Indonesia Seizes Cargo Ship: ଚୀନ୍‌ରୁ ବାଂଲାଦେଶ ଯାଉଥିଲା ୪୦୫ ଟନ୍ ମିସାଇଲ୍ କେମିକାଲ୍, ଇଣ୍ଡୋନେସିଆରେ ଜବତ

ବିଦେଶ

ନୂଆଦିଲ୍ଲୀ, ୨୪।୧୧: ଇଣ୍ଡୋନେସିଆ ନୌସେନା ଚୀନ୍‌ରୁ ବାଂଲାଦେଶ ଯାଉଥିବା ଏକ ଜାହାଜକୁ ଅଟକାଇ ସେଥିରୁ ୪୦୫ ଟନ୍‌ କେମିକାଲ ଜବତ କରିଛି । ରକେଟ୍‌ ଏବଂ ମିସାଇଲ୍‌ ବନାଇବା ଲାଗି ସେହି କେମିକାଲକୁ ବ୍ୟବହାର କରାଯାଇଥାଏ । ଜବତ ହୋଇଥିବା କେମିକାଲ୍‌ ମାଧ୍ୟମରେ ପ୍ରାୟ ୧୦୦ଟି ମିସାଇଲ୍‌ ପାଇଁ ପ୍ରୋପେଲେଣ୍ଟ ପ୍ରସ୍ତୁତ କରାଯାଇପାରିବ ବୋଲି ଇଣ୍ଡୋନେସିଆ ନୌସେନାର ଜଣେ କମାଣ୍ଡର କହିଛନ୍ତି । ଜାହାଜରୁ ପଞ୍ଜୀକରଣ ହୋଇନଥିବା ଲକ୍ଷାଧିକ ୪-ଜି ସିମ୍‌ କାର୍ଡ ବି ମିଳିଛି । ଏପରିସ୍ଥଳେ ଘଟଣା ସାମ୍ନାକୁ ଆସିବା ପରେ ବାଂଲାଦେଶରେ ଏହି କଞ୍ଚାମାଲକୁ କିଏ ମଗାଇଥିଲା ସେଥିନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆଫ୍ରିକୀୟ ଦେଶ କୋମୋରୋସ୍‌ର ପତାକା ଲାଗିଥିବା ମାଲବାହୀ ଜାହାଜ ଏମ୍‌ଭି ଷ୍ଟାର ଲାଇନ୍ସ ଚୀନ୍‌ର ଲିୟାନୟୁଗାଙ୍ଗ ବନ୍ଦରରୁ ବାଂଲାଦେଶର ମୋଙ୍ଗଲା ବନ୍ଦର ଯାଉଥିଲା । ନଭେମ୍ବର ୮ରେ ତାହା ବାଂଲାଦେଶ ପହଞ୍ଚିବାର ଥିଲା ।

ତେବେ ଏହା ପୂର୍ବରୁ ନଭେମ୍ବର ୭ରେ ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ବେଲାବନ୍‌ ବନ୍ଦର ନିକଟରେ ଜାହାଜଟି ପହଞ୍ଚିଥିଲା । ଏହି ସମୟରେ ଇଣ୍ଡୋନେସିଆ ନୌସେନାର ଏକ ପାଟ୍ରୋଲିଂ ଜାହାଜକୁ ଏହାର ଗତିବିଧି ସନ୍ଦିଗ୍ଧ ଲାଗିଥିଲା । ନୌସେନା ପକ୍ଷରୁ ରେଡିଓରେ ଏମ୍‌ଭି ଷ୍ଟାର ଲାଇନ୍ସକୁ ଅଟକିବାକୁ ବାର୍ତ୍ତା ଦିଆଯାଇଥିଲା । କିନ୍ତୁ ଆରପଟୁ କୌଣସି ଜବାବ ମିଳିନଥିଲା । ଏହାପରେ ନୌସେନା ଜାହାଜକୁ ଅଟକାଇ ଯାଞ୍ଚ ଆରମ୍ଭ କରିଥିଲା । ସେଥିରେ ଥିବା ୧୫ଟି କଣ୍ଟେନରରୁ ୪୦୫ ଟନ୍‌ ସୋଡିୟମ ପରକ୍ଲୋରେଟ୍‌ ମିଳିଥିଲା । ଏହି ରସାୟନକୁ ରକେଟ୍‌ ଏବଂ ମିସାଇଲ୍‌ରେ ପ୍ରୋପେଲେଣ୍ଟ ବନାଇବାରେ ବ୍ୟବହାର କରାଯାଇଥାଏ । ବାଂଲାଦେଶ ନିକଟରେ ଗୋଳାବାରୁଦ ଏବଂ ଛୋଟ ଅସ୍ତ୍ରଶସ୍ତ୍ର ବନାଇବା ପାଇଁ ସାମରିକ ଶିଳ୍ପ ରହିଛି । କିନ୍ତୁ ସେଠାରେ ରକେଟ୍‌ ଏବଂ ମିସାଇଲ୍‌ ବନାଇବାକୁ ଜରୁରି ମୌଳିକ ସୁବିଧା ନାହିଁ । ଏଭଳିକ୍ଷେତ୍ରରେ ଏହି ସାମଗ୍ରୀକୁ ମଗାଇବା ପଛର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

source:prameya news


Related News