Hockey Asian Champions Trophy: ହକିରେ ଭାରତର ଧମାକା, ଥାଇଲାଣ୍ଡକୁ ହରାଇ ହାତେଇଲା ସେମି ଟିକେଟ୍
ନୂଆଦିଲ୍ଲୀ,୨୩/୧୧; ଚଳିତ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିର ନବମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ କ୍ରମାନ୍ୱୟରେ ତୃତୀୟ ବିଜୟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି । ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଦଳ ଏକତରଫା ୭-୦ ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା । ଅଭିଜ୍ଞ ଖେଳାଳି ଦୀପିକା ହ୍ୟାଟ୍ରିକ୍ ଗୋଲ୍ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତ ୩ଟି ମ୍ୟାଚ୍ ଖେଳି ମୋଟ ୯ପଏଣ୍ଟ ସହ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଜାପାନ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ଗୋଲ୍ ବ୍ୟବଧାନରେ ଭାରତଠୁ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ଓ ମାଲେସିଆ ସମାନ ୪ପଏଣ୍ଟ ସହ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଭାରତୀୟ ଦଳ ଆସନ୍ତା ୨୪ ତାରିଖରେ ଚୀନକୁ ଭେଟିବ । ଭାରତ-ଥାଇଲାଣ୍ଡ ମ୍ୟାଚ୍ ଏକତରଫା ହୋଇଥିଲା । ଆୟୋଜକ ଦଳ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳି ଗୋଲ୍ ବର୍ଷା କରିଥିଲା । ପ୍ରଥମ କ୍ୱାର୍ଟର ଆରମ୍ଭରୁ ଭାରତ ଘନଘନ ଆକ୍ରମଣ କରିଥିଲା । ପ୍ରଥମ ଓ ଚତୁର୍ଥ ମିନିଟ୍ରେ ଦଳକୁ ୨ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ମାତ୍ର ଏହା ବିଫଳ ଯାଇଥିଲା । ଚତୁର୍ଥ ମିନିଟ୍ରେ ଖାତା ଖୋଲିଥିଲା ଭାରତ । ଦଳକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍କୁ ନବନୀତ କୌର ଗୋଲ୍ରେ ରୂପାନ୍ତରିତ କରିଥିଲେ । ଏହାର ୫ମିନିଟ୍ ମଧ୍ୟରେ ଦୀପିକା (ଦଶମ ଓ ୧୧ତମ ମିନିଟ୍) ଆଉ ୨ଟି ଗୋଲ୍ କରି ଭାରତକୁ ୩-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ । ସେ ପେନାଲ୍ଟି କର୍ଣ୍ଣରରେ ୨ଟି ଯାକ ଗୋଲ୍ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମୁମତାଜ୍ ଖାନ୍ (୨୮ତମ ମିନିଟ୍) ଓ ତୃତୀୟ କ୍ୱାର୍ଟରରେ ଓଡ଼ିଆ ଝିଅ
ସୁନେଲିତା ଟପ୍ପୋ (୩୨ ମିନିଟ୍ ପେନାଲ୍ଟି କର୍ଣ୍ଣର) ଗୋଲ୍ କରି ଭାରତକୁ ୫-୦ରେ ଆଗୁଆ କରାଇଥିଲେ । ଥାଇଲାଣ୍ଡ ୩ଟି ଯାକ କ୍ୱାର୍ଟରରେ ଗୋଲ୍ ଖାତା ଖୋଲିପାରିନଥିଲା । ଅନ୍ତିମ କ୍ୱାର୍ଟରରେ ନବନୀତ କୌର (୫୬ତମ ମିନିଟ୍, ପେନାଲ୍ଟି ଷ୍ଟ୍ରୋକ୍) ନିଜର ଦ୍ୱିତୀୟ ଗୋଲ୍ କରିଥିବାବେଳେ ଦୀପିକା ୫୬ତମ ମିନିଟ୍ (ପେନାଲ୍ଟି କର୍ଣ୍ଣର)ରେ ହ୍ୟାଟ୍ରିକ୍ ପୂରଣ କରିଥିଲେ । ଭାରତ ୭-୦ରେ ଆଗେଇ ଥିଲା । ଥାଇଲାଣ୍ଡ ଶତଚେଷ୍ଟା ସତ୍ତେ୍ୱ ଗୋଲ୍ ପରିଶୋଧ କରିପାରିନଥିଲା । ଅନ୍ୟ ମ୍ୟାଚ୍ଗୁଡ଼ିକରେ ମାଲେସିଆ ୩-୧ ଗୋଲ୍ରେ କୋରିଆକୁ ହରାଇ ଥିବାବେଳେ ଜାପାନ ୩-୧ ଗୋଲ୍ରେ ଚୀନକୁ ପରାଜିତ କରିଥିଲା ।
ମହିଳା ହକି ଏସିଆନ ଚାମ୍ପିଅନସିପରେ ଭାରତ ମାଲେସିଆ ପରେ ଦକ୍ଷିଣ କୋରିଆକୁ ମାତ୍ ଦେଇଥିଲା । ବ୍ୟାକ୍ ଟୁ ବ୍ୟାକ୍ ତୃତୀୟ ବିଜୟ ସହ ଭାରତ ସେମି ଫାଇନାଲରେ । ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିର ନବମ ସଂସ୍କରଣରେ ଭାରତ କ୍ରମାନ୍ୱୟରେ ତୃତୀୟ ବିଜୟ ହାସଲ କରିଛି ।
source:prameya news


