Marrying A Mama's Boy: ମାମାସ୍ ବୟଙ୍କୁ ବିବାହ କରିବା ପୂର୍ବରୁ ଥରେ ଭାବନ୍ତୁ, ନଚେତ୍ ଭାଙ୍ଗିଯିବ ସମ୍ପର୍କ
ନୂଆଦିଲ୍ଲୀ, ୨୬/୧୧: ଯଦି ପୁଅ ବିବାହ ପରେ ପ୍ରତ୍ୟେକ ଛୋଟ-ବଡ଼ ନିଷ୍ପତ୍ତି ମାଆଙ୍କଠାରୁ ହିଁ ନିଏ, ତେବେ ତା'କୁ ବିବାହ କରି ଆସିଥିବା ଝିଅ ଜୀବନ ଉପରେ କେମିତି ପ୍ରଭାବ ପଡେ? ଯାହାକି ଆଜିକାଲିର ପ୍ରାୟ ବିବାହିତଙ୍କ ଜୀବନର ସବୁଠାରୁ ବଡ଼ ସମସ୍ୟା ଭାବେ ଦଣ୍ଡାୟମାନ ।
ବିବାହ ପରେ ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ ଯେ ସେ ଜୀବନସାଥୀ ସହ ମିଶି ନିଜ ଜୀବନର ନିଷ୍ପତ୍ତି ନେବ । କିନ୍ତୁ ଟିକେ ଭାବନ୍ତୁ, ଯଦି ଆପଣଙ୍କ ନବବିବାହିତ ଗୃହସ୍ଥୀର 'ରିମୋଟ୍ କଣ୍ଟ୍ରୋଲ୍' ସମ୍ପୂର୍ଣ୍ଣ ଭାବରେ ଶାଶୁଙ୍କ ହାତରେ ରହେ, ତେବେ ଚାଲିପାରିବ କି ଗୃହସ୍ଥିର ଗାଡ଼ି? ଘରେ ଲାଗୁଥିବା ପରଦାର ରଙ୍ଗ ଠାରୁ ଆରମ୍ଭ କରି ସପ୍ତାହନ୍ତା ଟ୍ରିପ୍ ପର୍ଯ୍ୟନ୍ତ ଯଦି ପ୍ରତ୍ୟେକ କଥାରେ କେବଳ 'ମମିଙ୍କ ମର୍ଜି' ହିଁ ଚାଲେ ଏବଂ ପତ୍ନୀଙ୍କ ମତର କୌଣସି ଗୁରୁତ୍ୱ ନ ଥାଏ, ତେବେ ସମ୍ପର୍କର ଭିତ୍ତଭୂମି ଆପେ ଆପେ ହୋଦଲି ଚାଲିବ । ଏହି ସ୍ଥିତିରେ ପତ୍ନୀ ଉଦାସ ହେବା ସ୍ୱାଭାବିକ ।
ବିବାହ ପରେ ମଧ୍ୟ 'ମମିଙ୍କ ମର୍ଜି': ସମାଜରେ ମାଆ ଓ ପୁଅର ସ୍ନେହ ବହୁତ ଗଭୀର ହୋଇଥାଏ । କିନ୍ତୁ ସମସ୍ୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ବିବାହ ପରେ ମଧ୍ୟ ପୁଅ ଜୀବନର ରିମୋଟ୍ କଣ୍ଟ୍ରୋଲ୍ ମାଆଙ୍କ ହାତରେ ହିଁ ରହିଥାଏ । ଘରେ କ'ଣ ଖାଇବା ତିଆରି ହେବ, କେଉଁଠାକୁ ବୁଲିବାକୁ ଯିବେ, ପଇସା କେଉଁଠି ଖର୍ଚ୍ଚ ହେବ, ସବୁ ନିଷ୍ପତ୍ତି ମାଆଙ୍କ ଦ୍ୱାରା ପରିଚାଳିତ ହୁଏ । ଏହି କାରଣରୁ ଅନେକ ଜାଗାରେ ପତି-ପତ୍ନୀଙ୍କ ମଧ୍ୟରେ ଛୋଟ-ଛୋଟ କଥାକୁ ନେଇ ବିବାଦ ଆରମ୍ଭ ହୋଇଯାଏ । ଯଦି ପ୍ରତ୍ୟେକ କଥାରେ କେବଳ ଶାଶୁଙ୍କ ମତ ଚାଲେ ଏବଂ ପତ୍ନୀର ମହତ୍ତ୍ୱ ନ ଥାଏ, ଏହା କ୍ରମଶଃ ପତ୍ନୀଙ୍କ ପାଇଁ ଅସହ୍ୟ ହୋଇପଡେ ।
