ବିଧାୟକ ଅନନ୍ତ ସିଂହଙ୍କ ଝିଅ ବାହାଘର ଭୋଜିରେ ଠେଲାପେଲା, ପତ୍ର ନମିଳିବାରୁ କାର୍ଟୁନ ଓ ଗ୍ଲାସରେ ଖାଇଲେ ଲୋକେ …ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ : ବିହାରର ମୋକାମା ବିଧାୟକ ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ ଏବେ ଖୁବ୍ ଚର୍ଚ୍ଚାରେ । ବିବାହ ଭୋଜିରେ ଏତେ ଭିଡ଼ ଲାଗି ଥିଲା ଯେ, ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦାବି କରାଯାଉଛି ଯେ, ଭୋଜିରେ ଖାଇବା ପତ୍ର କମ୍ ପଡ଼ି ଯାଇ ଥିଲା । ଏହାପରେ ଲୋକମାନେ ଯାହା ପାଇଲେ, ସେଥିରେ ହିଁ ଖାଇବା ଆରମ୍ଭ କରି ଦେଇ ଥିଲେ । କିଏ କାର୍ଟୁନରେ ଖାଦ୍ୟ ନେଇ ଖାଇବାକୁ ଲାଗିଲା ତ କିଏ ଖବରକାଗଜରେ, ଆଉ କିଏ ଗ୍ଲାସରେ ହିଁ ତରକାରୀ-ପୁରୀ ନେଇ ବସି ଗଲା ।
ଗୋଟିଏ ଭିଡିଓରେ ପତ୍ର ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଦେଖିବାକୁ ମିଳିଛି । ପତ୍ର ନେବା ଚକ୍କରରେ ଅନେକ ଲୋକ ପରସ୍ପର ଉପରେ ଚଢ଼ି ଯାଉଥିବା ମଧ୍ୟ ନଜର ଆସିଛନ୍ତି । ଭିଡିଓ ଦେଖିଲେ ହିଁ ଅନ୍ଦାଜ ଲଗାଯାଇ ପାରୁଛି ଯେ, ଖାଇବା ସମୟରେ ସେଠାରେ କେତେ ଭିଡ଼ ଥିଲା । ଆଉ ଏକ ଭିଡିଓରେ ଜଣେ ବ୍ୟକ୍ତି ଭୋଜିର ସ୍ଥିତି ବଖାଣି କହୁଛନ୍ତି ଯେ, ଏଠାରେ ଖାଇବା ପାଇବା କୌଣସି ଯୁଦ୍ଧ ଜିତିବା ଠାରୁ କମ୍ ନୁହେଁ । ଆପଣଙ୍କ ଭାଇ ଖାଇବା ପାଇ ଯାଇଛି, ମାନେ ଯୁଦ୍ଧ ଜିତି ଯାଇଛି । ରସଗୋଲା ତ ଲୁଟ୍ ହୋଇଗଲା, ଆମକୁ ମିଳିଲା ହିଁ ନାହିଁ ।
ଭୋଜିର ଅନ୍ୟ ଭିଡିଓ ଗୁଡ଼ିକରେ ମଧ୍ୟ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । କିଏ କେବଳ ବଟର୍ ଖାଉ ଥିବାର ଦେଖାଯାଉଛି ତ କିଏ ବଡ଼ ବଡ଼ ହାଣ୍ଡିରୁ ସିଧାସଳଖ ତରକାରୀ କାଢ଼ି ଖାଉଛି । ଗୋଟିଏ ଭିଡିଓରେ ଲୋକମାନେ ପନିର ତରକାରୀରୁ କେବଳ ପନିର ଖଣ୍ଡ ବାଛି ଖାଉ ଥିବାର ନଜର ଆସିଛନ୍ତି । ଜଣେ ବ୍ୟକ୍ତି ତ କାର୍ଟୁନରୁ ହିଁ ତରକାରୀ ଖାଉଥିବା ଦେଖିବାକୁ ମିଳି ଥିଲା । ଲୋକଙ୍କର ଏଭଳି 'ଜୁଗାଡ଼' ଦେଖି ସୋସିଆଲ ମିଡିଆରେ ଖୁବ୍ ହସ ମଜାକ୍ ଚାଲିଛି ।
source:prameya news


