Kalinga Stadium: ବୁଧବାରଠୁ ବିମ୍‌ଷ୍ଟେକ୍‌ ୨୩ ବର୍ଷରୁ କମ୍‌ ଆଥଲେଟିକ୍ସ; ଆସୁଛନ୍ତି ୭ ଦେଶର ଆଥଲେଟ୍‌

ଖେଳ

ଭୁବନେଶ୍ୱର, ୨୪/୧୧: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିମଷ୍ଟେକ୍‌ (ବିଆଇଏମ୍‌ଏସ୍‌ଟିଇସି) ୨୩ ବର୍ଷରୁ  କମ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ପ୍ରଥମ ସଂସ୍କରଣ । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସହଯୋଗରେ ଭାରତୀୟ ଆଥଲେଟିକ୍ ସଂଘ (ଏଏଫ୍‌ଆଇ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଏହି କ୍ରୀଡ଼ା ହେବାକ ଯାଉଛି । କଳିଙ୍ଗ ଷ୍ଟାଡିୟମରେ ଏହା ଆସନ୍ତା  ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିଠୁ ବିଭିନ୍ନ ଦଳ ଭୁବନେଶ୍ୱର ପହଞ୍ଚିବାରେ ଲାଗିଛନ୍ତି ।  ନେପାଳ ଓ ମ୍ୟାଁମାର ଦଳ ଆଜି ବିଜୁ ପଟ୍ଟନାୟକ  ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା  ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଦକ୍ଷିଣ ଏସିଆର ୭ଟି ଦେଶର ଯୁବ ଆଥଲେଟମାନେ ଏହି ପ୍ରତିଯୋଗିତାରେ ଭାଗ ନେବେ । ଆୟୋଜକ ଭାରତ ସମେତ ଥାଇଲାଣ୍ଡ,  ଶ୍ରୀଲଙ୍କା, ନେପାଳ, ଭୂଟାନ,ବାଂଲାଦେଶ ଓ  ମ୍ୟାଁମାରର ୨୩ ବର୍ଷରୁ କମ୍‌ ଆଥଲେଟମାନେ  ପ୍ରତିଯୋଗିତାରେ ସାମିଲ ହେଉଛନ୍ତି । ମଙ୍ଗଳବାର ସୁଦ୍ଧା ବିଭିନ୍ନ ଦଳର ଆଥଲେଟମାନେ ପହଞ୍ଚି ଷ୍ଟାଡିୟମରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଠାରୁ ପ୍ରତିଯୋଗିତା ଆରମ୍ଭ ହେବ ।  ପୁରୁଷ  ଓ ମହିଳାରେ ମୋଟ୍‌ ୧୪ଟି ଇଭେଣ୍ଟରେ  ପ୍ରତିଯୋଗିତା ହେବ । ଏଥିସହିତ ପୁରୁଷ ଓ ମହିଳାରେ ୪ ଗୁଣା ୧୦୦ ମିଟର ଏବଂ ୪ ଗୁଣା  ୪୦୦ ମିଟର ରିଲେ ମଧ୍ୟ ସାମିଲ ରହିଛି । 

ଗତ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ  ଜୟପୁରରେ ଆୟୋଜିତ ୬ଷ୍ଠ ଇଣ୍ଡିଆନ ୨୩  ବର୍ଷରୁ କମ୍‌ ଆଥଲେଟିକ୍ସ ଏବଂ ଚେନ୍ନାଇରେ  ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୪୧ତମ ଜାତୀୟ ଜୁନିୟର ଆଥଲେଟିକ୍ସରୁ ଏଏଫ୍‌ଆଇ  ଦଳ ଚୟନ କରିଛି । ୯୫ ଜଣିଆ ଭାରତୀୟ ଦଳ  ପ୍ରତିଯୋଗିତାରେ ଭାଗ ନେବେ । ଏଥିରେ ୪୮  ଜଣ ପୁରୁଷ ଓ ୪୭ ଜଣ ମହିଳା ସାମିଲ ରହିଛନ୍ତି ।  ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ  କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଥଲେଟମାନେ ମୁଖ୍ୟ ଷ୍ଟାଡିୟମ ସହ  ଅଭ୍ୟାସ ଗ୍ରାଉଣ୍ଡରେ ଅଭ୍ୟାସ କରିବେ । ପୂର୍ବରୁ  ଓଡ଼ିଶା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌,  ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର  ବ୍ରୋଞ୍ଜ ଓ ରୌପ୍ୟ ପ୍ରତିଯୋଗିତାକୁ ବେଶ  ସଫଳତାର ସହ ଆୟୋଜନ କରିଛି । ପୁଣି  ୨୦୨୮ରେ ଏସିଆନ ଇନଡୋର ଆଥଲେଟିକ୍ସ  ଏବଂ ବିଶ୍ୱ ଇନ୍‌ଡୋର ଆଥଲେଟିକ୍ସ  ଆୟୋଜନ କରିବା ନେଇ ପ୍ରସ୍ତୁତ ହେଉଛି ।

source:prameya news


Related News