Air India Suspends Saudi Flights: ମଧ୍ୟପ୍ରାଚ୍ୟରେ ଉତ୍ତେଜନା… ସାଉଦି ଆରବର ୩ଟି ସହରକୁ ବିମାନ ସେବା ବାତିଲ୍, ନଭେମ୍ବର ୩୦ ଯାଏ ରୋକ୍
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ସାଉଦି ଆରବକୁ ଯାଉଥିବା ସେମାନଙ୍କର ସମସ୍ତ ବିମାନ ସେବାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି । ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଜେଦ୍ଦା, ଦମ୍ମାମ ଏବଂ ରିୟାଦକୁ ଯାତାୟାତ କରୁଥିବା ସମସ୍ତ ବିମାନ ନଭେମ୍ବର ୩୦ ପର୍ଯ୍ୟନ୍ତ ବାତିଲ୍ ରହିବ । ଯେଉଁ ଯାତ୍ରୀମାନଙ୍କର ଟିକେଟ୍ ୨୩ ନଭେମ୍ବର ୨୦୨୬ କିମ୍ବା ତା’ ପୂର୍ବରୁ ବୁକ୍ ହୋଇଛି ଏବଂ ସେମାନଙ୍କର ଯାତ୍ରା ନଭେମ୍ବର ୩୦ ସୁଦ୍ଧା ହେବାର ଥିଲା, ସେମାନଙ୍କୁ ବିଶେଷ ଆଶ୍ୱସ୍ତି ପ୍ରଦାନ କରାଯିବ ।
ଯାତ୍ରୀମାନେ ବିନା କୌଣସି ଅତିରିକ୍ତ ଶୁଳ୍କରେ ସିଟ୍ ଉପଲବ୍ଧତା ଆଧାରରେ ସେମାନଙ୍କର ଟିକେଟ୍ ତାରିଖ ପରିବର୍ତ୍ତନ କରି ପାରିବେ । ଏହା ବ୍ୟତୀତ ଟିକେଟ୍ ବାତିଲ୍ କଲେ ସମ୍ପୂର୍ଣ୍ଣ ରିଫଣ୍ଡ୍ ମଧ୍ୟ ପାଇ ପାରିବେ । ଯାତ୍ରୀମାନେ ସେମାନଙ୍କର ନୂତନ ଯାତ୍ରା ୧୪ ଡିସେମ୍ବର ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରି ପାରିବେ । ଏୟାର ଇଣ୍ଡିଆର ଯାତ୍ରୀମାନେ ସାଉଦି ଆରବରେ ଥିବା ଏୟାର ଇଣ୍ଡିଆର ଯେକୌଣସି କାର୍ଯ୍ୟକ୍ଷମ ଷ୍ଟେସନ ପାଇଁ ନିଜର ଯାତ୍ରା ରିସିଡ୍ୟୁଲ୍ଡ କରି ପାରିବେ । ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନେ ସାଉଦି ଆରବ କିମ୍ବା ବହାରିନରେ ଥିବା ଏହାର ଯେକୌଣସି କାର୍ଯ୍ୟକ୍ଷମ ଷ୍ଟେସନ ପାଇଁ ଯାତ୍ରା ତାରିଖ ବଦଳାଇ ପାରିବେ ।
ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ , ଯାତ୍ରା ତାରିଖ ପରିବର୍ତ୍ତନ କିମ୍ବା ରିଫଣ୍ଡ୍ ପାଇବାରେ ସହାୟତା ପାଇଁ ଯାତ୍ରୀମାନେ ସେମାନଙ୍କର ସପୋର୍ଟ ଟିମ୍ ସହିତ ଯୋଗାଯୋଗ କରି ପାରିବେ :
- ଏୟାର ଇଣ୍ଡିଆ : +୯୧ ୧୧ ୬୯୩୨୯୩୩୩ / +୯୧ ୧୧ ୬୯୩୨୯୯୯୯୯
- ଏୟାର ଇଣ୍ଡିଆ ଏକ୍ସପ୍ରେସ : +୯୧ ୧୨୪ ୬୯୩୫୬୦୦
ଯାତ୍ରା ପୂର୍ବରୁ ଅପଡେଟ୍ ଦେଖିବାକୁ ପରାମର୍ଶ
ବିମାନ ଚଳାଚଳ ସ୍ଥଗିତ ରହିବା କାରଣରୁ ଏହି ସହରଗୁଡ଼ିକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଯୋଜନା ପ୍ରଭାବିତ ହୋଇପାରେ । ଯାତ୍ରୀମାନଙ୍କୁ ନିଜର ଫ୍ଲାଇଟ୍ ସ୍ଥିତି ଏବଂ ପରବର୍ତ୍ତୀ ସୂଚନା ପାଇଁ ଏୟାରଲାଇନ୍ସର ଅପଡେଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ଉତ୍ତେଜନା ଯୋଗୁଁ ବିମାନ ସେବା ପ୍ରଭାବିତ
ସାଉଦି ଆରବର ଏହି ଅଞ୍ଚଳରେ ବଢ଼ୁଥିବା ସୁରକ୍ଷାଜନିତ ଉତ୍ତେଜନା ଏବଂ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣର ଆଶଙ୍କା ମଧ୍ୟରେ ବିମାନ ସେବା ପ୍ରଭାବିତ ହେଉଛି । ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରାଯାଉ ଥିବା ଖବର ଏବଂ ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରାଯିବା ପରେ, ଏୟାରଲାଇନ୍ସ ପକ୍ଷରୁ ବିମାନ ପରିଚାଳନାକୁ ନେଇ ସତର୍କତା ବଢ଼ାଇ ଦିଆ ଯାଇଛି ।
source:prameya news


