Shishu Bhawan: ଦଦରା ଯନ୍ତ୍ରରେ ଚାଲିଛି ରୋଗ ନିରୂପଣ,ଶିଶୁ ଭବନରେ ନାହିଁ ଡିଜିଟାଲ ଏକ୍ସରେ

ରାଜ୍ୟ

କଟକ,୨୫\୧୧: ଦୀର୍ଘ ୨୦ ବର୍ଷ ତଳର ଏକ୍ସରେ ମେସିନ୍ରେ କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଯଥା ଶିଶୁ ଭବନରେ ରୋଗୀଙ୍କର ଫଟୋ ଉଠୁଛି ବା (ଏକ୍ସରେ ହେଉଛି । ଡିଜିଟାଲ୍ ଦୁନିଆରେ ଡିଜିଟାଲ ଏକ୍ସରେ ସୁବିଧା ନାହିଁ । ଫଳରେ ଏହି ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନରେ ମାନ୍ୟୁଆଲ ପଦ୍ଧତିରେ ରୋଗୀଙ୍କର ଏକ୍ସରେ ଚାଲିଛି । ଅସ୍ଥିଶଲ୍ୟ ଜନିତ ସମସ୍ୟା ହେଉ କିମ୍ବା ଅନ୍ୟ ରୋଗ ନିରୂପଣ ପାଇଁ ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଡିଜିଟାଲ୍ ଏକ୍ସରେ ସୁବିଧା ରହିଥିବା ବେଳେ ଜାତୀୟ ସ୍ତରରେ ନାଁ ଯୋଡ଼ି ଥିବା ଏହି ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନରେ ପୁରୁଣା ଯୁଗରେ ଯେପରି ରୋଗୀଙ୍କର ଏକ୍ସରେ ହେଉଥିଲା, ଏବେ ତାହା ଏଠାରେ ଚାଲିଛି ।

ଏହାକୁ ନେଇ ହସ୍ପିଟାଲର ବିଭାଗୀୟ ବିଶେଷଜ୍ଞମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ହେଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିଜିଟାଲ୍ ଏକ୍ସରେ ଯୋଗାଣ ଦିଗରେ କୌଣସି ପଦକ୍ଷେପ ନାହିଁ । ରୋଗୀଙ୍କର ଏକ୍ସରେ ପରେ ଫିଲ୍ମକୁ କେମିକାଲ୍ ଯୋଗେ ଅନ୍ଧାର ଘରେ ଧୋଇ ତାହାକୁ ପଙ୍ଖାରେ ଘଣ୍ଟାଏ ଶୁଖାଇ ରୋଗୀଙ୍କୁ ଫଟୋ ଦେଲା ବେଳକୁ ଦୁଇ ଘଣ୍ଟା ସମୟ ଲାଗୁଛି । ରଞ୍ଜନରଶ୍ମୀ ଜନିତ ରୋଗ ନିରୂପଣ(ରେଡିଓଲୋଜି ଡାଇଗ୍ନୋସିସ୍)କ୍ଷେତ୍ରରେ ଶିଶୁ ଭବନରେ ଏପରି ଅଜବ ବ୍ୟବସ୍ଥା ଅନେକଙ୍କୁ ତାଜୁବ୍ କରିଛି । ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚିକିତ୍ସା ବିଜ୍ଞାନରେ ପ୍ରତିଦିନ ନୂଆ ଗବେଷଣା ହେଉଛି । ନୂଆ ଅତ୍ୟାଧୁନିକ ଉପକରଣରେ ପରୀକ୍ଷା ନିରୀକ୍ଷା କରାଯାଇ ରୋଗ ନିରୂପଣ ହେଉଛି । ତେବେ ବିଡ଼ମ୍ବନାର ବିଷୟ ହେଉଛି, ଶିଶୁ ରୋଗ ଚିକିତ୍ସା କ୍ଷେତ୍ରରେ ଶିଶୁ ଭବନ ନିଦାନ ବ୍ୟବସ୍ଥାରେ ବହୁ ପଛରେ ପଡ଼ିଛି । ଏଠାରେ ୨୪ ଘଣ୍ଟିଆ ପରୀକ୍ଷା ସୁବିଧା ନାହିଁ । ଅପରାହ୍ନ ୪ଟା ପରେ ସବୁ ପରୀକ୍ଷା ବନ୍ଦ । ନିଦାନ କାଉଣ୍ଟରରେ ତାଲା ପଡ଼ୁଛି । ଜଣେ ଶିଶୁ ରୋଗୀଟିଏ ଯେତେ ଗୁରୁତର ହୋଇଥାଉ ପଛେ ଜରୁରୀ ଚିକିତ୍ସା ଲାଗି ଏକ୍ସରେ ହେଉ କିମ୍ବା ଅଲଟ୍ରାସାଉଣ୍ଡ୍, ସିଟି ସ୍କାନ୍ ସହ ଅନ୍ୟ ପରୀକ୍ଷା ପାଇଁ ସୁଯୋଗ ନାହିଁ ।

