Stock market crash: ନିବେଶକଙ୍କ ୬ ଲକ୍ଷ କୋଟି ସ୍ବାହା ,୧୫୦୦ ପଏଣ୍ଟ ଖସିଲା ସେନସେକ୍ସ
ମୁମ୍ବାଇ,୨୪\୧୧: ସେୟାର ବଜାରରେ ଆଜି ବଡ଼ ଧରଣର ଭୂକମ୍ପ ଦେଖିବାକୁ ମିଳିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସେୟାର ବଜାରଗୁଡ଼ିକ ଖସିବା ଫଳରେ ଏହାର ପ୍ରଭାବ ଭାରତୀୟ ଇକ୍ୱିଟି ବଜାରରେ ସ୍ପଷ୍ଟ ଅନୁଭବ ହୋଇଛି । ସୋମବାର କାରବାର ଶେଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସରେ ୧୪୮୩.୭୨ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୮୨,୪୩୫.୯୯ ପଏଣ୍ଟରେ ବନ୍ଦ ହୋଇଛି ।
ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ନିଫ୍ଟି ୪୫୦ ପଏଣ୍ଟ ଖସି ୨୫,୩୪୯ ପଏଣ୍ଟରେ ବନ୍ଦ ହୋଇଛି । ମେଟାଲ, ବ୍ୟାଙ୍କିଙ୍ଗ ଏବଂ ଏନର୍ଜି ସେୟାରରେ ସବୁଠୁ ଅଧିକ ହ୍ରାସ ଘଟିଛି । ପୁଞ୍ଜି ବଜାରରେ ଏହି ହ୍ରାସ ମଧ୍ୟରେ ନିବେଶକଙ୍କ ମୋଟ ସମ୍ପତ୍ତି ୬.୩୯ ଲକ୍ଷ କୋଟି ଟଙ୍କା କମିଯାଇଛି । ବିଏସ୍ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୫୦୮ ଲକ୍ଷ କୋଟି ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି ।
ବିଶେଷଜ୍ଞଙ୍କ ଅନୁସାରେ, ବିଶ୍ୱବ୍ୟାପୀ ବଜାର ଗୁଡ଼ିକରେ ହ୍ରାସର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି । ସେୟାର ବଜାରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଥିଲା । ଏହି କାରଣରୁ ଏବେ ନିବେଶକ ଲାଭ ଅସୁଲି ବା ପ୍ରଫିଟ ବୁକିଂ କରୁଛନ୍ତି । ଏହା ପ୍ରଭାବରେ ବଜାର ଖସୁଛି । ସେନ୍ସେକ୍ସରେ ଟାଟା ଷ୍ଟିଲ, ଏଚ୍ଡିଏଫ୍ସି ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଅଲ୍ଟ୍ରାଟେକ୍ ସିମେଣ୍ଟର ସେୟାର ମୂଲ୍ୟରେ ୬% ହ୍ରାସ ଘଟିଛି । ଅନ୍ୟପକ୍ଷରେ, ଟିସିଏସ୍, ଟେକ୍ ମହିନ୍ଦ୍ରା, ଇନ୍ଫୋସିସ୍, ଏଚ୍ସିଏଲ୍ ଟେକ୍ ଏବଂ ମାରୁତି ସୁଜୁକିର ସେୟାର ମୂଲ୍ୟ ବଢ଼ିଛି । ପ୍ରଫିଟ୍ ବୁକିଂର ବଡ଼ କାରଣ ହେଉଛି ନିକଟରେ ବଜାର ରେକର୍ଡ ସ୍ତରରେ ପହଞ୍ଚିବା ।
source:prameya news


