World Chess Championship: ଜେନେଭାରେ ଆଜିଠୁ ବିଶ୍ୱ ଚେସ୍ ଚାମ୍ପିଅନସିପ୍; ଗୁକେଶ ଓ ସିଣ୍ଡାରୋଭ ମଧ୍ୟରେ ଟାଇଟଲ ଲଢ଼େଇ
ନୂଆଦିଲ୍ଲୀ, ୨୪/୧୧: ସ୍ୱିଜରଲାଣ୍ଡ୍ର ଜେନେଭା ସହରରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ଫିଡେ୍ ବିଶ୍ୱ ଚେସ୍ ଚାମ୍ପିଅନସିପ୍ । ଡିଫେଣ୍ଡିଂ ଚାମ୍ପିଅନ୍ ଡି. ଗୁକେଶ ୧୪ ରାଉଣ୍ଡ ବିଶିଷ୍ଟ ଟାଇଟଲ ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ ଉଜବେକିସ୍ତାନର ଜାଭୋଖିର ସିଣ୍ଡାରୋଭଙ୍କୁ ଭେଟିବେ । ପ୍ରଥମ ରାଉଣ୍ଡ୍ରେ ଗୁକେଶ କଳା ଗୋଟିରେ ଖେଳିବାକୁ ଯାଉଛନ୍ତି ।
ଫର୍ମାଟ୍ ଅନୁଯାୟୀ, ଉଭୟଙ୍କ ମଧ୍ୟରୁ ଯେଉଁ ଖେଳାଳି ପ୍ରଥମେ ୭.୫ପଏଣ୍ଟ ଅର୍ଜନ କରିବେ, ସେ ବିଜେତା ଘୋଷିତ ହେବେ । ୧୪ରାଉଣ୍ଡ ଶେଷ ସୁଦ୍ଧା ୭-୭ରେ ପଏଣ୍ଟ ବରାବର ରହିଲେ ୧୫ତମ ଟାଇବ୍ରେକ୍ ରାଉଣ୍ଡ ଖେଳାଯିବ । ତେବେ ଏହି ମ୍ୟାଚଟି କ୍ଲାସିକାଲ ଫର୍ମାଟ୍ ପରିବର୍ତ୍ତେ ରାପିଡ୍, ବ୍ଲିଜ ଫର୍ମାଟ୍ରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁଯାୟୀ ପ୍ରତ୍ୟେକ ମ୍ୟାଚ ରାତି ୭.୩୦ ମିନିଟ୍ରେ ଆରମ୍ଭ ହେବ । ଏହି ପ୍ରତିଯୋଗିତାର ମୋଟ୍ ପୁରସ୍କାର ରାଶି ୨୩.୩୭ କୋଟି ଟଙ୍କା ରଖାଯାଇଛି । ପ୍ରତି ବିଜୟ ପିଛା ପ୍ରତିଯୋଗୀଙ୍କୁ ୨ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୧.୮୫ କୋଟି ଟଙ୍କା ପ୍ରଦାନ କରାଯିବ ।
୨୦୨୪ରେ ଚୀନ୍ର ଡିଙ୍ଗ ଲିରେନଙ୍କୁ ହରାଇ ଗୁକେଶ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ଚଳିତ ବର୍ଷ ସାଇପ୍ରସରେ ଅନୁଷ୍ଠିତ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍ରେ ଚାମ୍ପିଅନ୍ ହୋଇ ସିଣ୍ଡାରୋଭ ବିଶ୍ୱ ଟାଇଟଲ ମୁକାବିଲାକୁ ଯୋଗ୍ୟତା ଅର୍ଜନ କରିଥିଲେ । ଉଭୟ ପ୍ରତିଯୋଗୀ ଟାଇଟଲ ଲଢ଼େଇ ପାଇଁ ପସ୍ତୁତ । ବର୍ତ୍ତମାନ ଉଭୟଙ୍କ ବୟସ ୨୦ ବର୍ଷ । ବିଶ୍ୱ ଚେସ୍ ଇତିହାସରେ ପ୍ରଥମ କରି ୨ଜଣ ୨୦ ବର୍ଷୀୟ ଖେଳାଳି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷର ଫର୍ମକୁ ଦେଖିଲେ ସିଣ୍ଡାରୋଭଙ୍କ ପଲା ଭାରି ରହିଛି । ମାତ୍ର ଗୁକେଶ ଲଢୁଆ ଖେଳ ପାଇଁ ପରିଚିତ । ୧୪ରାଉଣ୍ଡ କ୍ଲାସିକାଲ ମୁକାବିଲା ଖେଳି ଚାମ୍ପିଅନ୍ ହେବାର ଅଭିଜ୍ଞତା ମଧ୍ୟ ତାଙ୍କ ନିକଟରେ ରହିଛି ।
