ଜିଲା ପରିଷଦ ନିର୍ବାଚନରେ ବଡ଼ ଟୁଇଷ୍ଟ! ବହୁମତ ସତ୍ତ୍ୱେ ହାରିଲା ଭାଜପା, ବାଜିମାରିଲା କଂଗ୍ରେସ: ହାତରୁ ଗଲା…

ଦେଶ

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନରେ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବ୍ୟାୱର ଜିଲାରୁ ଚମକାଇଦେବା ଭଳି ଫଳାଫଳ ସାମ୍ନାକୁ ଆସିଛି। ଏଠାରେ ବହୁମତ ଥାଇ ମଧ୍ୟ ଭାଜପା ପରାଜିତ ହୋଇଛି। କ୍ରସ ଭୋଟିଂ ଯୋଗୁ କଂଗ୍ରେସର ମମତା ଗୁର୍ଜର ନିର୍ବାଚନ ଜିତିଛନ୍ତି। ୨୭ ଜଣ ସଦସ୍ୟ ବିଶିଷ୍ଟ ଜିଲା ପରିଷଦରେ ଭାଜପା ପାଖରେ ୧୪ଟି ଆସନ ଥିଲା। ଅର୍ଥାତ୍‌ ଦଳ ପାଖରେ ସ୍ପଷ୍ଟ ବହୁମତ ଥିଲା, ତଥାପି ଭାଜପାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ରାଜ୍ୟର ୩୭ଟି ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଏଥିମଧ୍ୟରୁ ତିନିଟି ଜିଲାରେ କଂଗ୍ରେସ ନିର୍ବିରୋଧରେ ବିଜୟୀ ହୋଇସାରିଛି। ଦୌସା, ସୱାଇ ମାଧୋପୁର ଓ ଜୈସଲମେରରେ କଂଗ୍ରେସ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଜୈସଲମେରରେ ୨୧ ବର୍ଷୀୟା ସନ୍ତୋଷ କୁମାରୀ ନିର୍ବିରୋଧରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ବିକାନେରରେ ଭାଜପା ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ କଂଗ୍ରେସର ଜଣେ ବିଦ୍ରୋହୀ ନେତା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ଏହି ବିଦ୍ରୋହୀ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବୋଲି ଆଶା କରାଯାଉଛି।

ରାଜଧାନୀ ଜୟପୁରରେ ଭାଜପା ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ତେବେ ଏଠାରେ କଂଗ୍ରେସ ପାଖରେ ଦୁଇ-ତୃତୀୟାଂଶରୁ ଅଧିକ ବହୁମତ ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି। ଜୟପୁରରେ କଂଗ୍ରେସର ଯଶବୀର ସୁରା ଓ ଭାଜପାର ରାଜେଶ ଗୁର୍ଜର ନିର୍ବାଚନ ଲଢ଼ୁଛନ୍ତି। ଏଠାରେ କଂଗ୍ରେସ ନିଜ ବିଜୟକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି।

ଜୈସଲମେର ଜିଲ୍ଲାରେ ଜିଲା ପରିଷଦ ସଦସ୍ୟଙ୍କ ୨୧ଟି ଆସନ ମଧ୍ୟରୁ ୨୦ଟିରେ କଂଗ୍ରେସ ବିଜୟୀ ହୋଇଛି। ଭାଜପାକୁ ମାତ୍ର ଗୋଟିଏ ଆସନ ମିଳିଛି। ୱାର୍ଡ ନମ୍ବର ୧୦ରୁ ଭାଜପା ପ୍ରାର୍ଥୀ କରୁଣା କଁୱର ନିର୍ବାଚିତ ହୋଇଛନ୍ତି।

source:dharitri news


Related News