ବାଙ୍ଗିରିପୋଷିରେ ହେଉଛି ଷ୍ଟ୍ରବେରୀ ଚାଷ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜଳସେଚନ ସମସ୍ୟା ସମାଧାନ

ରାଜ୍ୟ

ଭୁବନେଶ୍ୱର,୨୬\୧୧: ବାଙ୍ଗିରିପୋଷିରେବିନା ଜଳସେଚନରେ ଷ୍ଟ୍ରବେରି ଚାଷ ହେଲାଣି । ଆଗାମୀ ଦିନରେ ଏ ଅଞ୍ଚଳରେ ଜଳସେଚନ ସୁବିଧା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି । ବୁଧବାର ଗୃହରେ ପ୍ରଶ୍ନକାଳରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ବାଙ୍ଗିରିପୋଷିରେ ମୋଟ ୬୭,୭୧୭ ଜଣ ପଞ୍ଜିକୃତ ଚାଷୀ ରହିଥିବା ବେଳେ ୪୮,୯୫୦ ହେକ୍ଟର ଚାଷଜମି ରହିଛି ।

ସେଥିମଧ୍ୟରୁ ୩୨,୦୩୮ ହେକ୍ଟର ଜଳସେଚିତ ଓ ୧୬,୯୧୨ ହେକ୍ଟର ଅଣଜଳସେଚିତ ଜମି ରହିଛି । ପିଏମ୍-କିଷାନ ଯୋଜନାରେ ୨୦୨୪ ୨୫ରେ ୨୮,୩୩୮ ଚାଷୀଙ୍କୁ ୧୫୬୬.୩୦ ଲକ୍ଷ ଟଙ୍କା, ୨୦୨୫-୨୬ରେ ୨୮,୧୨୭ ଚାଷୀଙ୍କୁ ୧୬୭୪.୬୮ ଲକ୍ଷ ଟଙ୍କା ଏବଂ ୨୦୨୬ ୨୭ରେ ଏ ପର୍ଯ୍ୟନ୍ତ ୨୯,୪୧୫ ଚାଷୀଙ୍କୁ ୧୧୬୮.୫୬ ଲକ୍ଷ ଟଙ୍କାର ସହାୟତା ମିଳିଛି । ତେବେ ବିଧାୟିକା ସଞ୍ଜଳିଙ୍କ ମୂଳ ପ୍ରଶ୍ନ ଉପରେ ଉପମୁଖ୍ୟମନ୍ତ୍ରୀ ଉତ୍ତର ଦେବା ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟରେ ଚାଷୀ ସଂଖ୍ୟା ବଢ଼ିଥିବା ବେଳେ ଚାଷ ଜମି ସଂଖ୍ୟା ବଢ଼ିଛି କି ବୋଲି ପ୍ରଶ୍ନ ପଚାରିଥିଲେ । ଉପମୁଖ୍ୟମନ୍ତ୍ରୀ ପରେ ତାଙ୍କୁ ଏହାର ଉତ୍ତର ଦେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସତ୍ୟଜିତ ଗମାଙ୍ଗ, ସନାତନ ବିଜୁଳି, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଣେଶ୍ୱର ବେହେରା, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଏହା ଉପରେ ଆଲୋଚନା କରିଥିଲେ । ନିଜ ନିଜ ଅଞ୍ଚଳର ଚାଷୀ ସମସ୍ୟା କଥା ଉଠାଇଥିଲେ ।

source:prameya news


Related News