୭୦ ବର୍ଷର ଗଣିତ ରହସ୍ୟର ସମାଧାନ, ୪୨ ବର୍ଷରେ ଚର୍ଚ୍ଚାରେ ନୀନା ଗୁପ୍ତା

ବିଶେଷ

ନୂଆଦିଲ୍ଲୀ ୨୫/୧୧: ଗଣିତର ଏକ ଜଟିଳ ପ୍ରଶ୍ନ ଯାହାର ଉତ୍ତର ଖୋଜିବାକୁ ଦଶନ୍ଧି ଦଶନ୍ଧି ଧରି ଚାଲିଥିଲା ଗବେଷଣା। ଦୁନିଆର ଅନେକ ବଡ଼ ବଡ଼ ଗଣିତଜ୍ଞ ଏହାର ସମାଧାନ ଖୋଜିବାରେ ଲାଗିଥିଲେ। ହେଲେ ଏହି ଜଟିଳ ଗଣିତ ସମସ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ରୂପର ସମାଧାନ କରି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଭାରତୀୟ ମହିଳା। ସେ ହେଉଛନ୍ତି ନୀନା ଗୁପ୍ତା।ନୀନା ଗୁପ୍ତା କୋଲକାତାସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନଷ୍ଟିଚ୍ୟୁଟ୍ର ଗଣିତଜ୍ଞ ଓ ପ୍ରଫେସର। ଗଣିତର ଏକ ଜଟିଳ ଶାଖା ଆଲଜେବ୍ରିକ୍ ଜ୍ୟାମିତି ଏବଂ କମ୍ୟୁଟେଟିଭ୍ ଆଲଜେବ୍ରାରେ ତାଙ୍କର ଗବେଷଣା ରହିଛି। ତେବେ ତାଙ୍କୁ ଅନ୍ତର୍ଜାତୀୟ ପରିଚୟ ଦେଇଥିଲା ୭୦ ବର୍ଷରୁ ଅଧିକ ସମୟ ଧରି ଅନୁତ୍ତରିତ ରହିଥିବା ଜାରିସ୍କି କ୍ୟାନ୍ସେଲେସନ୍ ପ୍ରୋବ୍ଲେମ୍।୧୯୪୯ ମସିହାରେ ପ୍ରସିଦ୍ଧ ଗଣିତଜ୍ଞ ଓସ୍କାର ଜାରିସ୍କି ଏହି ସମସ୍ୟା ଉଠାଇଥିଲେ।

ଏହା ଆଲଜେବ୍ରିକ୍ ଜ୍ୟାମିତି ସହ ଜଡ଼ିତ ଏକ ଜଟିଳ ପ୍ରଶ୍ନ।ସାଧାରଣ ଭାଷାରେ ବୁଝିବାକୁ ଗଲେ, ଯଦି କୌଣସି ଗାଣିତିକ ଆକୃତି ସହ ଆଉ ଗୋଟିଏ ଡାଇମେନ୍ସନ୍ ବା ମାପ ଯୋଡ଼ିବା ପରେ ତାହା ଏକ ସାଧାରଣ ଜ୍ୟାମିତିକ ସ୍ପେସ୍ ଭଳି ଦେଖାଯାଏ, ତେବେ ମୂଳ ଆକୃତିଟି ମଧ୍ୟ ସେହିଭଳି ଥିଲା କି? ଅର୍ଥାତ୍ ଅତିରିକ୍ତ ଡାଇମେନ୍ସନ୍ ଯୋଡ଼ିବା ପରେ ଯଦି ଦୁଇଟି ଗାଣିତିକ ଗଠନ ସମାନ ଦେଖାଯାଏ, ତେବେ ସେଗୁଡ଼ିକ ଆରମ୍ଭରୁ ମଧ୍ୟ ସମାନ ଥିଲେ କି? ଏହି ପ୍ରଶ୍ନର ଉତ୍ତର ଖୋଜିବା ଗଣିତଜ୍ଞଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ୧୯୭୦ ଦଶକରେ ଏହି ସମସ୍ୟାର ଦୁଇଟି ଡାଇମେନ୍ସନ୍ ସମ୍ବନ୍ଧୀୟ ରୂପର ସମାଧାନ ମିଳିଥିଲା। କିନ୍ତୁ ତିନି କିମ୍ବା ତା'ଠାରୁ ଅଧିକ ଡାଇମେନ୍ସନ୍ରେ ଏହାର ସମାଧାନ ମିଳିନଥିଲା। ଦୀର୍ଘ ବର୍ଷ ଧରି ଏହା ଗଣିତଜ୍ଞଙ୍କ ପାଇଁ ଏକ ଅନୁତ୍ତରିତ ପ୍ରଶ୍ନ ହୋଇ ରହିଥିଲା। ନଭେମ୍ବର ୨୪ ତାରିଖରେ ୪୨ ବର୍ଷରେ ପାଦ ଦେଇଛନ୍ତି ଏହି ପ୍ରତିଭାବାନ ଗଣିତଜ୍ଞ। ତାଙ୍କର ଜନ୍ମଦିନ ଅବସରରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ତାଙ୍କର ଐତିହାସିକ ଗବେଷଣା।

