ଓଡ଼ିଶାରେ ବର୍ଷକୁ ୨୧୦୦ କୋଟିରୁ ଅଧିକ ଟଙ୍କାର ସିଗାରେଟ୍ ବିକ୍ରି, ଦିନକୁ ଧୂଆଁରେ ଉଡ଼ୁଛି ପ୍ରାୟ ୬ କୋଟି

ଜୀବନ ଶୈଳୀ

ଭୁବନେଶ୍ୱର ୨୪/୧୧: ଚାଲିଛି ବିଧାନସଭା ଶୀତ ଅଧିବେଶନ। ଗୃହରେ ଉଠୁଛି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ। ବିଭିନ୍ନ ବିଷୟକୁ ନେଇ ହେଉଛି ଆଲୋଚନା। ଏହାରି ଭିତରେ ସିଗାରେଟ୍ ବିକ୍ରିକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଓଡ଼ିଶାରେ ବର୍ଷକୁ ୨୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସିଗାରେଟ୍ ବିକ୍ରି ହେଉଛି। ଅର୍ଥାତ୍ ଦିନକୁ ହାରାହାରି ପ୍ରାୟ ୫.୭୬ କୋଟି ଟଙ୍କାର ସିଗାରେଟ୍ ବିକ୍ରି ହେଉଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ଧୂମପାନର ବଢ଼ୁଥିବା ପ୍ରଭାବକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ସିଗାରେଟ୍ ବିକ୍ରିର ମୋଟ ଟିକସଯୋଗ୍ୟ ମୂଲ୍ୟ ୨,୧୦୩ କୋଟି ୯୬ ଲକ୍ଷ ଟଙ୍କା ରହିଛି।

ଏଥିରୁ ରାଜ୍ୟ ସରକାର ୩୧୯ କୋଟି ୫୪ ଲକ୍ଷ ଟଙ୍କାର SGST ରାଜସ୍ୱ ପାଇଛନ୍ତି। ଏହି ହିସାବକୁ ଦେଖିଲେ ଦୈନିକ ହାରାହାରି ୬ କୋଟି ଟଙ୍କା ପାଖାପାଖି ସିଗାରେଟ୍ ବିକ୍ରି ହେଉଥିବା ସ୍ପଷ୍ଟ ହେଉଛି।କେବଳ ବିକ୍ରିର ପରିମାଣ ନୁହେଁ, ସିଗାରେଟ୍ ଉପରେ ଲାଗୁଥିବା ଟିକସ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୭ ଜୁଲାଇ ୧ରେ GST ଲାଗୁ ହେବା ପରଠାରୁ ୨୦୨୬ ଜାନୁଆରୀ ୩୧ ପର୍ଯ୍ୟନ୍ତ ସିଗାରେଟ୍ ଉପରେ ୨୮ ପ୍ରତିଶତ GST ସହ କମ୍ପେନସେସନ୍ ସେସ୍ ଲାଗୁ ହେଉଥିଲା। ତେବେ ୨୦୨୬ ଫେବ୍ରୁଆରୀ ୧ରୁ ଏହି ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି। ଏବେ ସିଗାରେଟ୍ ଉପରେ ୪୦ ପ୍ରତିଶତ GST ଲାଗୁ ହେଉଛି। ଏଥିରେ ୨୦ ପ୍ରତିଶତ SGST ଓ ୨୦ ପ୍ରତିଶତ CGST ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟି ମଧ୍ୟ ଲାଗୁ ହେଉଛି।

ସିଗାରେଟ୍ ବିକ୍ରିର ଏହି ବଡ଼ ହିସାବ ମଧ୍ୟରେ ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହାର ସ୍ୱାସ୍ଥ୍ୟଗତ ପ୍ରଭାବ। ସିଗାରେଟରେ ଥିବା ନିକୋଟିନ୍ ଏକ ନିଶାକାରକ ପଦାର୍ଥ। ଥରେ ଅଭ୍ୟାସରେ ପଡ଼ିଗଲେ ଏଥିରୁ ମୁକୁଳିବା ଅନେକଙ୍କ ପାଇଁ କଷ୍ଟକର ହୋଇଥାଏ। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଧୂମପାନ ଏକ ଚିନ୍ତାର ବିଷୟ ପାଲଟିଛି। ବନ୍ଧୁଙ୍କ ସହ ମିଳାମିଶା, ଷ୍ଟାଇଲ୍ କିମ୍ବା ଚାପରୁ ମୁକ୍ତି ପାଇବା ଆଳରେ ଅନେକ ଯୁବକ ଏହି ଅଭ୍ୟାସ ଆରମ୍ଭ କରୁଛନ୍ତି।ଡାକ୍ତରଙ୍କ ମତରେ, ଦୀର୍ଘଦିନ ଧରି ଧୂମପାନ କରିବା ଦ୍ୱାରା ଫୁସଫୁସ୍ କର୍କଟ, ହୃଦ୍ରୋଗ ଏବଂ ଶ୍ୱାସଜନିତ ରୋଗର ଆଶଙ୍କା ବଢ଼ିଥାଏ। କେବଳ ସିଗାରେଟ୍ ପିଉଥିବା ବ୍ୟକ୍ତି ନୁହନ୍ତି, ତାଙ୍କ ଆଖପାଖରେ ରହୁଥିବା ଲୋକେ ମଧ୍ୟ ପରୋକ୍ଷ ଧୂମପାନର ଶିକାର ହୋଇଥାନ୍ତି। ଏହା ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦଜନକ।

ଅନ୍ୟପଟେ ସିଗାରେଟ୍ ପଛରେ ହେଉଥିବା ଏତେ ବଡ଼ ଖର୍ଚ୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ସିଗାରେଟ୍ ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ବର୍ଷକୁ ଏହା ଏକ ବଡ଼ ଆର୍ଥିକ ବୋଝ ହୋଇପାରେ। ଏପରି ସ୍ଥିତିରେ ଧୂମପାନରୁ ଦୂରେଇ ରହିବା ସହ ଯୁବପିଢ଼ିଙ୍କୁ ସଚେତନ କରିବା ଜରୁରୀ ହୋଇପଡ଼ିଛି। ଯେଉଁଠି ସିଗାରେଟ୍ର କ୍ଷତି ସମ୍ପର୍କରେ ସମସ୍ତେ ଜାଣିଛନ୍ତି, ସେଠି ଏହାର ବିକ୍ରି ଏତେ ଅଧିକ କାହିଁକି? ଧୂମପାନର ବଢ଼ୁଥିବା ଅଭ୍ୟାସକୁ ରୋକିବା ପାଇଁ କେବଳ ଟିକସ ବୃଦ୍ଧି ଯଥେଷ୍ଟ ହେବ ନା ସଚେତନତା ଓ ନିଶାମୁକ୍ତି ପାଇଁ ଆହୁରି ପଦକ୍ଷେପ ଆବଶ୍ୟକ? ବିଧାନସଭାରେ ସାମ୍ନାକୁ ଆସିଥିବା ଏହି ତଥ୍ୟ ଏବେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି କରିଛି।

source:prameya news


Related News