China spy satellites : ‘ଅପରେସନ୍ ସିନ୍ଦୂର’ ବେଳେ ଭାରତ ଉପରେ ଥିଲା ଚୀନ୍ର ନଜର , ୩ ସ୍ପାଏ Satellite କରୁଥିଲେ ନିରୀକ୍ଷଣ
ନୂଆଦିଲ୍ଲୀ : ଗତବର୍ଷ ଏପ୍ରିଲରେ ଜମ୍ମୁ-କାଶ୍ମୀରରେ ହୋଇଥିଲା ପହଲଗାମ ଆତଙ୍କବାଦୀ ଆକ୍ରମଣ । ଏହା ପରେ ମେ’ ମାସର ପ୍ରଥମ ସପ୍ତାହରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ହୋଇଥିଲା, ଯାହାକୁ ‘ଅପରେସନ୍ ସିନ୍ଦୂର’ ନାମ ଦିଆଯାଇ ଥିଲା । ଭାରତୀୟ ସେନା ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥିଲା ଏବଂ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ପଶି ସେଠାରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରି ଦେଇ ଥିଲା । ଏହି ସଂଘର୍ଷ ୧୦ ମେ’ ପର୍ଯ୍ୟନ୍ତ ଚାଲି ଥିଲା । ଏହି ସମୟରେ ପାକିସ୍ତାନକୁ କେବଳ ତୁର୍କୀ ନୁହେଁ, ଚୀନ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ସାହାଯ୍ୟ କରି ଥିଲା ।
ବର୍ତ୍ତମାନ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଅପରେସନ୍ ସିନ୍ଦୂର ସମୟରେ ଚୀନ ପାକିସ୍ତାନକୁ ସାହାଯ୍ୟ କରିବା ଏବଂ ତାକୁ ଗୁପ୍ତ ସୂଚନା ଦେବା ପାଇଁ ମହାକାଶରୁ ଭାରତୀୟ ସାମରିକ ଘାଟି, ବନ୍ଦର ଏବଂ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଗୁପ୍ତଚର କରୁଥିଲା । ଏଥିପାଇଁ ଚାଲାକ ଚୀନ ଗୁଜରାଟ ଉପକୂଳ ଉପରେ ତିନୋଟି ସାଟେଲାଇଟ୍ ମୁତୟନ କରି ରଖିଥିଲା । ସୂଚନା ଯେ, ଅପରେସନ୍ ସିନ୍ଦୂର ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥଳ ଓ ଆକାଶ ସଂଘର୍ଷ ଜମ୍ମୁ-କାଶ୍ମୀର ଓ ପଞ୍ଜାବ ସୀମାରେ କେନ୍ଦ୍ରିତ ଥିଲା ।
‘ଦି ପ୍ରିଣ୍ଟ’ର ରିପୋର୍ଟରେ ବେଙ୍ଗାଲୁରୁ ସ୍ଥିତ ସ୍ପେସ୍ ସର୍ଭିଲାନ୍ସ କମ୍ପାନୀ ‘ଦିଗନ୍ତରା’ (Digantara)ର ତଥ୍ୟ ଆଧାରରେ ବିଶ୍ଳେଷଣ କରାଯାଇଛି । କୁହାଯାଇଛି ଯେ ୧୦ ଏବଂ ୧୧ ମେ’ ୨୦୨୫ରେ ଚୀନର ତିନୋଟି ପ୍ରମୁଖ ସର୍ଭିଲାନ୍ସ ସାଟେଲାଇଟ୍ ନିଙ୍ଗସିଆ-୧୪ (Ningxia-14), ଗାଓଫେନ୍-୧୧ (Gaofen-11) ଏବଂ ୟାଓଗାନ-୩୦ (Yaogan-30) ଗୁଜରାଟ ଉପକୂଳର ସାମରିକ ଓ ନାଗରିକ ପ୍ରତିଷ୍ଠାନ ଉପରେ ଲଗାତାର ଫୋକସ୍ ବଜାୟ ରଖି ଥିଲା। ଏହି ଉପଗ୍ରହଗୁଡ଼ିକ ଇଲେକ୍ଟ୍ରୋନିକ୍ ସିଗନାଲ୍ ଧରିବା, ହାଇ-ରିଜୋଲ୍ୟୁସନ୍ ଫଟୋ ଉଠାଇବା ଏବଂ ସାମରିକ ଓ ସାମୁଦ୍ରିକ କାର୍ଯ୍ୟକଳାପର ଗୁପ୍ତ ସୂଚନା ସଂଗ୍ରହ କରିବାରେ ସକ୍ଷମ।
ଏହି ସାଟେଲାଇଟ୍ ଗୁଡ଼ିକ ଗୁଜରାଟର ଭୁଜ, ନଲିଆ ଓ ଜାମନଗର ଭଳି ଅଞ୍ଚଳ ଉପରେ ନଜର ରଖି ଥିଲେ । ସେମାନଙ୍କ ଟାର୍ଗେଟରେ ଥିଲା ଆଗୁଆ ବାୟୁସେନା ଘାଟି, ନୌସେନା ପ୍ରତିଷ୍ଠାନ ଏବଂ ଜାମନଗର ଭଳି ଶକ୍ତି ପ୍ରତିଷ୍ଠାନ । ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ସୀମା ନିକଟରେ ଥିବା ଭାରତୀୟ ବାୟୁସେନାର ରଣନୀତିକ ଭୁଜ ଏବଂ ନଲିଆ ଏୟାରବେସ୍ ଏହି ଉପଗ୍ରହଗୁଡ଼ିକର ସିଧାସଳଖ ସର୍ଭିଲାନ୍ସ ପରିସରରେ ଥିଲା। ଏହା ବ୍ୟତୀତ ଆରବ ସାଗରର ସୁରକ୍ଷାରେ ମୁତୟନ ଥିବା ଭାରତୀୟ ନୌସେନାର ପ୍ରମୁଖ କେନ୍ଦ୍ର INS ସର୍ଦାର ପଟେଲ ଏବଂ INS ଦ୍ୱାରକାର କାର୍ଯ୍ୟକଳାପକୁ ମଧ୍ୟ ଟ୍ରାକ୍ କରାଯାଉ ଥିଲା । ଦେଶର ଶକ୍ତି ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜାମନଗର ରିଫାଇନାରୀ ଓ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ଏହାର ବନ୍ଦର ମଧ୍ୟ ଗୁପ୍ତଚର କରୁଥିବା ଚୀନ୍ ଉପଗ୍ରହର ପରିସରରେ ଥିଲା।
ସୂଚନା ଯେ ,୨୨ ଏପ୍ରିଲ ୨୦୨୫ରେ ପହଲଗାମ ଉପତ୍ୟକାରେ ଆତଙ୍କବାଦୀ ସଂଗଠନ TRF ଦ୍ୱାରା ଧର୍ମ ପଚାରି ୨୬ ଜଣ ଲୋକଙ୍କୁ ହତ୍ୟା କରାଯିବାର ଜବାବରେ ଭାରତ ୭ ମେ’ରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ରିପୋର୍ଟ ଅନୁଯାୟୀ, ଯେଉଁଦିନ ଭାରତ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲା (୭ ମେ’), ସେହିଦିନ ହିଁ ଚୀନର ‘ୟାଓଗାନ-୪୩ ୦୧ଜି’ (Yaogan-43 01G) ସାଟେଲାଇଟ୍ ନିଜ କକ୍ଷପଥରେ ପରିବର୍ତ୍ତନ କରିଥିଲା, ଯାହାଫଳରେ ଏହା ଭାରତୀୟ ସାମରିକ ଘାଟି ଉପରେ ଗତି କରିବା ସମୟରେ ଅଧିକ ସମୟ ଧରି ନଜର ରଖି ପାରିବ ।
source:prameya news