୨୦୧୪ ମସିହାରେ ନୀନା ଗୁପ୍ତା ଏହି ସମସ୍ୟାରେ ଏକ ବଡ଼ ସଫଳତା ହାସଲ କରିଥିଲେ। ସେ ନିଜ ଗବେଷଣାରେ ପ୍ରମାଣ କରିଥିଲେ ଯେ, ଧନାତ୍ମକ ଚରିତ୍ର ବିଶିଷ୍ଟ କ୍ଷେତ୍ର (Positive Characteristic)ରେ ତିନି କିମ୍ବା ତା'ଠାରୁ ଅଧିକ ଡାଇମେନ୍ସନ୍ର ଆଫାଇନ୍ ସ୍ପେସ୍ ପାଇଁ କ୍ୟାନ୍ସେଲେସନ୍ ନିୟମ ସବୁବେଳେ କାମ କରେ ନାହିଁ।ଏହି ପ୍ରମାଣ ପାଇଁ ସେ ଜାପାନୀ ଗଣିତଜ୍ଞ ତେରୁଓ ଆସାନୁମାଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗାଣିତିକ ଉଦାହରଣକୁ ଆଧାର କରିଥିଲେ। ତାଙ୍କର ଗବେଷଣା ପ୍ରମାଣ କରିଥିଲା ଯେ, ଅତିରିକ୍ତ ଡାଇମେନ୍ସନ୍ ଯୋଡ଼ିବା ଦ୍ୱାରା ମୂଳ ଗାଣିତିକ ଗଠନ ସମ୍ପର୍କରେ ଥିବା କିଛି ତଥ୍ୟ ହଜିଯାଇପାରେ। ଏହି ଗବେଷଣା ୨୦୧୪ ମସିହାରେ 'ଆଡଭାନ୍ସେସ୍ ଇନ୍ ମ୍ୟାଥମେଟିକ୍ସ' ନାମକ ଗବେଷଣା ପତ୍ରିକାରେ ପ୍ରକାଶ ପାଇଥିଲା।

ନୀନା ଗୁପ୍ତାଙ୍କ ଏହି ଗବେଷଣା ପାଇଁ ତାଙ୍କୁ ୨୦୧୯ ମସିହାରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ମିଳିଥିଲା। ଏହା ଭାରତର ଏକ ପ୍ରମୁଖ ବିଜ୍ଞାନ ସମ୍ମାନ। ଏହାସହ ୨୦୨୧ ମସିହାରେ ସେ ରାମାନୁଜନ ପୁରସ୍କାର ମଧ୍ୟ ପାଇଥିଲେ। ୨୦୨୪ ମସିହାରେ ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ତାଙ୍କୁ ଇନଫୋସିସ୍ ପୁରସ୍କାର ମିଳିଥିଲା। ନୀନା ଗୁପ୍ତାଙ୍କ ସଫଳତା କେବଳ ଗଣିତ ଜଗତ ପାଇଁ ନୁହେଁ, ବରଂ ଭାରତର ଯୁବ ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣା। ନିଜ ଦେଶରେ ରହି ଗବେଷଣା କରି ବିଶ୍ୱସ୍ତରରେ ନିଜ ପରିଚୟ ସୃଷ୍ଟି କରିଛନ୍ତି ସେ। ତାଙ୍କର ଏହି ଯାତ୍ରା ପ୍ରମାଣ କରୁଛି ଯେ, ଧୈର୍ଯ୍ୟ, ନିଷ୍ଠା ଓ ନିରନ୍ତର ଗବେଷଣା ଦ୍ୱାରା ଦଶନ୍ଧି ଧରି ଅନୁତ୍ତରିତ ରହିଥିବା ପ୍ରଶ୍ନର ଉତ୍ତର ମଧ୍ୟ ମିଳିପାରେ।
source:prameya news


Related News