Weather Update: କୁହୁଡ଼ି ନେଇ ୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ, ଡିସେମ୍ବରରେ ଥଣ୍ଡା ବଢ଼ିବା ନେଇ ପୁର୍ବାନୁମାନ

ରାଜ୍ୟ

ଭୁବନେଶ୍ବର,୨୪\୧୧: ରାଜ୍ୟରେ ଏବେ ଶୀତର ପ୍ରକୋପ ଅନୁଭୂତ ହେଉନାହିଁ। ହେଲେ ନଭେମ୍ବର ଶେଷ ସପ୍ତାହରୁ ପାଗରେ ଆସିବ ବଡ଼ ପରିବର୍ତ୍ତନ। ଫଳରେ ଥଣ୍ଡାର ପ୍ରକୋପ ବଢ଼ିବ। ଆସନ୍ତା ୪ ଦିନ ମଧ୍ୟରେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । କନ୍ଧମାଳ, ଫୁଲବାଣୀ, ଦାରିଙ୍ଗବାଡ଼ି, କୋରାପୁଟ, ସିମିଳିଗୁଡ଼ା ପରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିବା ନେଇ ପୁର୍ବାନୁମାନ କରାଯାଇଛି । ସେହିପରି ରାଉରକେଲା, ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା, କେନ୍ଦୁଝର ସହରରେ ପାରଦ ୧୧ ଡିଗ୍ରି ରହିପାରେ । ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରି ଉପରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ତାପମାତ୍ରା ୩ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହିତ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ମାଲକାନଗିର ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । 

ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୭ ଡିଗ୍ରି ଓ ଉପକୂଳ ଓଡ଼ିଶାରେ ୪ରୁ ୫ ଡିଗ୍ରି ଅଧିକ ରହିଥିଲା। ଜଗତ୍ସିଂହପୁର, ଖୋରଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି, ସିମିଳିଗୁଡ଼ାରେ ୧୪.୬ ଡିଗ୍ରି, ଜି.ଉଦୟଗିରିରେ ୧୫.୨ ଡିଗ୍ରି ରହିଥିଲା। ନଭେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ଡିସେମ୍ବରରେ ଥଣ୍ଡା ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

source:prameya news


Related News