El Niño impact: ଏଲନିନୋ ଯୋଗୁ ଭୂସ୍ଖଳନ,ହିମସ୍ଖଳନ ଆଶଙ୍କା, ଭାରତ ସମେତ ୫ ଦେଶ ଉପରେ ପଡ଼ିପାରେ ପ୍ରଭାବ

ଦେଶ

ନୂଆଦିଲ୍ଲୀ,୨୪\୧୧: ଗଡଜିଲ୍ଲା ଏଲ୍ ନିନୋ ବା ସୁପର ଏଲ୍ ନିନୋ ଚଳିତ ଶୀତଋତୁ ସହ ଆସନ୍ତାବର୍ଷ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରହିପାରେ । ଏହାଯୋଗୁ ହିନ୍ଦକୁଶ ହିମାଳୟ (ଏଚ୍କେଏଚ୍) ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ହେଲେ ହିମାଳୟ ଅଞ୍ଚଳରେ ଭୂସ୍ଖଳନ ଓ ହିମସ୍ଖଳନ ଘଟିବ । ଫଳରେ ଭାରତ ସମେତ ୫ଟି ଦେଶ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଚକେଏଚ୍ ୱିଣ୍ଟର ଆଉଟଲୁକ୍ ୨୦୨୬ ରିପୋର୍ଟରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି । କାଠମାଣ୍ଡୁସ୍ଥିତ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭେଲପମେଣ୍ଟ (ଆଇସିଆଇଏମ୍ଓଡି), ବେଜିଂର ନର୍ମାଲ ୟୁନିଭର୍ସିଟି ଏବଂ ଚାଇନିଜ ଏକାଡେମି ଅଫ୍ ସାଇନସେସର ଇନଷ୍ଟିଚ୍ୟୁଟ ଅଫ୍ ଆଟମୋସ୍ପିୟରିକ୍ ଫିଜିକ୍ସ ପକ୍ଷରୁ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟ ଅନୁସାରେ ଏଲ୍ ନିନୋ ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ହେବ । ଏହାର ପ୍ରଭାବ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ଲାଗି ରହିବ । ନେପାଳ ସମେତ ଆଫଗାନିସ୍ତାନ, ପାକିସ୍ତାନ, ଉତ୍ତର ଭାରତ ଏବଂ ଚୀନ୍ର ସିଜାଙ୍ଗ ସ୍ୱୟଂଶାସିତ ପ୍ରଦେଶ ଉପରେ ଏହାର ପ୍ରଭାବ ପଡିବ । ଏସବୁ ଅଞ୍ଚଳରେ ଅତ୍ୟଧିକ ବର୍ଷା ଓ ଅତ୍ୟଧିକ ଥଣ୍ଡା ହେବାର ଅନୁମାନ କରାଯାଇଛି । ଆମେରିକାର ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସ୍ଫିୟରିକ ଆଡମିନିଷ୍ଟ୍ରେସନ (ଏନ୍ଓଏଏ) ଦର୍ଶାଇଛି ବର୍ତ୍ତମାନ ଏଲ୍ ନିନୋ ମଜଭୁତରୁ ଆହୁରି ମଜଭୁତ ସ୍ଥିତରେ ରହିଛି । ୧୯୫୦ରେ ରେକର୍ଡ ଆରମ୍ଭ କରାଯିବା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି ।

ଆଇସିଆଇଏମ୍ଓଡି ବୈଜ୍ଞାନିକଙ୍କ କହିବାନୁଯାୟୀ ମଜଭୁତ ଏଲ୍ ନିନୋ ଯୋଗୁ ହିମାଳୟ ପାଦଦେଶରେ ଅଧିକ ବର୍ଷା ହେବ । ଉଚ୍ଚକ୍ଷେତ୍ରରେ ବରଫପାତ ହେବାରେ ସମ୍ଭବନା ରହିଛି । ତା’ଛଡା ଏହି ଅଞ୍ଚଳର କିଛି ସ୍ଥାନରେ ମରୁଡି ଦେଖାଦେଇପାରେ । ଏଥିସହ ଜଙ୍ଗଲରେ ନିଆଁ ଲାଗିବାର ଘଟଣା ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି । ଗତ କିଛିଦିନ ତଳେ ନେପାଳ ଓ ଭୁଟାନରେ ଆସିଥିବା ପ୍ରବଳ ବର୍ଷା ଓ ପ୍ରଳୟଙ୍କରୀ ବନ୍ୟା ପରେ ଏଭଳି ଚେତାବନୀ ଦିଆଯାଇଛି । ଗତ ଅଗଷ୍ଟରେ ହିନ୍ଦୁକୁଶ ଅଞ୍ଚଳରେ ବରଫ ହ୍ରଦରେ ବିସ୍ଫୋରଣ ଯୋଗୁ ନେପାଳର ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା । ଏଥିରେ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ଆହୁରି ୫ ହଜାରରୁ ଅଧିକ ଲୋକଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ଗତ ଅକ୍ଟୋବରରେ ଶିକାଗୋ ବିଶ୍ୱବିଦ୍ୟାଳୟର ଜଳବାୟୁ ବିଶେଷଜ୍ଞମାନେ କହିଥିଲେ ଯେ ସମଗ୍ର ବିଶ୍ୱ ବର୍ତ୍ତମାନ ସବୁଠାରୁ ବଡ ଶକ୍ତିଶାଳୀ ଏଲ୍ ନିନୋର ସାମନା କରୁଛି । ୧୯୫୦ ମସିହା ପରେ ଏହା ସବୁଠାରୁ ଶକ୍ତିଶାଳୀ ଏଲନିନୋ ବୋଲି ସେମାନେ ଦର୍ଶାଇଥିଲେ ।

source:prameya news


Related News