୌକା ଓ ୬ ଛକା ବଳରେ ୧୨୮ ରନ କରିଥିଲେ । ଜୁରେଲ୍ ନିମ୍ନ ଭାଗ ବ୍ୟାଟରଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୭୨୦ରେ ପହଞ୍ଚାଇବା ପରେ ବ୍ୟକ୍ତିଗତ ୭୮ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଭାରତ ପାଳି ଘୋଷଣା କରିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ୱାସିଂଟନ ସୁନ୍ଦର ୨୪ ଓ ଆକାଶ ଦୀପ ୧୩ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଫିଲିପ୍ସ ୩ଟି ଓ ରବିନ୍ଦ୍ର ୨ଟି ୱିକେଟ୍ ନେଇଥିଲେ । ୩୫୨ ରନ୍ରେ ପ୍ରଥମ ଇନିଂସ ପଛୁଆ ଥାଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଇନିଂସ ଭଳି ଏଥର ମଧ୍ୟ ଲାଥମଙ୍କୁ ୨ଟି ବଲ୍ ମଧ୍ୟରେ ପାଭିଲିୟନ ପଠାଇଥିଲେ ବୁମରା । ଏହାପରେ କନୱେ ଓ ହେନରୀ ନିକୋଲ୍ସ ମିଶି ୬୦ ରନ୍ ସଂଗ୍ରହ କରିଥିଲେ । ୨୩ତମ ଓଭରରେ ନିକୋଲ୍ସଙ୍କୁ ଆଉଟ୍ କରିଥିଲେ ପ୍ରସିଦ୍ଧ କ୍ରିଷ୍ଣା । ସେ ୩୧ ରନ କରି ବିଦାୟ ନେଇଥିଲେ । କନୱେଙ୍କ ସହ ରବିନ୍ଦ୍ର କ୍ରିଜରେ ଯୋଗଦେଇ ଷ୍ଟମ୍ପ ପର୍ଯ୍ୟନ୍ତ କ୍ରିଜରେ ଲଢ଼େଇ ଜାରି ରଖିଥିଲେ । ଭାରତ ଆଉ ୨୨.୫ ଓଭର ବୋଲିଂ କରିଥିଲେ ହେଁ ୱିକେଟ୍ ନେଇ ପାରିନଥିଲା ।
source:prameya news


