Parliament Special Session / ସରକାର ଡାକିଲେ ସଂସଦର ସ୍ୱତନ୍ତ୍ର ବୈଠକ, ନଭେମ୍ବର ୩୦ରେ ଲୋକସଭା...ଡିସେମ୍ବର ୨ରେ ରାଜ୍ୟସଭା
ଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସଂସଦର ଉଭୟ ଗୃହ ପୁନର୍ବାର ଡକାଇବାକୁ ଅନୁରୋଧ କରିଛନ୍ତି । ପ୍ରସ୍ତାବ ଅନୁଯାୟୀ, ଲୋକସଭା ଅଧିବେଶନ ୩୦ ନଭେମ୍ବର, ୨୦୨୬ରେ ଏବଂ ରାଜ୍ୟସଭା ଅଧିବେଶନ ଡିସେମ୍ବର ୨ରେ ଆରମ୍ଭ ହେବ । ଉଭୟ ଗୃହର କାର୍ଯ୍ୟ ଡିସେମ୍ବର ୩ରେ ଶେଷ ହେବ ବୋଲି ଆଶା କରାଯାଉଛି । ଏହି ବୈଠକରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯିବ। ଏହା ନୂଆ ଅଧିବେଶନ ନୁହେଁ, ବରଂ ପୂର୍ବରୁ ଚାଲିଥିବା ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ବୋଲି ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।
କେବେ ବସିବ ଲୋକସଭା ଓ ରାଜ୍ୟସଭା ?
କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁସାରେ, ନଭେମ୍ବର ୩୦ ତାରିଖ ସୋମବାର ଲୋକସଭାର ବୈଠକ ବସିବ। ସେହିପରି ଡିସେମ୍ବର ୨ ତାରିଖ ବୁଧବାର ରାଜ୍ୟସଭାର ବୈଠକ ଡକାଯିବ । ଉଭୟ ସଦନର କାର୍ଯ୍ୟକାଳ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିପାରେ ।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି କିରନ ରିଜିଜୁ ଏହି ସୂଚନା ଦେଇଛନ୍ତି । ସଂସଦର ଉଭୟ ସଦନକୁ ପୁଣିଥରେ ଡାକିବା ପାଇଁ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସରକାର ଅନୁରୋଧ କରିଛନ୍ତି । ତେବେ ଏହି ବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ, ସେନେଇ ବିସ୍ତୃତ ଏଜେଣ୍ଡା ଏଯାଏଁ ସାମ୍ନାକୁ ଆସିନାହିଁ ।
କାହିଁକି ଅଧାରେ ରହିଥିଲା ମୌସୁମୀ ଅଧିବେଶନ ?
୨୦୨୬ର ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ଯୋଗୁଁ ବାରମ୍ବାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ଅଗଷ୍ଟ ୧୩, ୨୦୨୬ରେ ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦିଆଯାଇଥିଲା । କିନ୍ତୁ ଅଧିବେଶନର ଔପଚାରିକ ସମାପ୍ତି ବା ପ୍ରୋରୋଗେସନ୍ ହୋଇନଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିଲା ।
ମହିଳା ସଂରକ୍ଷଣ ଓ ଡିଲିମିଟେସନ୍ ବିଲ୍ ଆସିବ କି ?
ସଂସଦର ବୈଠକ ପୁଣି ଡକାଯିବା ଖବର ପରେ ଏବେ ରାଜନୈତିକ ମହଲରେ ଡିଲିମିଟେସନ୍ ଏବଂ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାର ଏହି ସମୟରେ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଆଣିପାରନ୍ତି ବୋଲି ଆଲୋଚନା ହେଉଛି । ଏହି ପ୍ରସ୍ତାବ ଅନୁସାରେ, ଲୋକସଭାର ବର୍ତ୍ତମାନର ୫୪୩ଟି ଆସନକୁ ବୃଦ୍ଧି କରି ସର୍ବାଧିକ ୮୫୦ଟି କରିବାର ବିକଳ୍ପ ଉପରେ ବିଚାର କରାଯାଇପାରେ । ଏଥିପାଇଁ ଦେଶରେ ନିର୍ବାଚନମଣ୍ଡଳୀର ପୁନଃନିର୍ଦ୍ଧାରଣ ଅର୍ଥାତ୍ ଡିଲିମିଟେସନ୍ କରାଯିବାର ଯୋଜନା ରହିଛି ।
ସରକାରଙ୍କ ଉଦ୍ଦେଶ୍ୟ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ବୋଲି ଚର୍ଚ୍ଚା ହେଉଛି ।
source:argus news


