Nvidia / ୧୧ ଦିନ ପରେ Nvidiaକୁ ଫେରିଲେ ଜେନସେନ ହୁଆଙ୍ଗ, ପୁଣି ସମ୍ଭାଳିଲେ CEO ଦାୟିତ୍ୱ

ବିଦେଶ

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଚିପ୍ ନିର୍ମାତା କମ୍ପାନୀ Nvidiaରେ ପୁଣି ଥରେ CEO ଦାୟିତ୍ୱ ସମ୍ଭାଳିଛନ୍ତି କମ୍ପାନୀର ସହ-ପ୍ରତିଷ୍ଠାତା ଜେନସେନ ହୁଆଙ୍ଗ । ନଭେମ୍ବର ୧୨ରେ ସେ CEO ପଦ ଛାଡ଼ିଥିଲେ । ଇସ୍ତଫାର ୧୧ ଦିନ ପରେ ନଭେମ୍ବର ୨୩ରେ କମ୍ପାନୀର ବୋର୍ଡ ତାଙ୍କୁ ପୁଣି ଥରେ CEO ଭାବେ ନିଯୁକ୍ତ କରିଛି । ଏନେଇ Nvidia ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି ।

କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସର୍ବସମ୍ମତିକ୍ରମେ ହୁଆଙ୍ଗଙ୍କୁ ପୁଣି ଥରେ ଏହି ଦାୟିତ୍ୱ ଦେଇଛି । ତାଙ୍କ ସହ ଆଲୋଚନା ଓ ବୈଠକ ପରେ ବୋର୍ଡ ତାଙ୍କ ଉପରେ ଭରସା ପ୍ରକାଶ କରିଛି । ଏହା ସହ ଆମେରିକା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମତ ମଧ୍ୟ ନିଆଯାଇଥିଲା । ହୁଆଙ୍ଗଙ୍କ ପୁନଃ ନିଯୁକ୍ତି ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ବୋର୍ଡ କହିଛି ।


କାହିଁକି ଛାଡ଼ିଥିଲେ CEO ପଦ ?

ନଭେମ୍ବର ୧୨ରେ ଜେନସେନ ହୁଆଙ୍ଗ CEO ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ କମ୍ପାନୀର CFO କୋଲେଟ୍ କ୍ରେସ୍‌ଙ୍କୁ ଅନ୍ତରୀଣ CEO ଦାୟିତ୍ୱ ଦିଆଯାଇଥିଲା । ହୁଆଙ୍ଗ ଜଣେ ଚୀନ ମହିଳାଙ୍କ ସହ ସମ୍ପର୍କକୁ ନେଇ ବିବାଦୀୟ ହୋଇ ପଡ଼ିଥିଲେ । ଏପରିକି ମହିଳାଙ୍କ ମାଧ୍ୟମରେ ଚୀନ Nvidiaର ଟେକ୍ନୋଲୋଜି ଚୋରି କରିିଥିବା ଭଳି ଅଭିଯୋଗ ଆସିଥିଲା । ଯାହା ପରେ ଜେନସେନ ହୁଆଙ୍ଗ ଇସ୍ତଫା ଦେଇଥିଲେ ।

ପରେ ନଭେମ୍ବର ୧୭ରେ ହୁଆଙ୍ଗ କହିଥିଲେ, ଯଦି କମ୍ପାନୀର ବୋର୍ଡ ତାଙ୍କ ଫେରିବାକୁ କମ୍ପାନୀର ସ୍ଵାର୍ଥ ପାଇଁ ଠିକ୍ ବୋଲି ଭାବେ, ତେବେ ସେ ପୁଣି ଦାୟିତ୍ୱ ନେବାକୁ ପ୍ରସ୍ତୁତ । ତେବେ ସେତେବେଳେ ବୋର୍ଡ ତାଙ୍କୁ ଫେରାଇ ଆଣିବାକୁ ମନା କରିଥିଲା । ଏବେ ନଭେମ୍ବର ୨୩ରେ ନିଷ୍ପତ୍ତି ବଦଳାଇ ତାଙ୍କୁ ପୁଣି CEO କରାଯାଇଛି ।

CFO ରହିବେ କୋଲେଟ୍ କ୍ରେସ୍

ହୁଆଙ୍ଗଙ୍କ ଇସ୍ତଫା ପରେ କୋଲେଟ୍ କ୍ରେସ୍ ଅନ୍ତରୀଣ CEO ଭାବେ କାମ କରୁଥିଲେ । ଏବେ ହୁଆଙ୍ଗ ପୁଣି ଦାୟିତ୍ୱକୁ ଫେରିବା ପରେ କ୍ରେସ୍ ନିଜର CFO ପଦରେ କାମ ଜାରି ରଖିବେ । କମ୍ପାନୀର ବୋର୍ଡ ଅଧ୍ୟକ୍ଷ ହାର୍ଭେ ଜୋନ୍ସ ଅନ୍ତରୀଣ CEO ଭାବେ କ୍ରେସ୍‌ଙ୍କ କାମକୁ ପ୍ରଶଂସା କରିଛନ୍ତି ।


Nvidia ପାଇଁ ଜେନସେନ ହୁଆଙ୍ଗ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଜେନସେନ ହୁଆଙ୍ଗ Nvidiaର ସହ-ପ୍ରତିଷ୍ଠାତା । ଦୀର୍ଘ ୩୩ ବର୍ଷ ଧରି ସେ କମ୍ପାନୀର ନେତୃତ୍ୱ ନେଇ ଆସିଛନ୍ତି । ଭିଡିଓ ଗେମ୍ ପାଇଁ ଗ୍ରାଫିକ୍ସ ଚିପ୍ ତିଆରି କରୁଥିବା Nvidiaକୁ ଆଜି AI ଓ ଆଡଭାନ୍ସଡ୍ କମ୍ପ୍ୟୁଟିଂ କ୍ଷେତ୍ରର ଏକ ବଡ଼ କମ୍ପାନୀ ଭାବେ ଗଢ଼ିବାରେ ତାଙ୍କର ବଡ଼ ଭୂମିକା ରହିଛି । ତେଣୁ ଜେନସେନ ପୁନର୍ବାର CEO ହେବା ନିଷ୍ପତ୍ତିକୁ ଟେକ୍ନୋଲୋଜି ଜଗତରେ ଉତ୍ସାହ ଆଣିଛି ।

source:argus news


Related News