Ind A vs Pak A: ମ୍ୟାଚ୍ ମଝିରେ ହାଇଡ୍ରାମା...ଜିତାଇପାରିଲେନି ତିଲକ-ଶେହବାଜ, ଭାରତକୁ କିପରି ହରାଇଲା ପାକିସ୍ତାନ ?
ନୂଆଦିଲ୍ଲୀ,୨୩/୧୧; ଭାରତ ଏ’ ଓ ପାକିସ୍ତାନ ଏ’ ଦଳ ମଧ୍ୟରେ ଅନୁଷ୍ଠିତ ଚଳିତ ରାଇଜିଂ ଷ୍ଟାର ଏସିଆ କପ୍ ମୁକାବିଲାରେ ଭାରତ ଏ’ ୪୮ ରନ୍ରେ ପରାଜିତ ହୋଇଛି । ଗ୍ରୁପ୍ ଏ’ର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଏ’ ଦଳ ୪୯.୨ ଓଭରରେ ୩୧୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାର ଜବାବରେ ଭାରତ ୪୯.୧ ଓଭରରେ ୨୬୫ ରନ କରି ଅଲ୍ ଆଉଟ୍ ହୋଇଥିଲା । କ୍ୟାପ୍ଟେନ୍ ତିଲକ ବର୍ମାଙ୍କ ଶତକ ବୃଥା ଯାଇଥିଲା । ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ବିଶାଳ ବିଜୟ ହାସଲ କରିଥିବା ଭାରତ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନଠାରୁ ପରାସ୍ତ ହୋଇଛି । ମ୍ୟାଚ୍ ମଝିତେ ହର୍ଷିତ ରାଣା ଏବଂ ପାକିସ୍ତାନ ପ୍ଲେୟାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ହାଇଭୋଲ୍ଟେଜ୍ ମ୍ୟାଚରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଅଭିଷେକ ଶର୍ମା ୭୦ ଏବଂ ଶେହବାଜ ଅହମଦ ଭଲ ଇନିଂସ ଖେଳିଥିଲେ ବି ଟାର୍ଗେଟ୍ ହାସଲ କରିପାରିନଥିଲେ ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପାକିସ୍ତାନ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଓପନର ମାଜ ଶଦାକତ ୫୯, ମଧ୍ୟକ୍ରମ ବ୍ୟାଟର ହାସାନ ନୱାଜ ୭୯ ଓ ଫରହାନ ୟୁସୁଫ ୫୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମିଲ ହୁସେନ ୩୩, ଅବଦୁଲ ସମଦ ୨୮, ମହମ୍ମଦ ଇମରାନ ୨୩ ରନ କରିଥିଲେ । ଭାରତ ଏ’ ପକ୍ଷରୁ ହର୍ଷିତ ରାଣା, ପ୍ରିନ୍ସ ଯାଦବ, ସୂର୍ୟାଂଶ ସେଡଗେ ଓ ବିପ୍ରଜ ନିଗମ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଭାରତ ଏ’ ୨୫ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ବୈଭବ ସୂର୍ଯ୍ୟବଂଶୀ ୧୧ ରନ କରି ଆଉଟ୍ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ଆୟୂଷ ବାଦୋନି ଖାତା ଖୋଲିପାରି ନଥିଲେ ।
ଅନ୍ୟ ଓପନର ଅଭିଷେକ ଶର୍ମାଙ୍କ ସହ ତିଲକ ବର୍ମା ମିଶି ପାଳି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ରେ ୬୭ ରନ ଯୋଗ କରି ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇଥିଲେ । ଅଭିଷେକ ୪୨ଟି ବଲ୍ରୁ ୬ ଚୌକା ଓ ୬ ଛକା ବଳରେ ୭୦ ରନ କରି ଆଉଟ୍ ହେବା ପରେ ଭାରତୀୟ ଦଳ ଆଉ ମ୍ୟାଚକୁ ଫେରି ପାରି ନଥିଲା । କୁମାର କୁଶାଗ୍ର ୨, ରିଙ୍କୁ ସିଂ ୬, ସେଡଗେ ୩ ରନ କରି ପାଭିଲିୟନ ଫେରିଥିଲେ । ତିଲକ ୧୦୦ ରନ କରି ଆଉଟ୍ ହେବା ସହ ଭାରତୀୟ ଇନିଂସ ୨୬୫ରେ ଶେଷ ହୋଇଥିଲା । ପାକିସ୍ତାନ ପକ୍ଷରୁ ଅଲି ରାଜା ଓ ହାସାନ ନୱାଜ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।
source:prameya news


