ଇଣ୍ଡୋନେସିଆର ଏକ ବେଆଇନ ସୁନା ଖଣିରେ ବନ୍ୟା, ୬ ମୃତ, ୨୦ରୁ ଅଧିକ ଶ୍ରମିକ ନିଖୋଜ
ଜାକର୍ତ୍ତା, ୨୬/୧୧: ଇଣ୍ଡୋନେସିଆର ଏକ ବେଆଇନ ସୁନା ଖଣିରେ ବନ୍ୟା ଆସିବା ପରେ ସେଠାରେ ଫସିଥିବା ୨୬ ଶ୍ରମିକଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହୁରି ୨୦ ଜଣଙ୍କୁ ଉଦ୍ଧାର ପାଇଁ ତଲାସୀ ଅଭିଯାନ ଜାରି ରହିଛି ।
ସୋମବାର ବିଳମ୍ବିତ ରାତିରେ ପଶ୍ଚିମ ଜାଭା ପ୍ରଦେଶର ବାଗାର ଅଞ୍ଚଳରେ ଥିବା ଏହି ସୁନାଖଣିରେ ଶ୍ରମିକମାନେ ଖନନ କାମ କରୁଥିବାବେଳେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ନିକଟରେ ଥିବା ସିସେଉରେଉ ନଦୀର ଜଳ ଖଣି ଭିତରକୁ ପଶି ଯାଇଥିଲା । ସୁଡ଼ଙ୍ଗ ଭିତରେ ବନ୍ୟା ଜଳ ପଶିବା ପରେ ସେଠାରୁ ୧୧ ଜଣ ଶ୍ରମିକ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ସେଠାରେ ଥିବା ଅନ୍ୟ ଶ୍ରମିକ ଏବଂ ସ୍ଥାନୀୟ ବାସିନ୍ଦା ପମ୍ପ ଦ୍ୱାରା ପାଣି ନିଷ୍କାସନ କରି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । କିନ୍ତୁ ଅନ୍ୟମାନେ ବାହାରିବା ପୂର୍ବରୁ ପ୍ରଚୁର ପାଣି ପଶିଯାଇଥିଲା ।
ସ୍ଥାନୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ପକ୍ଷରୁ କୁହାଯାଇଛି, ତାହା ବେଆଇନ ଖଣି ହୋଇଥିବାରୁ ଠିକ୍ ସମୟରେ ଦୁର୍ଘଟଣା ବାବଦରେ କେହି ଜଣାଇ ନ ଥିଲେ । ଫଳରେ ବିଳମ୍ବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣାକୁ ୪୮ ଘଣ୍ଟା ପୂରିଥିଲେ ହେଁ ଖଣି ଭିତରକୁ ଯାଇଥିବା ସୁଡ଼ଙ୍ଗରେ ପାଣିସ୍ତର କମି ନାହିଁ ।
source:prameya news


