IBM H1B Visa: ଆମେରିକାରେ ଭାରତୀୟଙ୍କୁ IBMର ବଡ଼ ଝଟକା, ଭିସା ଓ ଗ୍ରୀନ୍ କାର୍ଡ ସ୍ପନ୍ସରସିପ୍ ବନ୍ଦ !
ନୂଆଦିଲ୍ଲୀ, ୨୭।୧୧: ଆମେରିକାରେ କାର୍ଯ୍ୟ କରୁଥିବା ବିଦେଶୀ କର୍ମଚାରୀଙ୍କ ଅଡୁଆ ବଢ଼ିଚାଲିଛି । ଭିସାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଏବେ ଟେକ୍ କମ୍ପାନି ଆଇବିଏମ୍ ଏହାର କର୍ମଚାରୀଙ୍କ ଚିନ୍ତା ବଢ଼ାଇଦେଇଛି । ଏହା ଆମେରିକାରେ ନିଜର କନ୍ସଲ୍ଟିଂ ଡିଭିଜନର ଅଧିକାଂଶ ପଦ ପାଇଁ ୱାର୍କ ଭିସା ଏବଂ ଗ୍ରୀନ୍ କାର୍ଡ ସ୍ପନ୍ସରସିପ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନିର ଏହି ଡିଭିଜନରେ ୧.୫୦ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରିଥାନ୍ତି । ଏହି ନିଷ୍ପତ୍ତିର ସିଧା ପ୍ରଭାବ ଆମେରିକାର ଟେକ୍ ଶିଳ୍ପରେ କାର୍ଯ୍ୟ କରୁଥିବା ହଜାର ହଜାର ଭାରତୀୟ ପ୍ରଫେସନାଲଙ୍କ ଉପରେ ପଡ଼ିବ । କମ୍ପାନି ପ୍ରଭାବିତ କର୍ମଚାରୀଙ୍କ ଆଗରେ ଦୁଇଟି ସର୍ତ୍ତ ରଖିଛି । କର୍ମଚାରୀ ଆମେରିକା ଛାଡ଼ି ଅନ୍ୟ ଦେଶରେ କମ୍ପାନି ପାଇଁ କାର୍ଯ୍ୟ ଜାରି ରଖିପାରିବେ କିମ୍ବା ଚାକିରି ଛାଡ଼ିପାରିବେ । ପ୍ରଭାବିତ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବାହାର କରିବା ପରିବର୍ତ୍ତେ ଟ୍ରାଞ୍ଜିସନ ପାଇଁ ବର୍ଷ ଶେଷ ସୁଦ୍ଧା ଅର୍ଥାତ ୨୦୨୬ ଡିସେମ୍ବର ୩୧ ଯାଏ ସମୟ ଦେଇଛି କମ୍ପାନି । ପ୍ରକାଶଯୋଗ୍ୟ, ଯେତେବେଳେ କୌଣସି ଆମେରିକୀୟ କମ୍ପାନି ବିଦେଶୀ କର୍ମଚାରୀଙ୍କୁ ସେଠାରେ କାର୍ଯ୍ୟ କରିବା ପାଇଁ ୱାର୍କ ଭିସା ଯୋଗାଇଥାଏ, ତାହାକୁ ଏଚ୍-୧ବି ସ୍ପନ୍ସରସିପ୍ କହିଥାନ୍ତି ।
ସେହିଭଳି ଯେତେବେଳେ କମ୍ପାନି ଉକ୍ତ କର୍ମଚାରୀଙ୍କୁ ଆମେରିକାରେ ସବୁଦିନ ପାଇଁ ରହିବାର ଅଧିକାର ବା ପର୍ମାନେଣ୍ଟ ରେସିଡେନ୍ସି ଯୋଗାଇବା ପାଇଁ ଆବେଦନ କରିଥାଏ, ତାହାକୁ ଗ୍ରୀନ୍ କାର୍ଡ ସ୍ପନ୍ସରସିପ୍ କୁହାଯାଇଥାଏ । ଆଇବିଏମ୍ କନ୍ସଲ୍ଟିଂରେ ବିଶ୍ୱବ୍ୟାପୀ ୧.