Pakistan Political Crisis :ପାକିସ୍ତାନରେ ତେଜିଲା ମୁନିର ବିରୋଧୀ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲେ ବିକ୍ଷୋଭକାରୀ

ବିଦେଶ

ଇସଲାମାବାଦ, ୨୭/୧୧ : ପାକିସ୍ତାନର ସେନା ମୁଖ୍ୟ ତଥା ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାଯୋଗୁ ରାସ୍ତା ଜାମ୍‌ ପରିସ୍ଥିତି ଉପୁଜିଛି । ପଞ୍ଜାବର ସରଗୋଧାରେ ହେବାକୁ ଥିବା ସାଧାରଣ ସଭା ପୂର୍ବରୁ ଜମିୟତ ଉଲେମାଏ-ଇସଲାମ-ଫଜଲ (ଜେୟୁଆଇ-ଏଫ୍‌)ର ଦଳୀୟ ମୁଖ୍ୟ ମୌଲାନା ଫଜଲୁର ରେହମାନ ଏବଂ ସାଧାରଣ ସମ୍ପାଦକ ମୌଲାନା ଅବଦୁଲ ଗଫୁର ହାଇଦରୀଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଅଟକ ରଖାଯିବା ପରେ ଗୁରୁବାର ଉତ୍ତେଜନା ବୃଦ୍ଧି ପାଇଛି । ସାଧାରଣ ସଭା ଉପରେ ଲଗାଯାଇଥିବା କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ନେତାମାନଙ୍କୁ ଅଟକ ରଖାଯାଇଥିବା ପଞ୍ଜାବ ପୁଲିସ କହିଛି । 

ନେତାମାନଙ୍କୁ ଅଟକ ରଖାଯିବା ପରେ ଜେୟୁଆଇ-ଏଫ୍‌ର ମୁଖ୍ୟ ମୌଲାନା ଫଜଲୁର ରେହମାନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ଵାନ ଦେଇଛନ୍ତି । ସମର୍ଥକମାନଙ୍କୁ ସମଗ୍ର ପାକିସ୍ତାନର ପ୍ରମୁଖ ରାଜପଥ ଓ ମୋଟରୱେ ଅବରୋଧ କରିବାକୁ କହିଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ସୂଚନା ଅନୁଯାୟୀ, ତାଙ୍କର ଏହି ଆହ୍ୱାନ ପରେ ଦେଶର ବିଭିନ୍ନ ସ୍ଥାନରେ ରାଜପଥ ଅବରୋଧ କରାଯାଇଛି । ପେଶାୱାର ମୋଟରୱେଠାରୁ ଆରମ୍ଭ କରି କରାଚୀ ଏବଂ ବେଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଜଲୁର ରେହମାନ ଏବଂ ଶାହବାଜ ସରିଫ ସରକାରଙ୍କ ମଧ୍ୟରେ କ୍ରମାଗତ ଭାବେ ଖରାପ ହେଉଥିବା ସମ୍ପର୍କର ଏହା ହେଉଛି ସଦ୍ୟତମ ଅଧ୍ୟାୟ । ୨୦୨୨ରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇଥିବା ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭମେଣ୍ଟ (ପିଡିଏମ୍‌) ମେଣ୍ଟର ଜଣେ ପ୍ରମୁଖ ସହଯୋଗୀ ଥିବା ଫଜଲୁର ରେହମାନ ପରବର୍ତ୍ତୀ ସମୟରେ ବିରୋଧୀ ଦଳକୁ ଚାଲିଯାଇଥିଲେ ଏବଂ ଇମ୍ରାନ ଖାନଙ୍କ ପିଟିଆଇ ସହ ପୁଣି ସମ୍ପର୍କ ଯୋଡ଼ିବାକୁ ଲାଗିଥିଲେ । 

ପାକିସ୍ତାନର ସାମରିକ ପ୍ରତିଷ୍ଠାନ ଏବଂ ଏହାର ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କ ସହ ମଧ୍ୟ ତାଙ୍କର ମତଭେଦ ରହିଆସିଛି । ରାଜନୀତିରେ ମୁନିରଙ୍କ ଭୂମିକାକୁ ଚ୍ୟାଲେଞ୍ଜ କରିବାରେ ଜେୟୁଆଇ-ଏଫ୍‌ର ନେତା ଅଧିକ ଆକ୍ରାମକ ହୋଇଛନ୍ତି ଏବଂ ଖାଇବର ପଖତୁନଖ୍ୱା ଓ ଖଣିଜ ସମ୍ପଦ ଭଳି ପ୍ରସଙ୍ଗକୁ ନେଇ ତାଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି । ଗତ ମାସ ପାକିସ୍ତାନ ସରକାର ଖାଇବର ପଖତୁନଖ୍ୱାରେ ପିଟିଆଇ ନେତୃତ୍ୱାଧୀନ ସରକାରକୁ ସସପେଣ୍ଡ କରି ରାଜ୍ୟପାଳ ଶାସନ ଲାଗୁ କରିବା ପରେ ତାଙ୍କର ସମାଲୋଚନା ଆହୁରି ତୀବ୍ର ହୋଇଥିଲା । 

ଆଲାର୍ମ ଘଣ୍ଟା ନଥିଲା, ତଥାପି ସକାଳେ କେମିତି ଉଠୁଥିଲେ ଲୋକେ? How Did People Wake Up Before Alarm Clocks?​​​​​​​

source:prameya news


Related News