ପତି-ପତ୍ନୀଙ୍କ ମଧ୍ୟରେ ବଢ଼ୁଥିବା ଦୂରତା: ଯେତେବେଳେ ସ୍ୱାମୀସ୍ତ୍ରୀଙ୍କ ବ୍ୟକ୍ତିଗତ ବିଷୟରେ କୌଣସି ତୃତୀୟ ବ୍ୟକ୍ତି ବାରମ୍ବାର ମତ ଦିଅନ୍ତି, ତେବେ ସମ୍ପର୍କର ମଧୁରତା କଟୁତା ଆଡ଼କୁ ଢଳିଚାଲେ । ବିବାହ ପରେ ମଧ୍ୟ ପୁଅ ଜୀବନର ରିମୋଟ୍ କଣ୍ଟ୍ରୋଲ୍ ମାଆଙ୍କ ହାତରେ ରହିଲେ ପତ୍ନୀ ଏକୁଟିଆ ଅନୁଭବ କରନ୍ତି ଏବଂ ଧୀରେ ଧୀରେ ପତି-ପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗେ । ଏପରି ପରିସ୍ଥିତିରେ ସବୁଠାରୁ ଖରାପ ଅବସ୍ଥା ସ୍ୱାମୀଙ୍କର ହିଁ ହୋଇଥାଏ । ସେ ମାଆଙ୍କ ସ୍ନେହ ଓ ପତ୍ନୀଙ୍କ ଆଶା ମଧ୍ୟରେ ପେଷି ହୋଇପଡନ୍ତି ।
ପତିଙ୍କୁ ବୁଝିବାକୁ ହେବ : ବିବାହ ପରେ ପୁଅ ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଏ । ମାଆଙ୍କ ସମ୍ମାନ ତା’ ଜାଗାରେ ଠିକ୍ । କିନ୍ତୁ ଜୀବନସାଥୀଙ୍କ ସହିତ ମିଶି ନିଜ ଘରର ନିଷ୍ପତ୍ତି ନେବା ମଧ୍ୟ ଏକ ବହୁତ ବଡ଼ ଦାୟିତ୍ୱ ।
ମା’ମାନଙ୍କୁ ବୁଝିବା ଉଚିତ୍ : ମା’ବାପା ପୁଅକୁ ବିବାହ କରିବା ପୂର୍ବରୁ ବୟସ ଦେଖିବା ସହ ନିଷ୍ପତ୍ତି ନେବାର ଦକ୍ଷତାକୁ ମଧ୍ୟ ପରିମାପକ ଭାବେ ଗ୍ରହଣ କରିବା ଉଚିତ୍ । ଏପରିକି ବିବାହ ପୂର୍ବରୁ ପୁଅକୁ ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନତା ମଧ୍ୟ ଦେବା ଦରକାର । ନଚେତ୍ ପୁଅର ସଂସାର ଆଗେଇ ଚାଲିବା ସହଜ ହୋଇ ନଥାଏ । ବରଂ ବୈବାହିକ ଜୀବନ ସଂର୍ଘଷମୟ ହୋଇପଡେ ।
ସୀମା ନିର୍ଦ୍ଧାରଣ କରନ୍ତୁ : ଏହି ସମସ୍ୟାର ସମାଧାନ ପାଇଁ ସବୁଠାରୁ ଭଲ ଉପାୟ ହେଲା ଏହାକୁ ବୁଝାମଣାରେ ସମାଧାନ କରିବା । ପୁଅ ମାଆଙ୍କୁ ସମ୍ମାନ ସହିତ ଜଣାଇବା ଦରକାର ଯେ ମୁଁ ବଡ଼ ହୋଇସାରିଛି ଏବଂ ନିଜର ନିଷ୍ପତ୍ତି ନିଜେ ନେଇପାରିବି । ସେହିପରି ପତ୍ନୀ ସହ ପ୍ରତିଦିନର ଝଗଡ଼ା ଏଡ଼ାଇବା ପାଇଁ ଶାନ୍ତି ଓ ଖୋଲା ମନରେ କଥା ହେବାକୁ ପରାମର୍ଶ ଦେବା ଉଚିତ୍ ।
ସମ୍ପର୍କର ଚାବି ପୁଅ ହାତରେ : ବୈବାହିକ ଜୀବନ ଏକ ସୁନ୍ଦର ଯାତ୍ରା । ଘରର ବଡ଼-ବୟସ୍କଙ୍କ ଆଶୀର୍ବାଦ ଓ ପରାମର୍ଶ ଅବଶ୍ୟ ନିଅନ୍ତୁ । କିନ୍ତୁ ନିଜ ଜୀବନ ଗାଡ଼ିର ଷ୍ଟିୟରିଂ ଅନ୍ୟର ହାତରେ ଦିଅନ୍ତୁ ନାହିଁ । ଯେତେବେଳେ ପତି-ପତ୍ନୀ ଏକ ଟିମ୍ ହୋଇ ପ୍ରତ୍ୟେକ ଛୋଟ-ବଡ଼ ନିଷ୍ପତ୍ତି ପରସ୍ପରର ସମ୍ମତିରେ ନିଅନ୍ତି, ସେତେବେଳେ ହିଁ ମଜବୁତ ପରିବାରର ଭିତ୍ତି ସ୍ଥାପିତ ହୁଏ ।
source:prameya news