୫୦ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଯଦିଓ କମ୍ପାନି ସ୍ପଷ୍ଟ କରିନାହିଁ ଯେ, ଏ ନିଷ୍ପତ୍ତି ଦ୍ୱାରା ମୋଟ କେତେ କର୍ମଚାରୀ ପ୍ରଭାବିତ ହେବେ ଅବା ଏହି କର୍ମଚାରୀଙ୍କ ମଧ୍ୟରୁ କେତେ ଜଣ ଆମେରିକାରେ ଅବସ୍ଥାପିତ । କମ୍ପାନି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏ ନିଷ୍ପତ୍ତି ସମଗ୍ର ଆଇବିଏମ୍ରେ ଲାଗୁ ହେଉନାହିଁ, ଏହା କେବଳ ଆଇବିଏମ୍ କନ୍ସଲ୍ଟିଂର ପଦ ପାଇଁ ରହିଛି । ଆଇବିଏମ୍ର କହିବାନୁସାରେ, ଏବେ ବିଜ୍ନେସ୍ ଏବଂ କ୍ଲାଏଣ୍ଟଙ୍କ ଆବଶ୍ୟକତା ବଦଳିଯାଇଛି । ପ୍ରଥମେ କମ୍ପାନି ଉନ୍ନତ ପ୍ରତିଭାଙ୍କ ଅଭାବ ଦୂର କରିବା ପାଇଁ ଆମେରିକା ଭିସା ପ୍ରୋଗ୍ରାମ ଜରିଆରେ ଲୋକଙ୍କୁ ନିଯୁକ୍ତି ଦେଉଥିଲା କିନ୍ତୁ ଗତ କିଛି ବର୍ଷ ହେବ ଏହାର ବ୍ୟବହାର କମ୍ ହେଉଥିଲା । ଏବେ ଦକ୍ଷ ଲୋକଙ୍କ ଉପଲବ୍ଧତା ଏବଂ କ୍ଲାଏଣ୍ଟ ଚାହିଦା ବଦଳିବା ଯୋଗୁ କମ୍ପାନି ଆଇବିଏମ୍ କନ୍ସଲ୍ଟିଂର ଅଧିକାଂଶ ପଦବୀ ପାଇଁ ଭିସା ଏବଂ ଗ୍ରୀନ୍ କାର୍ଡ ସ୍ପନ୍ସର କରିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ଆଇବିଏମ୍ର କନ୍ସଲ୍ଟିଂ ବ୍ୟବସାୟ ଗତ କିଛି ସମୟ ହେବ ଅଭିବୃଦ୍ଧି ଜାରି ରଖିବାରେ ଆହ୍ୱାନର ସାମ୍ନା କରୁଛି । ବର୍ଷ ୨୦୨୪ରୁ ଏହି ଡିଭିଜନ୍ର ପ୍ରଦର୍ଶନ ସ୍ଥୀର ରହିଛି । ଅନ୍ୟପକ୍ଷରେ, ଆଇବିଏମ୍ ନିଜକୁ ଏକ ସଫ୍ଟୱେର-ଫୋକସ୍ଡ କମ୍ପାନି ଭାବେ ରୂପାନ୍ତର କରୁଛି । ଟ୍ରମ୍ପ ପ୍ରଶାସନ ଏଚ୍-୧ବି ଭିସା ନିୟମଗୁଡ଼ିକୁ କଠୋର କରିଛି । ଏଥିରେ କିଛି ନୂଆ ଏଚ୍-୧ବି ଆବେଦନ ପାଇଁ ୧ ଲକ୍ଷ ଡଲାରର ପ୍ରସ୍ତାବିତ ଫି’ ଏବଂ ଅଧିକ ଦରମାଯୁକ୍ତ ପଦବୀଗୁଡ଼ିକୁ ପ୍ରାଥମିକତା ଦେବା ଭଳି ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଗତମାସ ହିଁ ମାଇକ୍ରୋସଫ୍ଟ, ଆଡୋବ, କଗ୍ନିଜାଣ୍ଟ, ଇନ୍ଫୋସିସ ଏବଂ ଟିସିଏସ୍ ଭଳି କମ୍ପାନିଗୁଡ଼ିକୁ ପର୍ମାନେଣ୍ଟ ଲେବର ସାର୍ଟିଫିକେଶନ ପ୍ରୋଗ୍ରାମରେ କଟକଣାର ସାମ୍ନା କରିବାକୁ ପଡ଼ିଥିଲା ।
source:prameya news


