Cold Weather Alert / ଭୁବନେଶ୍ବରରେ ଖସିଲା ପାରଦ: ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ବଢୁଛି ଶୀତର ପ୍ରଭାବ। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ରହିଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା, ବିଜୁଳି ଘଡ଼ଘଡ଼ି କିମ୍ବା ପ୍ରବଳ ବର୍ଷାର କୌଣସି ସତର୍କ ସୂଚନା ନାହିଁ। ତେବେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କୋରାପୁଟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।
ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି। ପରବର୍ତ୍ତୀ ସମୟ ପାଇଁ କୌଣସି ସତର୍କତା ଜାରି ହୋଇନାହିଁ।ସେପଟେ କୁହୁଡ଼ିର ପ୍ରଭାବ ମଧ୍ୟ ଜାରି ରହିଛି। କୋରାପୁଟରେ ଅତି ଘନ କୁହୁଡ଼ି ରେକର୍ଡ ହୋଇଥିବା ବେଳେ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ ରାଉରକେଲାରେ ଘନ କୁହୁଡ଼ି ଦେଖାଦେଇଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବନିମ୍ନ ୧୨.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁରରେ ୧୫.୪, କେନ୍ଦୁଝରରେ ୧୪ ଡିଗ୍ରୀ, କଟକରେ ୧୭ ଏବଂ ଭୁବନେଶ୍ୱରରେ ୨୦ ଡିଗ୍ରୀ ସେଲସିୟସ୍ ରହିଥିଲା। ଅନ୍ୟପଟେ ଫୁଲବାଣୀରେ ସ୍ୱାଭାବିକଠାରୁ ୫.୩ ଡିଗ୍ରୀ, ଭବାନୀପାଟଣାରେ ୪.୭ ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୩.୯ ଡିଗ୍ରୀ ଅଧିକ ରହିଛି ରାତି ତାପମାତ୍ରା।
source:argus news


