'ଜୋ ବଚେ ହୈ ସଙ୍ଗ୍ ସମୈଟ୍ ଲୋ' ଗୀତରେ ନାଚିଲେ ହନି ସିଂହ, ପାକିସ୍ତାନୀ କଳାକାରଙ୍କ ସହ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣାଶୁଣା ଭାରତୀୟ ଗାୟକ ହନି ସିଂହ ଏବଂ ପାକିସ୍ତାନର ଗାୟକ ଆତିଫ୍ ଅସଲମ ଏକାଠି ନଜର ଆସିଛନ୍ତି । ସେ ଧୁମ୍ ନାଚୁଛନ୍ତି । ତେବେ ସେମାନେ ଠୁମକା ଲଗାଉଥିବା ଗୀତଟି ହେଉଛି 'ଜୋ ବଚେ ହୈ ସଙ୍ଗ୍ ସମୈଟ୍ ଲୋ'।ଏହି ଗୀତକୁ ଭାରତରେ ବ୍ୟାନ୍ ନେଇ ବିବାଦ ଲାଗି ରହିଛି । ମାତ୍ର ଏହି ବିବାଦ ଭିତରେ ହନି ସିଂହ ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗଦେବା ଅବସରରେ ଧୁମ୍ ନାଚିଛନ୍ତି । ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ବିଭିନ୍ନ କମଣ୍ଟେମାନ ଦେଉଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦୁବାଇରେ ଆୟୋଜିତ ବିଲାଲ୍ ଆସିଫ୍ ଏବଂ ଆବିଦା ଚୌଧୁରୀଙ୍କ ବିବାହ ଉତ୍ସବରେ ହନି ସିଂହ ଓ ଆତିଫ୍ ଅସଲମ୍ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟଙ୍କୁ ପାକିସ୍ତାନୀ ଗାୟକ ଅବ୍ରାର୍-ଉଲ୍-ହକ୍ଙ୍କ ଗୀତରେ ମଜ୍ଜା କରି ନାଚୁଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମର ହୋଷ୍ଟ ସାଦିକ୍ ସଲିମ୍ ଇନଷ୍ଟାଗ୍ରାମରେ ଉତ୍ସବର ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ହନି ସିଂହ ନିଜ ସ୍ୱତନ୍ତ୍ର ଷ୍ଟାଇଲ୍ ସହ ପହଞ୍ଚିଥିବା ବେଳେ, ଆତିଫ୍ ଅସଲମ୍ ନିଜ କନ୍ସର୍ଟ ରିହର୍ସଲ୍ରୁ ସିଧା ଆସି ପ୍ରତିଶ୍ରୁତି ରକ୍ଷା କରିଥିଲେ।
ସାଦିକ୍ ନିଜ ପୋଷ୍ଟରେ ପାକିସ୍ତାନୀ ନେଟଫ୍ଲିକ୍ସ ସିରିଜ୍କୁ ରୋକିବା ପାଇଁ ଚାଲିଥିବା ଅଭିଯୋଗ ଓ ବିବାଦକୁ ଇଙ୍ଗିତ କରି ଲେଖିଛନ୍ତି ଯେ, ଗୋଟିଏ ପଟେ ସିରିଜ୍ ବନ୍ଦ କରିବାକୁ ଅଭିଯୋଗ ହେଉଥିବା ବେଳେ ଏଠାରେ ସଙ୍ଗୀତ ଓ ବନ୍ଧୁତାକୁ ଉତ୍ସବ ଭାବେ ପାଳନ କରାଯାଉଛି, ଏହା କେବଳ ଦୁବାଇରେ ହିଁ ସମ୍ଭବ।
କହି ରଖୁଛୁ କି, ଫରହତ୍ ଇସ୍ତିଆକଙ୍କ ଲୋକପ୍ରିୟ ଉର୍ଦ୍ଦୁ ଉପନ୍ୟାସ ଉପରେ ଆଧାରିତ ଏହି ସିରିଜ୍ରେ ଫୱାଦ୍ ଖାନ୍, ମାହିରା ଖାନ୍, ସନମ୍ ସୟୀଦ, ହାନିଆ ଆମିର୍ ଏବଂ ଅହଦ୍ ରଜା ମିର୍ ପ୍ରମୁଖ ଅଭିନୟ କରିଛନ୍ତି। ଏହା ଡିସେମ୍ବର ୪, ୨୦୨୬ରେ ପ୍ରିମିୟର୍ ହେବାର କାର୍ଯ୍ୟକ୍ରମ ରହିଛି। ଭାରତରେ ଏହି ସିରିଜର ପ୍ରସାରଣ ବନ୍ଦ କରିବା ପାଇଁ 'ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍' (AICWA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ନେଟଫ୍ଲିକ୍ସ ଇଣ୍ଡିଆକୁ ଚିଠି ଲେଖି ଦାବି କରିଛି। ଏହାସହ 'ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍' (FWICE) ଏବଂ ଅନ୍ୟ କିଛି ମହଲରୁ ମଧ୍ୟ ପାକିସ୍ତାନୀ କଣ୍ଟେଣ୍ଟକୁ ନେଇ ବିରୋଧ ସ୍ୱର ଉଠିଛି।
source:prameya news