ସେହିପରି ସିଟି ସ୍କାନ୍ ମେସିନ୍ ଥିଲେ ହେଁ ତାହାକୁ ଚଳାଇବା ପାଇଁ ରେଡିଓଗ୍ରାଫର ନାହାନ୍ତି । ଏପରିସ୍ଥଳେ ଶିଶୁ ଭବନ କର୍ତ୍ତୃପକ୍ଷ ଏସ୍ସିବି ମେଡିକାଲ ଓ ସିଟି ହସ୍ପିଟାଲରୁ କହିବୋଲି ଆଣି କାମ ଚଳା ଭାବେ ଜଣେ ଲେଖାଏଁ ରେଡିଓଗ୍ରାଫର ଆଣି ଏଠାରେ ନିୟୋଜିତ କରାଇଛନ୍ତି । ୮ ଜଣ ରେଡିଓ ଗ୍ରାଫର ଦେବେ ବୋଲି ସରକାରୀ ସ୍ତରରେ ବର୍ଷକ ତଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲେ ଜଣେ ହେଲେ ବି ରେଡିଓଗ୍ରାଫର ନିଯୁକ୍ତି ଦିଆଯାଇନାହିଁ । 

ସେହିପରି ଏମ୍ଆର୍ଆଇ ସୁବିଧା ମଧ୍ୟ ଉକ୍ତ ହସ୍ପିଟାଲରେ ନାହିଁ । ଉକ୍ତ ମେସିନ୍ ଯୋଗାଇବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ ହେଁ ତାହା କେବେ ଆସିବ କାହାରିକୁ ଜଣାନାହିଁ । ସେହିପରି ଏହି ହସ୍ପିଟାଲରେ ୟୁରିନ୍ ଆନାଲାଇଜର ମେସିନ୍ ଦୀର୍ଘ ଦିନ ହେଲା ଖରାପ ହୋଇପଡ଼ିଛି । ପିଲାଙ୍କୁ ଜ୍ୱର ହେଉ କିମ୍ବା ଅନ୍ୟାନ୍ୟ ରୋଗ ସମସ୍ୟା ହେଲେ ପରିସ୍ରା ପରୀକ୍ଷା କରାଇବା ପାଇଁ ଡାକ୍ତର ଅଧିକାଂଶ ସମୟରେ ପରାମର୍ଶ ଦେଇଥାନ୍ତି । ପରିସ୍ରାର ରୁଟିନ୍ ମାଇକ୍ରୋସ୍କୋପି କିମ୍ବା କଲଚର ହେଉ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିଲେ ହେଁ ମେସି୍ନ ଖରାପ ଯୋଗୁଁ ଶିଶୁ ରୋଗୀଙ୍କ ରୋଗ ନିରୂପଣରେ ସମସ୍ୟା ହେଉଛି ।

source:prameya news


Related News