ଗୁକେଶ ସମ୍ପ୍ରତି ୨୭୧୦ ରେଟିଂ ପଏଣ୍ଟ ସହ ବିଶ୍ୱ ମାନ୍ୟତା ତାଲିକାରେ ୨୬ତମ ସ୍ଥାନରେ ରହିଛନ୍ତି । ସିଣ୍ଡାରୋଭ ୨୭୮୨ ପଏଣ୍ଟ ସହ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନ ଦଖଲ କରିଛନ୍ତି । କ୍ଲାସିକାଲ୍ ଫର୍ମାଟ୍ରେ ପୂର୍ବରୁ ଉଭୟ ଖେଳାଳି ପରସ୍ପରକୁ ୩ଥର ଭେଟି ସାରିଛନ୍ତି । ଏଥିରୁ ସିଣ୍ଡାରୋଭ ୨ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ଡ୍ର’ ରହିଛି । ନିକଟରେ ପୋଲାଣ୍ଡରେ ଅନୁଷ୍ଠିତ ଗ୍ରାଣ୍ଡ ଚେସ ଟୁର୍ ପ୍ରତିଯୋଗିତାରେ ଗୁକେଶ ରାପିଡ୍ ଫର୍ମାଟ୍ରେ ସିଣ୍ଡାରୋଭଙ୍କୁ ପରାସ୍ତ କରିଥିଲେ । ସିଣ୍ଡାରୋଭ ଚଳିତ ବର୍ଷ ଟାଟା ଷ୍ଟିଲ ମାଷ୍ଟର୍ସରେ ଅଭିଯାନ ଆରମ୍ଭ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଦଖଲ କରିଥିଲେ । କ୍ୟାଣ୍ଡିଡେଟ୍ସ ଚେସ୍ରେ ସେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ । ୧୪ଟି ମ୍ୟାଚରୁ ସେ ୬ଟି ବିଜୟ ହାସଲ କରିଥିଲେ ଓ ୮ଟି ମ୍ୟାଚ ଡ୍ର’ ରଖି ମୋଟ୍ ୧୦ ପଏଣ୍ଟ ଅର୍ଜନ କରିଥିଲେ । ୪୬ତମ ଚେସ ଅଲିମ୍ପିଆଡ୍ରେ ମଧ୍ୟ ସିଣ୍ଡାରୋଭଙ୍କ ପ୍ରଦର୍ଶନ ବଳରେ ଉଜବେକିସ୍ତାନ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା ।
ଚଳିତ ବର୍ଷ ଗୁକେଶଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟାଟା ଷ୍ଟିଲ ମାଷ୍ଟର୍ସରେ ସେ ଦଶମ ସ୍ଥାନରେ ରହିଥିଲେ । ଏହାପରେ ସେ ନରୱେ ଓ ଚେନ୍ନାଇ ଚେସ୍ ଗ୍ରାଣ୍ଡମାଷ୍ଟର୍ସରେ ଅନ୍ତିମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ଚେସ ଅଲିମ୍ପିଆଡ୍ରେ ସେ ମୋଟ୍ ୮.୫ ପଏଣ୍ଟ ଅର୍ଜନ କରି ବ୍ୟକ୍ତିଗତ ଓ ଦଳଗତ ରୌପ୍ୟ ପଦକ ହାସଲ କରିଥିଲେ ।
source:prameya news


