Odisha Parab / ଇଣ୍ଡୋନେସିଆର ବାଲିରେ ଝଲସିବ ଓଡ଼ିଶାର କଳା ଓ ସଂସ୍କୃତି, ଆଜିଠୁ ଦୁଇଦିନିଆ ‘ଓଡ଼ିଶା ପର୍ବ ୨୦୨୬’

ଦେଶ

ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିରେ ଝଲସିବ ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ। ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ‘ଓଡ଼ିଶା ପର୍ବ ୨୦୨୬’ । ଏହି ଆନ୍ତର୍ଜାତୀୟ ଉତ୍ସବରେ ଓଡ଼ିଶାର ସମୃଦ୍ଧ ପରମ୍ପରା, ପାରମ୍ପରିକ କଳା, ନୃତ୍ୟ, ସଙ୍ଗୀତ ଓ ଐତିହାସିକ ସାମୁଦ୍ରିକ ସମ୍ପର୍କର ଝଲକ ଦେଖିବାକୁ ମିଳିବ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଓଡ଼ିଶାର ଏକ ପ୍ରତିନିଧି ଦଳ ବାଲିରେ ପହଞ୍ଚିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ବାଲିସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସର ମିଳିତ ସହଯୋଗରେ ଏହି ଭବ୍ୟ ଉତ୍ସବର ଆୟୋଜନ କରାଯାଉଛି ।

‘କଳିଙ୍ଗ ବେଳାଭୂମିରୁ ବାଲିର ହୃଦୟ ପର୍ଯ୍ୟନ୍ତ-ଗୋଟିଏ ସମୁଦ୍ର, ଶତାବ୍ଦୀ ଶତାବ୍ଦୀର ସାମୁଦ୍ରିକ ସମ୍ପର୍କ’ ରହିଛି ଏହି ପର୍ବର ମୁଖ୍ୟ ବିଷୟବସ୍ତୁ । ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ବୋଇତରେ ସମୁଦ୍ର ପଥ ଦେଇ ବାଲି ସମେତ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ଗଢ଼ିଥିଲେ । ସେହି ଗୌରବମୟ ଇତିହାସ ଆଜି ମଧ୍ୟ ଓଡ଼ିଆଙ୍କ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଓ କଟକର ପ୍ରସିଦ୍ଧ ବାଲିଯାତ୍ରା ମାଧ୍ୟମରେ ଏହି ସାମୁଦ୍ରିକ ପରମ୍ପରାକୁ ଓଡ଼ିଶାବାସୀ ଆଜି ବି ମନେ ପକାଉଛନ୍ତି । ଏହି ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ହେଉଛି ଏହି ଆୟୋଜନର ଅନ୍ୟତମ ଉଦ୍ଦେଶ୍ୟ ।

ଗତ ଜୁଲାଇରେ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଲିଯାତ୍ରାର ଐତିହାସିକ ଗୁରୁତ୍ୱ ଓ ଭାରତ-ଇଣ୍ଡୋନେସିଆର ପ୍ରାଚୀନ ସମ୍ପର୍କକୁ ଉଲ୍ଲେଖ କରିଥିଲେ । ଏହି ପୃଷ୍ଠଭୂମିରେ ଓଡ଼ିଶା ପର୍ବ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ନୂଆ ଦିଗ ଦେବା ସହ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଏହି ଉତ୍ସବ ମାଧ୍ୟମରେ ଓଡ଼ିଶାର ପରିଚୟ ଓ ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବା ସହ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ପର୍ଯ୍ୟଟନ, କଳା ଓ ସଂସ୍କୃତିର ସମ୍ପର୍କ ଆହୁରି ମଜବୁତ ହେବା ନେଇ ଆଶା ରହିଛି ।

source:argus news


Related News