US Thanksgiving Storm: ଆମେରିକାରେ ପ୍ରକୃତିର ପ୍ରଳୟଙ୍କରୀ ରୂପ ! ୯ ଲକ୍ଷ ଘରକୁ ବିଦ୍ୟୁତ୍ ଠପ୍, ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ, ୨୭।୧୧: ଆମେରିକାରେ ଥ୍ୟାଙ୍କସଗିଭିଂ ଛୁଟି ଅବସରରେ ପ୍ରକୃତିର ତାଣ୍ଡବ । ଦେଶର ପୂର୍ବ ଭାଗରେ ଆସିଥିବା ଶକ୍ତିଶାଳୀ ଝଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ପବନ, ମୂଷଳଧାରା ବର୍ଷା ଏବଂ ସମୁଦ୍ର ଉପକୂଳରେ ବନ୍ୟା ସ୍ଥିତି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ଝଡ଼ ଯୋଗୁଁ ପ୍ରାୟ ୯ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଏଥିସହ ଶହ ଶହ ବିମାନ ବାତିଲ୍ ହୋଇଥିବାବେଳେ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ।
୯ ଲକ୍ଷରୁ ଅଧିକ ଘର ଅନ୍ଧାର:
ବିଦ୍ୟୁତ୍ ସରବରାହ ଉପରେ ନଜର ରଖୁଥିବା ୱେବସାଇଟ୍ ପାୱାର ଆଉଟେଜ୍ ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସୁଦ୍ଧା ଆମେରିକାର ମଧ୍ୟ-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ପ୍ରାୟ ୯ ଲକ୍ଷ ଗ୍ରାହକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଥିଲେ । ସିଏନ୍ଏନ୍ ରିପୋର୍ଟ ଅନୁସାରେ, ପେନ୍ସିଲଭାନିଆରେ ୨.୧୩ ଲକ୍ଷରୁ ଅଧିକ, ଭର୍ଜିନିଆରେ ୧.୫ ଲକ୍ଷରୁ ଅଧିକ ଏବଂ ମିସୋରିରେ ପ୍ରାୟ ୧.୨ ଲକ୍ଷ ଗ୍ରାହକଙ୍କ ଘରେ ବିଦ୍ୟୁତ୍ ନଥିଲା । ଆମେରିକାର ପୂର୍ବ ଉପକୂଳରେ ଘଣ୍ଟା ପ୍ରତି ୧୧୨ କିଲୋମିଟର ବେଗରେ ପବନ ବହିଥିଲା । ଏହାର ପ୍ରଭାବରେ ବହୁ ସଂଖ୍ୟାରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା । ଡେଲାୱେର, ନ୍ୟୁଜର୍ସି ଏବଂ ଦକ୍ଷିଣ-ପୂର୍ବ ପେନ୍ସିଲଭାନିଆରେ ବ୍ୟାପକ ବିଦ୍ୟୁତ୍ କାଟ୍ ହୋଇଥିଲା । ଏହାକୁ ସାମ୍ପ୍ରତିକ ଇତିହାସର ସବୁଠାରୁ ବଡ଼ ଥ୍ୟାଙ୍କସଗିଭିଂ ଝଡ଼ ବୋଲି ଆମେରିକାର ଜାତୀୟ ପାଣିପାଗ ସେବା ପକ୍ଷରୁ କୁହାଯାଇଛି ।
ଥ୍ୟାଙ୍କସଗିଭିଂ ଛୁଟି ଅବସରରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଝଡ଼ ବଡ଼ ସମସ୍ୟା ସୃଷ୍ଟି କରିଛି । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ଆୱେର୍ ଅନୁସାରେ, ଗୁରୁବାର ଆମେରିକାର ବିଭିନ୍ନ ବିମାନବନ୍ଦରରେ ୩୫୦ରୁ ଅଧିକ ବିମାନ ବାତିଲ୍ ହୋଇଥିବାବେଳେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ଆମେରିକୀୟ ଅଟୋମୋବାଇଲ୍ ଆସୋସିଏସନ୍ (ଏଏଏ) ଅନୁଯାୟୀ, ଥ୍ୟାଙ୍କସଗିଭିଂ ଅବସରରେ ୭ ଦିନ ମଧ୍ୟରେ ପ୍ରାୟ ୮.୧୫ କୋଟି ଆମେରିକୀୟ ଅତି କମ୍ରେ ୫୦ ମାଇଲ୍ ଦୂରତା ଯାତ୍ରା କରିବାର ଯୋଜନା କରିଥିଲେ । ହେଲେ ଝଡ଼ ଯୋଗୁ ସେମାନଙ୍କ ଯାତ୍ରା ବାଧାପ୍ରାପ୍ତ ହୋଇଛି ।
ନ୍ୟୁଜର୍ସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା:
ଆମେରିକାର ଜାତୀୟ ପାଣିପାଗ ସେବା ପୂର୍ବ ଉପକୂଳରେ ପ୍ରବଳ ବର୍ଷା, ଝଡ଼ ଏବଂ ସମୁଦ୍ର ଉପକୂଳରେ ବନ୍ୟା ନେଇ ସତର୍କ ସୂଚନା ଜାରି କରିଛି । ଇଣ୍ଟରଷ୍ଟେଟ୍-୯୫ କରିଡରରେ ଘଣ୍ଟା ପ୍ରତି ୫୦ ମାଇଲ୍ ବା ତା'ଠାରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଥିଲା । ସ୍ଥିତିର ଗମ୍ଭୀରତାକୁ ଦେଖି ନ୍ୟୁଜର୍ସିର ଗଭର୍ଣ୍ଣର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ନ୍ୟୁୟର୍କର କେତେକ ଅଞ୍ଚଳରେ ମଧ୍ୟ ଜରୁରୀକାଳୀନ ପଦକ୍ଷେପ ଲାଗୁ କରାଯାଇଛି । ଥ୍ୟାଙ୍କସଗିଭିଂ ଛୁଟିରେ ଆସିଥିବା ଏହି ଝଡ଼ ଆମେରିକାର ଯୋଗାଯୋଗ, ବିଦ୍ୟୁତ୍ ସେବା ଏବଂ ଯାତାୟାତ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଛି ।
source:prameya news


