୧୬ ଡିସେମ୍ବରରେ ବାଂଲାଦେଶ କବଜା କରିନେବୁ, ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ,୨୫।୧୧: ବାଲାଂଦେଶରେ ଶେଖ୍ ହସିନା ସରକାରର ପତ୍ତନ ଓ ତାରିକ୍ ରେହମାନ୍ ସରକାର କ୍ଷମତାକୁ ଆସିବା ପରେ ଭାରତ ସହିତ ସମ୍ପର୍କ ଖୁବ୍ ବିବାଦୀୟ ରହିଛି। ଯଦିଓ ଏବେ ଏଥିରେ ଅଳ୍ପ ହ୍ରାସ ପାଇଛି, କିନ୍ତୁ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ଏକ ବୟାନ ଦେଇ ସ୍ଥିତିକୁ ଆହୁରି ଉତ୍ତେଜନାମୂଳକ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ଅର୍ଜୁନ ସିଂହ ଦାବି କରିଛନ୍ତି ଯେ, ୧୬ ଡିସେମ୍ବରରେ ଭାରତ ବାଂଲାଦେଶକୁ ଦଖଲ କରିନେବ। ଏହାପରେ ବାଂଲାଦେଶରେ ହୋଇଥିବା ହିନ୍ଦୁଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ।
ଉଲ୍ଲେଖନୀୟ ଯେ ଡିସେମ୍ବର ୧୬ରେ ଶେଖ୍ ହସିନା ବାଂଲାଦେଶ ଫେରିବା ଘୋଷଣା କରିଛନ୍ତି। କାରଣ ଡିସେମ୍ବର ୧୬ ରେ ବାଂଲାଦେଶର ବିଜୟ ଦିବସ ମଧ୍ୟ ପାଳନ କରାଯାଏ। ଏହାକୁ ନେଇ ମଙ୍ଗଳବାର ଭାଟପାରାରେ ଅର୍ଜୁନ ସିଂହ କହିଛନ୍ତି ଡିସେମ୍ବର ୧୬ ସୁଦ୍ଧା ଆମେ ବାଂଲାଦେଶକୁ ଦଖଲ କରିବୁ। ବହୁତ ହୋଇଗଲା। ବାଂଲାଦେଶ ପାଇଁ କୌଣସି ବାହାନା ରହିବ ନାହିଁ। ଆମେ ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟାର ପ୍ରତିଶୋଧ ନେବୁ। ଏଥିରେ କୌଣସି ସନ୍ଦେହ ନାହିଁ।’
ବାଂଲାଦେଶ କହିଥିଲା କଏଦୀଙ୍କ ଭଳି ଆଣିବୁ
ଏହି ସମୟରେ, ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବାଂଲାଦେଶରେ ରାଜନୀତି ହୋଇଛି ସରଗରମ୍। ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବୀର କହିଛନ୍ତି ଯେ ଶେଖ ହାସିନାଙ୍କୁ କେବଳ କଏଦୀ ପରି ହାତକଡ଼ି ପିନ୍ଧି ଫେରିବାକୁ ଅନୁମତି ଦିଆଯିବ। କବୀର କହିଛନ୍ତି, ‘ଇଚ୍ଛା ଏବଂ ବାସ୍ତବତା ଦୁଇଟି ଭିନ୍ନ ଜିନିଷ। ପ୍ରତ୍ୟର୍ପଣ ବ୍ୟତୀତ ଅନ୍ୟ କୌଣସି ଉପାୟରେ କୌଣସି ଆତଙ୍କବାଦୀକୁ ଫେରିବାକୁ ଅନୁମତି ଦିଆଯିବ ନାହିଁ। ସେ ଜଣେ ସାଧାରଣ ଯାତ୍ରୀ ନୁହଁନ୍ତି।’
ରାଷ୍ଟ୍ରୀୟ ଏୟାରଲାଇନ୍ସର ବ୍ୟବହାର କରିବାକୁ କରିଥିଲେ ଦାବି
ଏହା ପୂର୍ବରୁ ଶେଖ୍ ହାସିନାଙ୍କ ମୁଖପାତ୍ର ସୟଦ ମୋଜାମେଲ ଅଲି କହିଥିଲେ ଯେ ଶେଖ ହସିନା ବାଂଲାଦେଶ ଫେରିବା ପାଇଁ ଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ ଏୟାରଲାଇନ୍ସ ବ୍ୟବହାର କରିବେ। ସେ କହିଥିଲେ, ‘୫ ଅଗଷ୍ଟ, ୨୦୨୪ରେ, ଶେଖ ହାସିନାଙ୍କୁ ଏକ ବାଂଲାଦେଶୀ ବିମାନରେ ଭାରତ ପଠାଯାଇଥିଲା। ତେଣୁ, ସେ ଦିଲ୍ଲୀରୁ ଢାକାକୁ ବିମାନ ଯାତ୍ରା ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରୁଛନ୍ତି।’
ହସିନାଙ୍କୁ ଜେଲ୍ ପଠାଇବାର ଦାବି
ଏହା ଉପରେ ମତାମତ ଦେଇ ବାଂଲାଦେଶ ପାଇଁ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ମହମ୍ମଦ ଅମିନୁଲ ଇସଲାମ କହିଛନ୍ତି, ‘ଏହା କେବଳ ପାଗଳାମି।’ ସେ ହାସିନାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଣେ ବାଂଲାଦେଶୀ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ବିମାନ ବ୍ୟବସ୍ଥା ସମ୍ପର୍କରେ ଭାରତ ସହିତ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ। ସେ ଧମକ ଦେଇଥିଲେ ଯେ ଯଦି ହାସିନା ଭାରତ ଫେରିଯାଆନ୍ତି, ତେବେ ତାଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଯିବ।
source:prameya news


