Russia space nuclear weapon: ମହାକାଶକୁ ପରମାଣୁ ଅସ୍ତ୍ର ପଠାଇବ ରୁଷ୍, ଜବାବ ଦେବାକୁ ପ୍ରସ୍ତୁତ କହିଲା ନାଟୋ
ନୂଆଦିଲ୍ଲୀ, ୨୫/୧୧: ରୁଷ୍ ଚଳିତ ବର୍ଷ ଶେଷ ସୁଦ୍ଧା ମହାକାଶକୁ ପରମାଣୁ ଅସ୍ତ୍ର ସମ୍ପନ୍ନ ସାଟେଲାଇଟ ପଠାଇପାରେ । ଏ ନେଇ ଜର୍ମାନୀ ଗଣମାଧ୍ୟମରେ ଗୁଇନ୍ଦା ସୂତ୍ର ଆଧାରରେ ରିପୋର୍ଟ ପ୍ରକାଶ ପାଇଛି । ଏହା ଅନୁସାରେ, ରୁଷ୍ର ଏହି କୃତ୍ରିମ ଉପଗ୍ରହ ଅନ୍ୟ ଦେଶର ସାଟେଲାଇଟକୁ ଖରାପ କିମ୍ବା ନଷ୍ଟ କରିପାରେ । ଫଳରେ ଦୁନିଆର ସଞ୍ଚାର ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ଏପରି କଲେ ରୁଷ୍କୁ ଜବାବ ଦେବାକୁ ନାଟୋ ପ୍ରସ୍ତୁତ ଅଛି ବୋଲି ନାଟୋ ମୁଖ୍ୟ ମାର୍କ ରୁଟ୍ କହିଛନ୍ତି । ନାଟୋ ନିଜର ସମସ୍ତ କ୍ଷେତ୍ରକୁ ସୁରକ୍ଷା ଦେବ । ସେଥିରେ ମହାକାଶ ସହ ଜଡ଼ିତ ବିପଦ ବି ସାମିଲ ବୋଲି ସେ କହିଛନ୍ତି ।
ରିପୋର୍ଟ ମୁତାବକ, ରୁଷ୍ର ଏହି ସାଟେଲାଇଟର ନା ‘ସ୍ପୁଟନିକ-ଏସ୍’ । ଏଥିରେ ପରମାଣୁ ଅସ୍ତ୍ରକୁ ମହାକାଶକୁ ପଠାଯାଇପାରିବ । କେତେକ ଗୁଇନ୍ଦା ଆକଳନ ଅନୁସାରେ ଆସନ୍ତା ୬୦ ଦିନ ଭିତରେ ରୁଷ୍ ଏହି ସାଟେଲାଇଟକୁ ଛାଡ଼ିପାରେ । ଜର୍ମାନ ସେନାର ବିଶେଷଜ୍ଞମାନେ ଜର୍ମାନ ସରକାରଙ୍କୁ ଏ ବାବଦରେ ଜଣାଇଛନ୍ତି । ଏହା ଗମ୍ଭୀର ଚିନ୍ତାର କାରଣ ବୋଲି ଜର୍ମାନ ଚାନ୍ସେଲର ଫେଡ୍ରିକ୍ ମର୍ଜ କହିଛନ୍ତି । ମହାକାଶରେ ପରମାଣୁ ଅସ୍ତ୍ର ସାରା ବିଶ୍ୱ ପାଇଁ ବିପଦ ଏବଂ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ୟୁରୋପୀ ମହାକାଶ ସଂସ୍ଥାର ମୁଖ୍ୟ ଜୋସେଫ୍ ଆସବାକର କହିଛନ୍ତି ।
ଅନ୍ୟପକ୍ଷରେ ରୁଷ୍ ଏହି ରିପୋର୍ଟକୁ ଖଣ୍ଡନ କରିଛି । ଏହି ଖବର ଭିତ୍ତିହୀନ ଏବଂ ଅଜଣା ସୂତ୍ରରୁ ଆସିଥିବା ଏଭଳି ଖବର ବିଶ୍ୱାସଯୋଗ୍ୟ ନୁହେଁ ବୋଲି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି । ଏହି ରିପୋର୍ଟର କୌଣସି ଆଧାର ନ ଥିବା ବର୍ଲିନ ସ୍ଥିତ ରୁଷ୍ ଦୂତାବାସ ପକ୍ଷରୁ କୁହାଯାଇଛି । ରୁଷ୍ ବିରୋଧରେ ଚଲାଯାଉଥିବା ପ୍ରୋପାଗଣ୍ଡା ମଧ୍ୟରୁ ଏହା ଅନ୍ୟତମ ବୋଲି ଦୂତାବାସ କହିଛି । ୨୦୨୪ରେ ଆମେରିକା ମଧ୍ୟ କହିଥିଲା ପୁଟିନ୍ ଏପରି ଆଣ୍ଟି-ସାଟେଲାଇଟ ବନାଇବାକୁ ଯାଉଛନ୍ତି, ଯାହା କି ପରମାଣୁ ଅସ୍ତ୍ର ପରିବହନ କରିପାରିବ । ତେବେ ପୁଟିନ୍ ଏହାକୁ ଖଣ୍ଡନ କରିଥିଲେ ଏବଂ ରୁଷ୍ ମହାକାଶରେ ପରମାଣୁ ଅସ୍ତ୍ର ମୁତୟନକୁ ବିରୋଧ କରେ ବୋଲି କହିଥିଲେ ।
source:prameya news


