Delhi Air Pollution: ଦିଲ୍ଲୀରେ ଚାଲିବ କେବଳ BS-6 ଗାଡ଼ି ! ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ଦେଶ

ନୂଆଦିଲ୍ଲୀ, ୨୪।୧୧: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ସୋମବାର ଉଦ୍‌ବେଗ ପ୍ରକାଶ କରିଛନ୍ତି । ପ୍ରଦୂଷଣ ହ୍ରାସ ପାଇଁ କେବଳ ବିଏସ୍‌-୬ ଯାନବାହନ ଚଳାଚଳକୁ ଦେଇଛନ୍ତି ଗୁରୁତ୍ୱ । ଏଥିସହିତ ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଦ୍ଧିତ ସଙ୍କଟର ମୁକାବିଲା ସକାଶେ ଅଦାଲତ ଏକ ପାଞ୍ଚ ବର୍ଷିଆ ଆକ୍ସନ ପ୍ଲାନ ମାଗିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚି ଏବଂ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ବାୟୁ ପ୍ରଦୂଷଣ ସଂକ୍ରାନ୍ତ ମାମଲାର ଶୁଣାଣି କରିଛନ୍ତି । ଅଦାଲତ ଏଥର କେବଳ ବାୟୁ ଗୁଣବତ୍ତା ଏକ୍ୟୁଆଇକୁ ନେଇ ଚିନ୍ତାବ୍ୟକ୍ତ କରିନାହାନ୍ତି, ବରଂ ପ୍ରଦୂଷଣର କିଭଳି ମୁକାବିଲା କରିହେବ, ତାହାର ଠୋସ ଯୋଜନା ମାଗିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପ୍ରଦୂଷଣ ଲାଗି ଦିଲ୍ଲୀ ଏକା ଦାୟୀ ନୁହେଁ । ଏଥିଲାଗି ପଡ଼ୋଶୀ ରାଜ୍ୟଗୁଡ଼ିକର ମଧ୍ୟ ସମାନ ଦାୟିତ୍ୱ ରହିଛି । ପଡ଼ୋଶୀ ରାଜ୍ୟଗୁଡ଼ିକଠାରୁ ଅଦାଲତ ଅଧିକ ଉତ୍ତରଦାୟିତ୍ୱ ଦାବି କରିଛନ୍ତି ।

କୋର୍ଟ କହିଛନ୍ତି, ଯଦି ବିଏସ୍‌-୬ ମାନର ଯାନବାହନ ତମାମ ଏନ୍‌ସିଆର୍‌ (ଜାତୀୟ ରାଜଧାନୀ ଅଞ୍ଚଳ)ରେ ଚଳାଚଳ କରାଯାଇ ନ ପାରିବ, ତେବେ ଏହି ନିୟମ ପ୍ରଥମେ ଦିଲ୍ଲୀରେ କାର୍ଯ୍ୟକାରୀ ହେବା ଆବଶ୍ୟକ । ଏନ୍‌ସିଆର୍‌ରେ ପ୍ରଦୂଷଣ କମାଇବା ଲାଗି ନିଆଯାଇଥିବା ପଦକ୍ଷେପ ବାବଦରେ ଅଦାଲତ ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ବଢ଼ାଉଥିବା ବାଣିଜ୍ୟିକ ଯାନଗୁଡ଼ିକୁ ରୋକିବା ପାଇଁ ଯୋଜନା ବନାଇବାକୁ ହେବ । ଦିଲ୍ଲୀ ସୀମାରେ ହିଁ ଏଗୁଡ଼ିକୁ ରୋକାଯିବା ଜରୁରି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରୋକାଯିବା ଉଚିତ ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ସିଜେଆଇ କହିଛନ୍ତି, ବାଣିଜ୍ୟିକ ଯାନକୁ ପ୍ରବେଶ ଅନୁମତି ନ ଦେବା ଲାଗି ଉପଯୁକ୍ତ ଉପାୟ ଖୋଜାଯିବା ଜରୁରି । ସୀମାରେ ପଣ୍ୟାଗାର ନିର୍ମାଣ ଲାଗି ବି ସେ ପରାମର୍ଶ ଦେଇଛନ୍ତି ।

source:prameya news


Related News